Unknown

 

 

 

 

 

 

 

 

 

 

 

ଶ୍ରମ ଓ ଶ୍ରମିକ

ମୁରାରିମୋହନ ଜେନା

 

ଉପୋଦ୍‍ଘାତ

 

ଶ୍ରୀମାନ ମୁରାରିମୋହନ ଜେନାଙ୍କ ‘ ଶ୍ରମ ଓ ଶ୍ରମିକ’ ପୁସ୍ତକର ପାଣ୍ଡୁଲିପି ଦେଖିବା ସୁଯୋଗ ମିଳିଥିଲା । ଏ ଯୁଗ ବିଶେଷଜ୍ଞମାନଙ୍କର । ଯେ କବିତା ଲେଖେ ବା ଉପନ୍ୟାସ ରଚନା କରେ, ସେ ନିଜକୁ କବି ବା ଔପନ୍ୟାସିକ ଭାବରେ ପ୍ରତିଷ୍ଠିତ କରିବା ଲାଗି ସାହିତ୍ୟର ଅନ୍ୟ ବିଭାଗ ପ୍ରତି ବୀତସ୍ପୃହ ହୋଇ ରହେ । କବିତା, ସାହିତ୍ୟ ସମାଲୋଚନା, ଜୀବନୀ ପ୍ରଣୟନ ଓ ସ୍ମରଣିକା ସଙ୍କଳନ ଆଦି ସାହିତ୍ୟର ପ୍ରତ୍ୟେକ ବିଭାଗରେ ଶ୍ରୀମାନ ମୁରାରିମୋହନଙ୍କ ଦକ୍ଷତା, ତାଙ୍କୁ ଓଡ଼ିଆ ସାହିତ୍ୟରେ ସୁପ୍ରତିଷ୍ଠିତ କରିପାରିଛି । ଶ୍ରୀମାନ ମୁରାରିମୋହନ ନିଜ ବ୍ୟକ୍ତିଗତ ଜୀବିକା ନିର୍ବାହ କ୍ଷେତ୍ରରେ ଉଚ୍ଚପଦାଧିଷ୍ଠିତ ଜନୈକ ଶ୍ରମମଙ୍ଗଳ ଅଧିକାରୀ । ସାହିତ୍ୟପ୍ରତି ତାଙ୍କର ସ୍ଵତଃସ୍ପୂର୍ତ୍ତ ଆକର୍ଷଣ ଅଛି । ସେ ଜଣେ ଅଧ୍ୟାପକ ହୋଇଥିଲେ ସାହିତ୍ୟାଲୋଚନା କରିବା ତାଙ୍କର କର୍ତ୍ତବ୍ୟରୂପେ ବିବେଚିତ ହୋଇଥାନ୍ତା । ଶ୍ରମମଙ୍ଗଳ ଅଧିକାରୀରୂପେ ସେ ଅହରହ ଶ୍ରମିକମାନଙ୍କ ସହିତ ନୀରସ ଜୀବନଯାପନ କରୁଥିଲେହେଁ ସ୍ଵକୀୟ ସାହିତ୍ୟାନୁରାଗ ଫଳରେ ସେ ଯେ ‘ଶମ ଓ ଶ୍ରମିକ’ ଭଳି ବାସ୍ତବ ଅର୍ଥନୈତିକ ସମସ୍ୟାପ୍ରତି ସାହିତ୍ୟିକର ଦୃଷ୍ଟିନିକ୍ଷେପ କରିପାରିଛନ୍ତି, ତାହା କମ୍ ଗୌରବ କଥା ନୁହେଁ ।

 

ଆଲୋଚ୍ୟ ‘ଶ୍ରମ ଓ ଶ୍ରମିକ’ ପୁସ୍ତକରେ ୨୧ଟି ପ୍ରବନ୍ଧ ସନ୍ନିବିଷ୍ଟ ହୋଇଛି । ଲେଖକ ଶ୍ରମିକ ସମସ୍ୟାର ବିଭିନ୍ନ ବିଭାଗ ସମ୍ବନ୍ଧରେ କେବଳ ଯେ ଆଲୋଚନା କରିଛନ୍ତି, ସେତିକି ନୁହେଁ, ପ୍ରବନ୍ଧଗୁଡ଼ିକରେ ଅଧ୍ୟୟନ ଓ ଅନୁଶୀଳନର ମହତ୍ତ୍ଵ ପ୍ରସ୍ଫୁଟିତ ହୋଇଛି । ସେ ବହୁ ବିଶେଷଜ୍ଞଙ୍କ ମତ ଉଦ୍ଧାର କରି ନିଜ ମତକୁ ସୁପ୍ରତିଷ୍ଠିତ କରିଛନ୍ତି । ଶ୍ରମିକମାନଙ୍କ କାର୍ଯ୍ୟକାରୀ ନିରାପତ୍ତା ଓ ଶ୍ରମିକମାଲିକ ସମ୍ପର୍କରେ ସଦ୍‍ଇଚ୍ଛା ଓ ସହଯୋଗ ବିଧାନ ଜଣେ ଶ୍ରମମଙ୍ଗଳ ଅଧିକାରୀଙ୍କ ମୁଖ୍ୟ କର୍ତ୍ତବ୍ୟ । ଲେଖକ ସେହିସବୁ ସମସ୍ୟା ସମ୍ବନ୍ଧରେ ଏହି ପୁସ୍ତକରେ ଆଲୋଚନା କରିଛନ୍ତି । ତାଙ୍କ ଦୃଷ୍ଟିକୋଣ ଆଉ ଟିକିଏ ବ୍ୟାପ୍ତ ହୋଇଥିଲେ ସେ ଶ୍ରମିକଙ୍କ ମଜୁରୀ ସମସ୍ୟା, ଶିଳ୍ପାୟତନରେ ଅଳ୍ପବୟସ୍କ, ବାଳକବାଳିକାମାନଙ୍କ ନିଯୁକ୍ତି ଏବଂ ଲାଭ ବଣ୍ଟନାଦି ଆଧୁନିକ ସମସ୍ୟା ଆଲୋଚନା କରି ପୁସ୍ତକଟିକୁ ଆହୁରି ଉପାଦେୟ କରି ପାରିଥାନ୍ତେ ।

 

ଓଡ଼ିଆ ଭାଷାରେ ଲିଖିତ ଅର୍ଥନୈତିକ ସମସ୍ୟା ସମ୍ବନ୍ଧରେ ପୁସ୍ତକ ସଂଖ୍ୟା ନିତାନ୍ତ ସୀମାବଦ୍ଧ । ସେ ଦୃଷ୍ଟିରୁ ଏହି ପୁସ୍ତକର ଗୁରୁତ୍ଵ ଅତ୍ୟଧିକ । ଅର୍ଥନୈତିକ ସମସ୍ୟାମୂଳକ ପୁସ୍ତକରେ ଭାଷା ଓ ଅଭିବ୍ୟକ୍ତିରେ ସାବଲୀଳତା ପ୍ରାୟ ନଥାଏ । ଶ୍ରୀମାନ ଜେନାଙ୍କ ଭାଷାଗତ ବୈଶିଷ୍ଟ୍ୟ ଏହି ପୁସ୍ତକକୁ ସରସ କରି ପାରିଛି ।

 

ଓଡ଼ିଆ ଭାଷା ମାଧ୍ୟମରେ ବିଶ୍ଵବିଦ୍ୟାଳୟ ଶିକ୍ଷା ପ୍ରଦତ୍ତ ହେଲାବେଳେ, ଉକ୍ତ ପୁସ୍ତକର ଆଦର ବହୁ ପରିମାଣରେ ବୃଦ୍ଧି ପାଇବ । ବର୍ତ୍ତମାନ ଏହା ପ୍ରଥମ ବାର୍ଷିକ ଉପାଧି ଶ୍ରେଣୀରେ ସାହିତ୍ୟ ପୁସ୍ତକରୂପେ ଗୃହୀତ ହେଲେ, ଆଧୁନିକ ଗଣତନ୍ତ୍ରରେ ସମାଜବାଦୀ ଆଭିମୁଖ୍ୟ ବିକାଶ କରିବା ଲାଗି ଉଦ୍ୟମ ହେଉଥିବାବେଳେ, ଛାତ୍ରଛାତ୍ରୀମାନେ ଶ୍ରମ ସମସ୍ୟା ସମ୍ବନ୍ଧରେ ଅବହିତ ହୋଇପାରିବେ ।

 

କୁକୁଡ଼ିଆପଦା

ଅଧ୍ୟାପକ ଡକ୍ଟର ଶ୍ରୀ ରାମଚନ୍ଦ୍ର ଦାଶ

କଟକ

ରାଜନୀତି ବିଜ୍ଞାନ ବିଭାଗ

୨୯ । ୭ । ୬୬

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର

Image

 

ଏଥିରେ ଅଛି

 

୧.

ଶ୍ରମ ସମସ୍ୟା

୨.

ଶିଳ୍ପ ଓ ଶ୍ରମିକ

୩.

ଔଦ୍ୟୋଗିକ ଗଣତନ୍ତ୍ର ଓ ଶ୍ରମିକ ସମାଜ

୪.

କୌଟିଲ୍ୟ ଅର୍ଥଶାସ୍ତ୍ରରେ ଶ୍ରମିକ ସମସ୍ୟା

୫.

ଶିଳ୍ପର ନିରାପତ୍ତା

୬.

ସମାଜ ଓ ଶ୍ରମିକ

୭.

ଶିଳ୍ପକ୍ଷେତ୍ରରେ କ୍ଳାନ୍ତି ଓ ବିଶ୍ରାମ

୮.

ଶ୍ରମିକର ନିରାପତ୍ତା

୯.

ଶ୍ରମିକ ଓ ମାଲିକ ସଙ୍ଗଠନ

୧୦.

ଶ୍ରମିକର ଦାବି ଓ ଦାୟିତ୍ଵ

୧୧.

ନାରୀ ଓ କାରଖାନା

୧୨.

ଶ୍ରମିକ ମାଲିକ ସମ୍ପର୍କ

୧୩.

ଶ୍ରମ ଏବଂ କଲ୍ୟାଣ

୧୪.

ଶ୍ରମ କଲ୍ୟାଣ କାର୍ଯ୍ୟର ଲକ୍ଷ୍ୟ

୧୫.

ଶ୍ରମ ସଙ୍ଗଠନର ଶକ୍ତି ଓ ଦାୟିତ୍ଵ

୧୬.

ଔଦ୍ୟୋଗିକ ସମ୍ପର୍କ

୧୭.

ଟ୍ରେଡ଼୍‍ ୟୁନିୟନ୍ ଆନ୍ଦୋଳନରେ ବାଧାବିଘ୍ନ

୧୮.

ଶିଳ୍ପାନ୍ତ ଶିକ୍ଷା

୧୯.

ବୟକ୍ତିକ ପରିଚାଳନା

୨୦.

ଶ୍ରମ ପଦାଧିକାରୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ

୨୧.

ଦୃଢ଼ ଶ୍ରମିକ ସଙ୍ଗଠନର ବିଶେଷତ୍ୱ

Image

 

ଏହା ନିଃସନ୍ଦେହ !!!

 

ଓଡ଼ିଆ ସାହିତ୍ୟର ସୁପ୍ରତିଷ୍ଠିତ କବି ଓ ସମାଲୋଚକ ଶ୍ରୀ ମୁରାରିମୋହନ ଜେନାଙ୍କର ଏ “ଶ୍ରମ ଓ ଶ୍ରମିକ’’ ପୁସ୍ତକ ଆମ ଦେଶର ସୁନିୟନ୍ତ୍ରିତ ଯୋଜନା ଯୁଗର ଶିଳ୍ପ କ୍ଷେତ୍ରରେ, ଶ୍ରମିକ ମାଲିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହଯୋଗ ଓ ସହାବସ୍ଥାନ ଅଣାଇବାରେ ଯେ ବିଶେଷ ସହାୟକ ହେବ, ସେ ଦୃଢ଼ ଆଶା ଓ ବିଶ୍ଵାସ ଆମର ଅଛି । ପୁଣି କହି ରଖୁଁ, ଏ ପ୍ରକାର ଆଲୋଚନାମୂଳକ ଶ୍ରମ ସଂକ୍ରାନ୍ତୀୟ ପୁସ୍ତକ....ଆମ ଦେଶରେ ମଧ୍ୟ, ପ୍ରଥମ ପଦକ୍ଷେପ... !!! ଏ ଦୃଷ୍ଟିରୁ କବି, ସମାଲୋଚକ ତଥା ଶ୍ରମିକ ଅଫିସ୍‍ର ଶ୍ରୀ ଜେନା ମୋ ତରଫରୁ ଖାଲି କାହିଁକି, ସମଗ୍ର ଦେଶବାସୀଙ୍କ ତରଫରୁ ଯେ ବିଶେଷ ଧନ୍ୟବାଦର ପାତ୍ର, ଏହା ନିଃସନ୍ଦେହ... ।

 

–ପ୍ରକାଶକ

Image

 

ଶ୍ରମ-ସମସ୍ୟା

 

ଆଦିମଯୁଗରେ, ସମାଜରେ ଶ୍ରମିକର କୌଣସି ସ୍ଥାନ ନଥିଲା । ସେହି ସମୟର ଇତିହାସ ପଢ଼ିଲେ ଆମ୍ଭେମାନେ କ୍ରୀତଦାସ କଥା ଶୁଣିବାକୁ ପାଉ । ଆମ ଭାରତର ପୁରାଣ ଯୁଗରେ ମନୁଷ୍ୟମାନଙ୍କୁ ଦାସ-ଦାସୀରୂପେ ବିକ୍ରି କରାଯାଇଥିବା କଥା ଆମେ ଶୁଣିଛୁ । ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ କ୍ରୀତଦାସ ପ୍ରଥା ବହୁଳ ପ୍ରସାର ଲାଭ କରିଥିଲା । ସେହି ସମୟରେ ଶ୍ରମିକର କୌଣସି ଶ୍ରମିକର କୌଣସି ସ୍ଵାତନ୍ତ୍ର୍ୟ ନଥିଲା । କିନ୍ତୁ ସଭ୍ୟତାର ଅଗ୍ରଗତି ସଙ୍ଗେ ସଙ୍ଗେ ମାନବ ସମାଜ, ଶ୍ରମର ମୂଲ୍ୟ ଓ ଶ୍ରମିକର ମର୍ଯ୍ୟାଦା ବୁଝିପାରିଛି । ଯଦିଓ ବଜାରର ଅନ୍ୟାନ୍ୟ ଜିନିଷ ଭଳି, ଶ୍ରମିକର ଶ୍ରମକୁ, ମୂଲ୍ୟ କିମ୍ବା ମଜୁରୀର ପ୍ରତିବଦଳରେ ଖରିଦ କରାଯାଏ, ତଥାପି ଶ୍ରମିକ ଗୋଟିଏ ଦ୍ରବ୍ୟ ନୁହେଁ । ଏ କଥା ସର୍ବପ୍ରଥମେ ଆନ୍ତର୍ଜାତିକ ଶ୍ରମିକ ଅନୁଷ୍ଠାନଦ୍ଵାରା ସୀକୃତ ହୋଇଥିଲା ।

 

ଶ୍ରମ ଖରିଦ କରାଯାଉଥିଲେ ମଧ୍ୟ ଶ୍ରମିକ ଅନ୍ୟାନ୍ୟ ଜିନିଷ ଭଳି ନିର୍ଜୀବ ନୁହେଁ । ଶ୍ରମିକ ତା’ର ଶ୍ରମଶକ୍ତି ବିକ୍ରି କଲେ ମଧ୍ୟ, ସେଥି ସହିତ ଜଡ଼ିତ ରହିଥାଏ । ତେଣୁ ତା’ର ଶ୍ରମଶକ୍ତି କିପରି ଓ କେଉଁ ଭାବରେ ବ୍ୟବହୃତ ହେବ, ସେ ତାହା ବୁଝିବାପାଇଁ ସଚେଷ୍ଟ ରହିବା ସ୍ଵାଭାବିକ । ଦ୍ଵିତୀୟତଃ ଦ୍ରବ୍ୟ, ଦେଶ ବିଦେଶ ମଧ୍ୟରେ ସ୍ଥାନାନ୍ତରିତ କରାଯାଇପାରେ । କିନ୍ତୁ ପାରିବାରିକ ଆକର୍ଷଣ, ଆର୍ଥିକ ଅବସ୍ଥା, ଅଜ୍ଞତା ଓ ଭୟ ଇତ୍ୟାଦି ଯୋଗୁଁ ଶ୍ରମିକ ତା’ର ସ୍ଥାନ ପରିବର୍ତ୍ତନ କରିପାରେ ନାହିଁ ।

 

ତୃତୀୟତଃ, ଶ୍ରମିକର ମନ, ଆତ୍ମସମ୍ମାନ, ଉନ୍ନତି, ଆକାଂକ୍ଷା ପ୍ରଭୃତି ଗୁଣ ନିର୍ଜୀବ ଓ ଜଡ଼ବସ୍ତୁଠାରୁ ତାହାକୁ ଅଲଗା କରିଥାଏ । ଶେଷରେ ଶ୍ରମିକ ନିଶ୍ଚେଷ୍ଟ ନୁହେଁ । ସେ ତାହାର ଜୀବନଧାରଣର ମାନ ବଢ଼ାଇବା ପାଇଁ ଜାଗ୍ରତ ଓ ଅଧିକ ସୁଖ ସୁବିଧା ହାସଲ କରିବାପାଇଁ ଚେଷ୍ଟିତ । ତେଣୁ ତାହାର ଜୀବନଧାରଣର ମାନ ସ୍ତରକୁ କମାଇ ଦେବାପାଇଁ ବା ତାହାର କ୍ରମୋନ୍ନତି ପ୍ରୟାସର ପ୍ରତିରୋଧ ପାଇଁ କୌଣସି ଚେଷ୍ଟାକୁ ସେ ସମର୍ଥନ କରେ ନାହିଁ । ଏହିସବୁ ବିଷୟ ଉପଲବ୍ଧି କରି ସଭ୍ୟତାର ଅଗ୍ରଗତି ସଙ୍ଗେ ସଙ୍ଗେ ମାନବ ସମାଜ ଶ୍ରମିକର ଉନ୍ନତିପାଇଁ ନାନାପ୍ରକାର ବ୍ୟବସ୍ଥା କରିଅଛି । ଏଥିରୁ ଅଧିକାଂଶ ଆଇନାନୁମୋଦିତ ।

 

ମନୁଷ୍ୟର ଭଲ ବା ମନ୍ଦ ଗୁଣ ତାହାର ସାମାଜିକ ଏବଂ ପାରିପାର୍ଶ୍ଵିକ ପରିସ୍ଥିତି ଉପରେ ନିର୍ଭର କରେ । ଶିଳ୍ପକ୍ଷେତ୍ରରେ ମାଲିକ ଏବଂ ତାହାଙ୍କଦ୍ଵାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ବା ସୁପରଭାଇଜରମାନଙ୍କ ବ୍ୟବହାର ଶ୍ରମିକର କାର୍ଯ୍ୟନିଷ୍ଠା ସହିତ ଘନିଷ୍ଠ ଭାବରେ ସମ୍ପୃକ୍ତ । ଶ୍ରମିକମାନଙ୍କ ମଧ୍ୟରେ ସଖ୍ୟଭାବ(୧୦) ଏବଂ ପରସ୍ପରର ସାହାଯ୍ୟ କରିବା ମନୋଭାବ, ସେମାନଙ୍କ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟ ପ୍ରତି ଆଗ୍ରହ ବଢ଼ାଇଥାଏ । ଯେଉଁ ଶିଳ୍ପପତିମାନେ ଏହାକୁ ଭଲ ଭାବରେ ହୃଦୟଙ୍ଗମ କରି ଅନୁରୂପ ପରିସ୍ଥିତି ସୃଷ୍ଟି କରନ୍ତି, ସେମାନେ ସେମାନଙ୍କ ଶିଳ୍ପ ଅନୁଷ୍ଠାନରେ ଶାନ୍ତିରକ୍ଷା ପାଇଁ ଅଧିକତର ସକ୍ଷମ ହୋଇଥାନ୍ତି । ବିଜ୍ଞ ମାଲିକମାନେ ନୂତନ ଧରଣର ପ୍ରଣାଳୀ ହଠାତ୍ ପ୍ରୟୋଗ କରିବାପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । କାରଣ ହଠାତ୍ ଶ୍ରମିକମାନଙ୍କ ହୃଦ୍‍ବୋଧ କରିବା ପୂର୍ବରୁ ପରିବର୍ତ୍ତିତ ପରିପାର୍ଶ୍ଵରେ କାର୍ଯ୍ୟ କରିବାପାଇଁ ବାଧ୍ୟ କରିବାଦ୍ଵାରା କୁଫଳ ଫଳିଥାଏ । ଏହା କହିବାର ଉଦ୍ଦେଶ୍ୟ ଯେ, ମାଲିକ, ଶ୍ରମିକ ଗୋଷ୍ଠୀର ମନୋବିଜ୍ଞାନ ପ୍ରତି ଧ୍ୟାନଦେଇ ସେମାନଙ୍କର ମନକୁ ଜୟ କରିବାପାଇଁ ସର୍ବଦା ଉଦ୍ୟମ କରିବା ଆବଶ୍ୟକ । ଏଥିରେ କୃତକାର୍ଯ୍ୟ ହେବାକୁ ହେଲେ ସେମାନଙ୍କ ପାଇଁ ସୁଖ ସୁବିଧାର ବ୍ୟବସ୍ଥା କରିବା ଦରକାର ।

 

ଶିଳ୍ପାନୁଷ୍ଠାନରେ ସଂଘର୍ଷ ଉପୁଜିଲେ, ଶ୍ରମିକମାନଙ୍କ ପକ୍ଷରୁ ଧର୍ମଘଟ ଏବଂ ମାଲିକଙ୍କ ପକ୍ଷରୁ ତାଲାବନ୍ଦ ହୋଇଥାଏ । ଏହା ଫଳରେ ଉଭୟ ମାଲିକ ଓ ଶ୍ରମିକ କ୍ଷତିଗ୍ରସ୍ତ ହୁଅନ୍ତି । ଧର୍ମଘଟ ବା ତାଲାବନ୍ଦ ଯୋଗୁଁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ହୋଇ, ମାଲିକଙ୍କର ବ୍ୟୟ ଅପେକ୍ଷା ଆୟ କମ୍ ହୁଏ । ସେହିଭଳି ଧର୍ମଘଟ ପାଇଁ, ଶ୍ରମିକ ଅଧିକାଂଶ କ୍ଷେତ୍ରରେ ତା’ର ମଜୁରୀ ହରାଏ । ସଂଘର୍ଷ ଶେଷରେ ବହୁ କ୍ଷେତ୍ରରେ ଦେଖାଯାଇଥାଏ ଯେ, ସଂଘର୍ଷଜନିତ କ୍ଷତିର ପ୍ରଭାବ ମାଲିକଙ୍କଠାରୁ ଶ୍ରମିକଙ୍କ ଉପରେ ଅଧିକ ଭାବରେ ପଡ଼ିଥାଏ । କାରଣ ମାଲିକ ସାମୟିକ ଭାବରେ ମାତ୍ର କ୍ଷତି ସହିଥାଏ, କିନ୍ତୁ ନିଜର ଏବଂ ପରିବାରର ଭରଣପୋଷଣ ପାଇଁ ମଜୁରୀ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ଶ୍ରମିକ ମଜୁରୀ ହରାଇବାଦ୍ଵାରା ଭୀଷଣ ଦୁର୍ଗତିରେ ପଡ଼େ । ଏହାଦ୍ଵାରା ତା’ର ପୂର୍ବର ତେଜ ଏବଂ ଦମ୍ଭ ଭାଙ୍ଗିଯାଏ । ଶିଳ୍ପକ୍ଷେତ୍ରରେ ଶାନ୍ତି ରକ୍ଷା ନହେଲେ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ଅବଶ୍ୟ କମିବ । ପୁଣି ଉତ୍ପାଦନ ବୃଦ୍ଧି ନହେଲେ ଦେଶର ଉନ୍ନତିରେ ମଧ୍ୟ ବାଧା ଘଟିବ । ସବୁଠାରୁ ଅଧିକ ପ୍ରଣିଧାନର ବିଷୟ ଏହି ଯେ, ସଂଘର୍ଷ ଏବଂ ଅଶାନ୍ତି ଯୋଗୁଁ ଉତ୍ପାଦନରେ ବାଧା ପଡ଼ିଲେ ବଜାରରେ ଜିନିଷପତ୍ରର ଦରଦାମ୍ ବୃଦ୍ଧି ଜନସାଧାରଣଙ୍କୁ ବିଶେଷ ବାଧେ । ଏହି ସବୁ କାରଣ ଯୋଗୁଁ ଶିଳ୍ପକ୍ଷେତ୍ରରୁ ସଂଘର୍ଷ ଏଡ଼ାଇବା ସମସ୍ତଙ୍କ ପକ୍ଷରେ ନିତାନ୍ତ ପ୍ରୟୋଜନ ।

 

ଅସନ୍ତୋଷ ଏବଂ ଅପରିତୃପ୍ତି ଶ୍ରମିକ ମାଲିକ ସଂଘର୍ଷର ପ୍ରଧାନ କାରଣ । ଏହା ଅସନ୍ତୋଷ ପାଇଁ କୌଣସି ଗୋଟିଏ ଘଟଣାରେ ଏକ ପକ୍ଷକୁ ଦାୟୀ କରିବା କଷ୍ଟସାଧ୍ୟ । କିନ୍ତୁ ଅନେକ ସମୟରେ ମଜୁରିଆମାନେ ବା ସେମାନଙ୍କର ନେତାମାନେ ମାଲିକଙ୍କୁ ସଂଘର୍ଷପାଇଁ ଦାୟୀ କରି ତାହାଙ୍କୁ ସ୍ୱାର୍ଥପର ବୋଲି ଅଭିଯୋଗ କରି ଥାଆନ୍ତି । ସେହିପରି ଅଧିକାଂଶ କ୍ଷେତ୍ରରେ ମାଲିକ ମଧ୍ୟ ଶ୍ରମିକର ଅବାଧ୍ୟ ମନୋଭାବ ଯୋଗୁଁ ସଂଘର୍ଷ ସୃଷ୍ଟି ହୋଇଅଛି ବୋଲି ଅଭିଯୋଗ କରି ନିଜର ଦୋଷ ଓ ତ୍ରୁଟି ପ୍ରତି ନଜର ଦିଅନ୍ତି ନାହିଁ । ମାଲିକ ଏବଂ ଶ୍ରମିକ ପରସ୍ପରକୁ ଉତ୍ତମ ଭାବରେ ବୁଝିବାକୁ ଚେଷ୍ଟା କରି ସମସ୍ତ ସନ୍ଦେହର ମୂଳୋତ୍ପାଟନ କରିବା ଉଚିତ । ଏହାଦ୍ଵାରା ସୌହାର୍ଦ୍ଦ୍ୟ ସ୍ଥାପନ ହୁଏ । ଶ୍ରମିକ ଅଭାବଗ୍ରସ୍ତ ଏବଂ ଅଶିକ୍ଷିତ କିନ୍ତୁ ମାଲିକ ସାଧାରଣତଃ ଶିକ୍ଷିତ ଓ ବିଜ୍ଞ । ତେଣୁ ନିଜର ଶ୍ରମିକ ଗୋଷ୍ଠୀର ସୌହାର୍ଦ୍ଦ୍ୟ ଅକ୍ଷୁଣ୍ଣ ରଖିବାପାଇଁ ଚେଷ୍ଟା କରିବା ମାଲିକ ପକ୍ଷରେ ଅପେକ୍ଷାକୃତ ସହଜ । କେବଳ ଗୋଟିଏ କଥା ମନେରଖିବା ଉଚିତ ଯେ, କ୍ଷମତା ପ୍ରୟୋଗରେ ବା ଦାବି ଏଡ଼ିବାପାଇଁ ହିସାବକିତାବ ଦେଖାଇ, ଯୁକ୍ତି ବାଢ଼ିବାରେ, ସୌହାର୍ଦ୍ଦ୍ୟ ହାସଲ କରାଯାଏ ନାହିଁ । ହାସଲ କରାଯାଏ ଉଚିତ ମନୋଭାବରେ ।

Image

 

ଶିଳ୍ପ ଓ ଶ୍ରମିକ

 

ଉତ୍ପାଦନରୁହିଁ ସମୃଦ୍ଧିର ଜନ୍ମ । ଏହି ଉତ୍ପାଦନର ସାଧନ ହେଲା ଚାରିଗୋଟି ମାଲ୍—ପୁଞ୍ଜି, ଶ୍ରମ ଓ ବ୍ୟବସ୍ଥା । ଏହି ଚାରିଗୋଟି ସାଧନ ମଧ୍ୟରୁ ଦୁଇଟି ପ୍ରଧାନ, ପୁଞ୍ଜି ଏବଂ ଶ୍ରମ । ପୁଞ୍ଜି ମାଲ୍ କିଣିପାରେ, ଶ୍ରମିକ ଓ ବ୍ୟବସ୍ଥାପକ ନିଯୁକ୍ତ କରିପାରେ, ତେଣୁ ପୁଞ୍ଜି ସର୍ବମୟ କର୍ତ୍ତୃତ୍ୱ । ମାଲ୍ ନିର୍ଜୀବ, ତେଣୁ ପୁଞ୍ଜି ମାଲ୍‍କୁ ଯେପରି ବ୍ୟବହାର କରିପାରେ, ସେଥିରେ ମାଲ୍ ପ୍ରତିବାଦ କରିପାରିବ ନାହିଁ । କିନ୍ତୁ ସଚେତନ ଶ୍ରମିକ ଓ ବ୍ୟବସ୍ଥାପକ ସବୁ ସମୟରେ ପୁଞ୍ଜିର ମେରୀରାୟ ହୁଏତ ସ୍ୱୀକାର କରି ନ ପାରନ୍ତି । ତେବେ ଅନେକ ସମୟରେ ଯେ ପୁଞ୍ଜିର ମାଲିକ, ସେ ନିଜେ ବ୍ୟବସ୍ଥାପକ ହୋଇଥାଏ । ତେଣୁ କରି ବହୁ କ୍ଷେତ୍ରରେ ପୁଞ୍ଜି ଓ ବ୍ୟବସ୍ଥାପକ ମଧ୍ୟରେ ବିରୋଧ, ଉତ୍କଟ ହୁଏ ନାହିଁ । ଅସଲ ବିରୋଧ ହୁଏ ପୁଞ୍ଜିପତି ଓ ଶ୍ରମିକ ମଧ୍ୟରେ ।

 

ଶ୍ରମରୁହିଁ ପୁଞ୍ଜିର ଜନ୍ମ ଓ ବିକାଶ । ତେଣୁ ଶ୍ରମିକ କହେ, ଉତ୍ପନ୍ନ ସମୃଦ୍ଧିରେ ପୁଞ୍ଜିପତିର ଯେତିକି ଭାଗ, ତା’ର ମଧ୍ୟ ସେତିକି ଭାଗ ରହିଛି । ଉତ୍ପାଦନର ନିୟନ୍ତ୍ରଣରେ ତା’ର ମଧ୍ୟ ପ୍ରମୁଖ ଭାଗ ରହିବା ବିଧେୟ । ମାଲିକ ହୁଏତ ଶ୍ରମିକର ଏ ଆଶା ଓ ଆସ୍ପର୍ଦ୍ଧାଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।

 

ଏହି କୁଣ୍ଠାବୋଧ ଊନବିଂଶ ଶତାବ୍ଦୀର ଶ୍ରମିକ ସଙ୍ଗଠନକୁ ଜନ୍ମ ଦେଲା । ମାଲିକ ତରଫରୁ ଯଦି ଆରମ୍ଭରୁ ଶ୍ରମିକମାନଙ୍କ ପ୍ରତି ସହକର୍ମୀର ଆଦର ଦେଖା ଯାଇଥାନ୍ତା, ତାହାହେଲେ ମାଲିକ ଶ୍ରମିକ ସଂଘର୍ଷ ହୁଏତ କୌଣସି ଦିନ ତୀବ୍ର ହୋଇ ନଥାନ୍ତା; ଉତ୍ପାଦନ ଚିରଦିନ ଅବ୍ୟାହତ ରହିଥାନ୍ତା । ଦେଶର ସାମୂହିକ ସମୃଦ୍ଧି ବଢ଼ି ବଢ଼ି ଚାଲିଥାନ୍ତା । ପାରସ୍ପରିକ ସହୃଦୟତାର ଅଭାବରୁ ଯେତେବେଳେ ଔଦ୍ୟୋଗିକ ସମ୍ପର୍କ ତିକ୍ତତା ଉତ୍ପାଦନକୁ ବ୍ୟାହତ କଲା, ତାହା କେବଳ ମାଲିକର ସର୍ବନାଶ କରିବାକୁ ବସିଲା ନାହିଁ ଯେ ସମଗ୍ର ଦେଶର ସମୃଦ୍ଧିକୁ ବ୍ୟାହତ କରିବାକୁ ବସିଲା । ସେତେବେଳେ ଶିଳ୍ପପତି ଓ ଶ୍ରମିକ ମଧ୍ୟରେ ଐକାନ୍ତିକ ଅନୁରକ୍ତି ଆଣିବା ସକାଶେ ମାଲିକ ତଥା ଚିନ୍ତାଶୀଳ ଲୋକେ ଚେଷ୍ଟାବାନ୍ ହେଲେ । ପ୍ରୋତ୍ସାହୀ ମଜୁରୀ ନୀତି ଏଇ ଚେଷ୍ଟାର ଫଳ । କିନ୍ତୁ ପରେ ଦେଖାଗଲା, ଅର୍ଥ ଶ୍ରମିକର ଔଦ୍ୟୋଗିକ ଅନୁରକ୍ତିର ଏକମାତ୍ର ଆକର୍ଷଣ ନୁହେଁ, ତେଣୁ ଅର୍ଥ ସର୍ବାପେକ୍ଷା ଶକ୍ତିଶାଳୀ ଆକର୍ଷଣ ବୋଲି କହିବା, ସବୁ କ୍ଷେତ୍ରରେ ଠିକ୍ ହେବ ନାହିଁ । ଯାହା ଶ୍ରମିକର ମନ ଉପରେ ସର୍ବାପେକ୍ଷା ବେଶୀ ପ୍ରଭାବ ପକାଏ, ସେଇ ସେଇ ବସ୍ତୁ; ଶିଳ୍ପ ପ୍ରତି ଶ୍ରମିକର ଅନୁରକ୍ତି ସୃଷ୍ଟି କରିବାର ମୁଖ୍ୟ ଉପାଦାନ ହୁଏ । ଏହି ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶିଳ୍ପ ପ୍ରତି ଶ୍ରମିକ ମନରେ ସ୍ୱକୀୟତା ବା ଆତ୍ମୀୟତାବୋଧ ସୃଷ୍ଟି କରି ପାରିଲେ ଔଦ୍ୟୋଗିକ ଅନୁଷ୍ଠାନ ପ୍ରତି ତା’ର ଅନୁରାଗ ଅବିଚ୍ଛେଦ୍ୟ ରହିବ । ଏହି ସ୍ୱକୀୟତା ବା ଆତ୍ମୀୟତାବୋଧ ଶ୍ରମିକ ମନରେ ସୃଷ୍ଟି କରାଯିବ କିପରି ? ଏ ଉଦ୍ଦେଶ୍ୟରେ ଶିଳ୍ପରେ ଶ୍ରମିକର ଭାଗିଦାରୀ ଓ ନିୟନ୍ତ୍ରଣ ଅଧିକାର ଦିଓଟି, ପ୍ରଧାନ ଅବଲମ୍ବନ ବୋଲି ବିଚାର କରାଯାଇଥାଏ । ଶିଳ୍ପରେ ଶ୍ରମିକର ଭାଗିଦାରୀ ହୁଏତ ସମୟସାପେକ୍ଷ ହୋଇପାରେ, କନ୍ତୁ ଶିଳ୍ପ ନିୟନ୍ତ୍ରଣରେ, ଶ୍ରମିକର ସହଯୋଗ ଦିଗରେ କୌଣସି ପ୍ରତିବନ୍ଧକ ହୁଏତ ରହିବ ନାହିଁ । ପ୍ରଥମ ୟୁରୋପୀୟ ମହାଯୁଦ୍ଧ ସମୟରେ ଉତ୍ପାଦନର ବୃଦ୍ଧି ନିମନ୍ତେ ଶ୍ରମିକ ଓ ମାଲିକର ମଧୁର ସମ୍ପର୍କ ରକ୍ଷା କରିବାର ଉପାୟ ଚିନ୍ତା କରିବାପାଇଁ ୧୯୧୬ ମସିହା ମାର୍ଚ୍ଚରେ Whitley କମିଟି ଆହୂତ ହୋଇଥିଲା । ଏହି Whitley committee ପାଞ୍ଚଟି ରିପୋର୍ଟ ଦେଇଥିଲେ । ତନ୍ମଧ୍ୟରୁ ପ୍ରଥମଟି ପ୍ରଧାନ । ତାହା Whitley Report ନାମରେ ପ୍ରଖ୍ୟାତ । ଏହି ରିପୋର୍ଟରେ ଶ୍ରମିକ ଓ ମାଲିକ ମଧ୍ୟରେ ସ୍ଥାୟୀ ସୁସମ୍ପର୍କ ଆଣିବା ନିମନ୍ତେ, ଅର୍ଥ ଅପେକ୍ଷା ଅନ୍ୟ ଭିତ୍ତିର ଆଶ୍ରୟ ନେବାକୁ ପଡ଼ିବ ବୋଲି କମିଟି ସୁପାରିସ୍ କରିଥିଲେ ଏବଂ ଯେଉଁ ଶିଳ୍ପ, ଶ୍ରମିକର ଭାଗ୍ୟ ନିୟନ୍ତ୍ରଣ କରୁଛି, ସେ ଶିଳ୍ପର ଗତି ନିୟନ୍ତ୍ରଣ ପାଇଁ ସମସ୍ତ ଆଲୋଚନାରେ ଶ୍ରମିକର ମାଲିକ ସହିତ ସୁଯୋଗ ରହିବାରେ ଆବଶ୍ୟକତା, କମିଟି ଅନୁଭବ କରିଥିଲେ । ଏହି କମିଟିଙ୍କ ସୁପାରିସ୍ ଅନୁସାରେ ବିଭିନ୍ନ ଶିଳ୍ପପାଇଁ ଜାତୀୟ-ମିଳିତ-ଶିଳ୍ପ ସଭା ସୃଷ୍ଟି କରାହେଲା । ଏହି ଶିଳ୍ପ ସଭାଗୁଡ଼ିକରେ ଶ୍ରମିକ ଓ ମାଲିକଙ୍କର ପ୍ରତିନିଧିମାନେ ଏକତ୍ର ବସି ବିଭିନ୍ନ ବିଷୟରେ ଚର୍ଚ୍ଚା କରିବାପାଇଁ ବ୍ୟବସ୍ଥା ରହିଲା । ଏହି ସଭା ଧାରାବାହିକ ଭାବରେ ଆହୂତ ହୋଇ ଶ୍ରମିକମାନଙ୍କର ଅଭିଜ୍ଞତାର ଉପଯୋଗ କରିବା, ନିଯୁକ୍ତି ଓ ମଜୁରୀ ବିଷୟରେ ନିଷ୍ପତ୍ତି କରିବା, ବୈଜ୍ଞାନିକ ଶିକ୍ଷା ବିଷୟରେ ଯୋଜନା କରିବାପାଇଁ ସୁପାରିସ୍ କରିଥିଲେ । ଏହିଠାରୁ ଶିଳ୍ପ ସଂସ୍ଥାମାନଙ୍କରେ କାରଖାନା କମିଟିର ଉତ୍ପତ୍ତି ହୋଇଥିଲା । ଉତ୍ପାଦନ ପ୍ରଣାଳୀର ଉତ୍କର୍ଷ ସାଧନ, ଗବେଷଣା ଓ ପରିଚାଳନା ଇତ୍ୟାଦି ବିଷୟରେ ଶ୍ରମିକର ଅଭିଜ୍ଞତାକୁ ଗୁରୁତ୍ଵ ଦେବାକୁ ହୁଇଟ୍‍ଲେ କମିଟିଙ୍କର ସୁପାରିସ୍ ଥିଲା । କିନ୍ତୁ ବାସ୍ତବିକ ଖୁବ୍ ଅଳ୍ପସଂଖ୍ୟକ କାରଖାନା କମିଟି ଉତ୍ପାଦନର ଉତ୍କର୍ଷପାଇଁ ବିଶେଷ ମତାମତ ଦେଇପାରିଥିଲେ । ଶ୍ରମିକର ସ୍ୱାର୍ଥରକ୍ଷା ଦିଗରେ ଏଇ କାରଖାନା କମିଟିଗୁଡ଼ିକ ପ୍ରାୟ ମିଳାମିଶା ମନୋଭାବ ନେଇ ଚାଲୁଥିଲେ, ମାତ୍ର ସଫଳତା ଲାଭ କରି ପାରିଲେ ନାହିଁ । ଏଇ କମିଟିଗୁଡ଼ିକର ବିଫଳତାର ମୁଖ୍ୟ କାରଣ ହେଉଛି, ମାଲିକମାନେ ଶ୍ରମିକମାନଙ୍କୁ ଆଲୋଚନାରେ ସମାନ ଆସନ ଦେବାକୁ କୁଣ୍ଠିତ ହେଉଥିଲେ ଏବଂ ସେମାନେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ମାଲିକର ଖାସ୍ ବିଚାରର ବିଷୟ ରଖି, ସମସ୍ତ ବିଷୟ ଆଲୋଚନା ପାଇଁ କାରଖାନା କମିଟି ହାତକୁ ଛାଡ଼ି ଦେଉ ନଥିଲେ ।

 

ଭାରତବର୍ଷରେ ଏହି ଦୁଇଟିରେ କମିଟିର ଆଦର୍ଶରେ ୧୯୪୭ ମସିହାରେ ଶିଳ୍ପବିବାଦ ଆଇନରେ, ଶିଳ୍ପାନୁଷ୍ଠାନମାନଙ୍କରେ କାରଖାନା କମିଟି ଗଢ଼ିବାରେ ଆଇନଗତ ବ୍ୟବସ୍ଥା କରାଗଲା-। ବିଲାତରେ ଯେଉଁ କାରଣରୁ କାରଖାନା କମିଟି ପୂର୍ଣ୍ଣ ସାଫଲ୍ୟ ଲାଭ କରିପାରି ନଥିଲା, ଭାରତବର୍ଷରେ ସେହି କାରଣରୁ କେତେକ କାରଖାନାରେ, କାରଖାନା କମିଟି ଅତି ସୂଚାରୁରୂପେ କାର୍ଯ୍ୟ କରୁଥିଲେ ମଧ୍ୟ ବହୁକ୍ଷେତ୍ରରେ ବିଶେଷ କିଛି କାର୍ଯ୍ୟ କରି ପାରିଲା ନାହିଁ । କାରଖାନା କମିଟିର ନିଷ୍ପତ୍ତିରେ କୌଣସି ଆଇନଗତ ଅଧିକାର ନଥିବାରୁ ଏବଂ ଏହା ଅନେକ ସମୟରେ ଶ୍ରମିକ ସଂଘର ଆବଶ୍ୟକତାକୁ ଖର୍ବିତ(୧୪) କରୁଥିବା ହେତୁ କାରଖାନା କମିଟିଗୁଡ଼ିକ ପ୍ରତି ଶ୍ରମିକସଂଘର ବୈମନସ୍ୟ, ବିଫଳତାର କାରଣ । କାରଖାନା କମିଟିଗୁଡ଼ିକ ଏପର୍ଯ୍ୟନ୍ତ, ଏ ବିଷୟରେ ପ୍ରଥମ ଭାବୁକମାନଙ୍କର କଳ୍ପିତ ଲକ୍ଷ୍ୟରେ ଉପନୀତ ହୋଇ ପାରି ନଥିଲେ ମଧ୍ୟ ଦେଶ ବିଦେଶରେ ଔଦ୍ୟୋଗିକ ସମ୍ପର୍କର ସମାନତା ରକ୍ଷା କରିବା ଦିଗରେ ଏବଂ ଉତ୍ପାଦନରେ ଉତ୍କର୍ଷ ସାଧନପାଇଁ ଏକ ଉତ୍କୃଷ୍ଟ ପନ୍ଥା ବୋଲି ସାବ୍ୟସ୍ତ ହୋଇସାରିଛି । ଫ୍ରାନସ୍ ଓ ସୁଇଡ଼େନ ଦେଶରେ ବିଲାତ କିମ୍ବା ଭାରତବର୍ଷ ଅପେକ୍ଷା ବହୁତ ବିଷୟରେ ଆଲୋଚନା କରିବାପାଇଁ କାରଖାନା କମିଟିଗୁଡ଼ିକର ବୈଧାନିକ ଅଧିକାର ରହିଛି । ଏ ସମସ୍ତ ଦୃଷ୍ଟିରୁ କାରଖାନା କମିଟି ଅକାର୍ଯ୍ୟକାରୀ ବୋଲି ଭାବିବା ଭ୍ରମାତ୍ମକ ହେବ । ବର୍ତ୍ତମାନ କର୍ତ୍ତୃପକ୍ଷ କାରଖାନା କମିଟିଗୁଡ଼ିକ ଏକ ନୂତନ ଭିତ୍ତି ଉପରେ ଅବସ୍ଥାପିତ କରି, ତଦ୍ଦ୍ୱାରା ମଧୁର ଔଦ୍ୟୋଗିକ ସମ୍ପର୍କର ପ୍ରତିଷ୍ଠା, ଉତ୍ପାଦନର ଉତ୍କର୍ଷ ଓ ଶ୍ରମିକର ସମୃଦ୍ଧି ଆଣିବାପାଇଁ ଯତ୍ନଶୀଳ ହୋଇଛନ୍ତି ।

Image

 

ଔଦ୍ୟୋଗିକ ଗଣତନ୍ତ୍ର ଓ ଶ୍ରମିକ ସମାଜ

 

ଔଦ୍ୟୋଗିକ ଗଣତନ୍ତ୍ର ଦେଶରେ ଶ୍ରମିକ ସମାଜ ଶିଳ୍ପାନୁଷ୍ଠାନର କି କି ଘଟଣା ସହିତ ସମ୍ପୃକ୍ତ, ସେ ସମ୍ପର୍କରେ ସମ୍ୟକ୍ ଆଲୋଚନା ଏ ପ୍ରବନ୍ଧର ଉଦ୍ଦେଶ୍ୟ ।

 

ପ୍ରଥମେ ଔଦ୍ୟୋଗିକ ଗଣତନ୍ତ୍ରରେ, ଶ୍ରମିକମାନଙ୍କର ଶିଳ୍ପ ପ୍ରତିଷ୍ଠାନ, ଏହାର ଲାଭ, ଏହାର ଉତ୍ପାଦନ, ଏହାର ବଜାର ଓ ସର୍ବୋପରି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଏ ପ୍ରତିଷ୍ଠାନର ଉତ୍ପାଦିତ ବସ୍ତୁର ସ୍ଥାନ କିପରି ରହିଛି, ତାହା ଜାଣିବା ଏକାନ୍ତ ବାଞ୍ଛନୀୟ । ଯେଉଁ ଶିଳ୍ପ ପ୍ରତିଷ୍ଠାନ ଶ୍ରମିକମାନଙ୍କୁ ଏ ସବୁ ଜ୍ଞାତବ୍ୟ ବିଷୟରୁ ବଞ୍ଚିତ କରିବାକୁ ଚେଷ୍ଟା କରିବେ, ବୁଝିବାକୁ ହେବ ଯେ, ସେହି ଶିଳ୍ପ ପ୍ରତିଷ୍ଠାନର କର୍ତ୍ତୃପକ୍ଷମାନେ ଜାଣିଶୁଣି ଶ୍ରମିକମାନଙ୍କର ଏହି ଜ୍ଞାତବ୍ୟ ଦାବିଗୁଡ଼ିକୁ କ୍ଷୁଣ୍ଣ କରୁଛନ୍ତି । ଭାରତରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ଶ୍ରମିକଙ୍କର ସହଯୋଗ ସମ୍ପର୍କରେ କୁହାଯାଇପାରେ ଯେ, ବହୁ ପ୍ରତିଷ୍ଠାନର ମାଲିକମାନେ ଶ୍ରମିକମାନଙ୍କୁ କିମ୍ବା ଶ୍ରମିକ ନେତାମାନଙ୍କୁ ନିଜ ନିଜର ପ୍ରତିଷ୍ଠାନଗୁଡ଼ିକ ସମ୍ପର୍କରେ କୌଣସି ସ୍ଥୂଳ ଧାରଣା ଦେବାକୁ ଅମତ ହେଉଛନ୍ତି, ସୂକ୍ଷ୍ମ ଧାରଣା ତ ଚିନ୍ତାର ବାହାରେ । ଏହା ହେବାଦ୍ଵାରା ଶ୍ରମିକମାନଙ୍କ ମଧ୍ୟରେ ଅଯଥା ସନ୍ଦେହ ସୃଷ୍ଟି କରାଯାଉଛି ଏବଂ ଶ୍ରମିକ ମାଲିକର ସୁସମ୍ପର୍କ ବ୍ୟାହତ ହେଉଛି ।

 

ଦ୍ଵିତୀୟରେ ଔଦ୍ୟୋଗିକ ଗଣତନ୍ତ୍ରର ଦୃଷ୍ଟିକୋଣ ହେଉଛି ଯେ, ଶ୍ରମିକମାନେ ଅଧିକ ଉତ୍ପାଦନର ସୁଯୋଗ ହାସଲପାଇଁ ମାଲିକ ଏବଂ ଜନସାଧାରଣଙ୍କ ସହିତ ଅଂଶୀଦାର ରହିବେ । ଶିଳ୍ପ-ସମୃଦ୍ଧ ଦେଶ ଆମେରିକାରେ ଏ ପ୍ରକାର ମନୋଭାବକୁ ସ୍ଵାଗତ କରାଯାଇଛି, କିନ୍ତୁ ଭାରତବର୍ଷରେ ଠିକ୍ ଏହାର ଓଲଟା ଫଳ ଫଳୁଛି । ଏଠାରେ ଅଧିକ ଉତ୍ପାଦନର କଥାହିଁ କେବଳ କଥାରେ ରହିଯାଉଛି, କାର୍ଯ୍ୟକାରୀ ହୋଇ ପାରୁନାହିଁ । ଶ୍ରମିକମାନେ ଆମ ଦେଶରେ ଯେଉଁ ପରିବେଶରେ ରହିଛନ୍ତି, ମୁଖ୍ୟତଃ ସେହି ପରିବେଶରେ ସେମାନେ ଚିନ୍ତା କରୁଛନ୍ତି ଯେ, ଅଧିକା ଉତ୍ପାଦନ କହିଲେ ବହୁ ସମୟ ଧରି କଠିନ କାମ କରିବାକୁ ହେବ, ଅଥଚ ତା’ ତୁଳନାରେ ପ୍ରକୃତ ମଜୁରୀର କୌଣସି ବୃଦ୍ଧି ହେବ ନାହିଁ ।

 

ଯଦି ଆମ ଦେଶରେ ମାଲିକମାନେ ଶ୍ରମ-ସଙ୍ଗଠନ ସହିତ ସହଯୋଗ ରଖି ପ୍ରେରଣାମୂଳକ ଯୋଜନା ସୃଷ୍ଟି କରନ୍ତି, ଯାହାଦ୍ଵାରା କି ପରିଶେଷରେ ଅଧିକା ଉତ୍ପାଦନର ଏକ ଅଂଶ ଶ୍ରମିକମାନଙ୍କୁ ମିଳିପାରେ, ତାହାହେଲେ ଅଦୂର ଭବିଷ୍ୟତରେ ଶ୍ରମିକମାନଙ୍କର ଏ ପ୍ରକାର ମନୋଭାବ ଆସ୍ତେ ଆସ୍ତେ ଉଭେଇଯିବ ।

 

ତୃତୀୟରେ ଔଦ୍ୟୋଗିକ ଗଣତନ୍ତ୍ରର ଅନ୍ୟ ଏକ ଲକ୍ଷ୍ୟ ହେଉଛି, ଶ୍ରମିକମାନଙ୍କୁ ସକଳ ପ୍ରକାର ସ୍ୱାଧୀନତା ପ୍ରଦାନ କରିବା । ଶ୍ରମିକମାନେ ଚାହାନ୍ତି ସେମାନଙ୍କର ସଙ୍ଗଠନର ଦାବି, ସ୍ଵାଧୀନଭାବରେ ତାଙ୍କର କାର୍ଯ୍ୟ କ୍ଷେତ୍ରରେ ଓ କାର୍ଯ୍ୟର ବାହାରେ ମତ ପ୍ରକାଶର ସ୍ଵାଧୀନତା, ନିଜ ମନମୁତାବକ ରାଜନୈତିକ ସଭ୍ୟଙ୍କୁ ଭୋଟଦାନ ଇତ୍ୟାଦି । ଏହା ନିଶ୍ଚିତ କଥା ଯେ, ଶ୍ରମିକମାନେ ଏ ପ୍ରକାର ଅଧିକାରୀ ଓ ସ୍ୱାଧୀନତାର ଅପ-ପ୍ରୟୋଗ କରି ପାରନ୍ତି । କିନ୍ତୁ ଏ ପ୍ରକାର ଅପପ୍ରୟୋଗ ଗୋଟିଏ ବର୍ଦ୍ଧିଷ୍ଣୁ ଔଦ୍ୟୋଗିକ ଗଣତନ୍ତ୍ର ପକ୍ଷରେ ଏକ ଅଂଶ ବିଶେଷ କହିଲେ ଚଳେ-। ଶ୍ରମିକମାନଙ୍କ ମଧ୍ୟରେ କୌଣସି ପ୍ରକାର ସନ୍ଦେହ ବା ଆଶଙ୍କା ଯେପରି ନ ରହେ, ସେ ଅବସ୍ଥା ନିତାନ୍ତ ଆବଶ୍ୟକ । ଯେ ପର୍ଯ୍ୟନ୍ତ ଶ୍ରମିକମାନେ ନିଜ ସଙ୍ଗଠନ ଗଢ଼ିବାର ଦାବି ହାସଲ କରିପାରିଛନ୍ତି, ସେପର୍ଯ୍ୟନ୍ତ ଔଦ୍ୟୋଗିକ ଗଣତନ୍ତ୍ର ପରି କଳ୍ପନା ଅବାସ୍ତବ ଅଟେ । ବର୍ତ୍ତମାନ ସାଧାରଣ ଶ୍ରମିକଙ୍କର ସାମାଜିକ ଓ ମାନସିକ ଅବସ୍ଥାର ନିରାପତ୍ତା ରକ୍ଷାଲାଗି, ଭାରତରେ ବହୁ ଶିଳ୍ପପ୍ରତିଷ୍ଠାନରେ ବଳିଷ୍ଠ ଶ୍ରମସଙ୍ଗଠନର ଜରୁରୀ ଆବଶ୍ୟକତା ରହିଛି ।

 

କିଛିଦିନ ପୂର୍ବେ ଜଣେ ଶ୍ରମିକ ତା’ର ବହୁକୁଟୁମ୍ବ ପରିବେଷ୍ଟିତ ହୋଇ ନିଜର ଜାତି ଓ ଗୋଷ୍ଠୀ ମଧ୍ୟରେ ବାସ କରୁଥିଲା । ନିଜର ସ୍ତ୍ରୀ ପିଲାପିଲିଙ୍କୁ ଗାଁରେ ଛାଡ଼ି, ଯେତେବେଳେ ସେ ସହରକୁ ଖାଟିଣିରେ ବାହେଲ ଦେବାକୁ ଆସିଲା, ସେତେବେଳେ ସେ ସହରର ପରସ୍ପର ମଧ୍ୟରେ ପ୍ରତିଯୋଗିତାମୂଳକ ଆବହାୱାରେ ନିଜକୁ ଚଳାଇ ନେବାରେ ଅକ୍ଷମ ହେଲା ଏବଂ ଅଧିକାଂଶ ସମୟରେ ନିଜର ସୁବିଧା ସୁଯୋଗପାଇଁ ସେଇ ଗାଁ ମାଟିକୁ ଫେରିଯିବାର ପରିକଳ୍ପନା କଲା ।

 

ଏଣୁ ଏଥିରୁ ସ୍ପଷ୍ଟ ଯେ ଶ୍ରମିକ, ସହରରେ ତା’ର ପରିବାର ଓ ଜାତିଗତ ବିଭେଦତା ଦୃଷ୍ଟିରୁ ବିନା ନିରାପତ୍ତାରେହିଁ ତା’ର ଜୀବନ ଯାପନ କରିଥାଏ । ଏଠାରେ ସେ ମାଲିକର ଅଧିନରେ ରହେ, ଯେଉଁ ମାଲିକକୁ କି ବ୍ୟକ୍ତିଗତ ଭାବରେ ଜାଣିବାର ସୁଯୋଗ ନଥାଏ । ତେଣୁ ଏ ପରିସ୍ଥିତିରେ ଔଦ୍ୟୋଗିକ ଗଣତନ୍ତ୍ରର ବାତାରଣ ସୃଷ୍ଟି କରିବାକୁ ହେଲେ, ଗୋଟିଏ ବଳିଷ୍ଠ ଶ୍ରମସଙ୍ଗଠନର ଆବଶ୍ୟକତା ରହିଛି । ବଳିଷ୍ଠ ଶ୍ରମ ସଙ୍ଗଠନ ଯେ କେବଳ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା କରେ; ତାହା ନୁହେଁ, ବରଂ ଏହା ଶ୍ରମିକମାନଙ୍କର କାର୍ଯ୍ୟ ପରିସରର ଅପ୍ରଶସ୍ତ ମନୋବୃତ୍ତିକୁ ପ୍ରଶସ୍ତ କରାଇବାରେ ବିଶେଷ ସାହାଯ୍ୟ କରିଥାଏ । ଆହୁରି ମଧ୍ୟ ଶ୍ରମ ସଙ୍ଗଠନ ଶ୍ରମିକମାନଙ୍କୁ ଅଭିଯୋଗ ପ୍ରଣାଳୀ, ସଙ୍ଗଠନରେ ଦାୟିତ୍ଵପୂର୍ଣ୍ଣ ସଭ୍ୟ ହେବାର ନିୟମାବଳୀ, ସକ୍ରିୟ କର୍ମଦକ୍ଷତାର ପ୍ରୟୋଜନିୟତା, ଶିଳ୍ପାନୁଷ୍ଠାନ ସମସ୍ୟାରେ ଜାତୀୟ ସ୍ଵାର୍ଥର ପରିକଳ୍ପନା ପ୍ରଭୃତି ସମ୍ପର୍କରେ ବିଶେଷ ସାହାଯ୍ୟ କରିଥାଏ । ପୁଣି ଏଠାରେ ମନେରଖିବାକୁ ହେବ, ଯେତେବେଳେ ଜଣେ ମାଲିକ ତା’ର ପ୍ରତିଷ୍ଠାନର, ଉତ୍ପାଦନର ପ୍ରଶ୍ନ ଓ ଜାତୀୟସ୍ୱାର୍ଥ ସମ୍ପର୍କରେ ଭାଷଣ ପ୍ରଦାନ କରେ, ସେତେବେଳେ ଶ୍ରମିକ ତାହା ଶୁଣିବାକୁ ନାରାଜ ହୁଏ । କିନ୍ତୁ ଯେତେବେଳେ ତା’ର ସଙ୍ଗଠନ ଏହା ଶୁଣିବାକୁ ତାକୁ ନିର୍ଦ୍ଦେଶ ଦିଏ, ସେ ତାହା ସେତେବେଳେ ଶୁଣିଥାଏ । ତେଣୁ ଏଥିରୁ ବୁଝିବାକୁ ହେବ ଯେ, ଜଣେ ଶ୍ରମିକ ଜୀବନ ନିୟନ୍ତ୍ରଣରେ ଶ୍ରମସଙ୍ଗଠନର କି ପ୍ରକାର ଗୁରୁ କର୍ତ୍ତବ୍ୟ ରହିଛି ।

 

ପୁଣି କୁହାଯାଇପାରେ ଯେ, ଯେ ପର୍ଯ୍ୟନ୍ତ ଭାରତର ଶ୍ରମ ଆନ୍ଦୋଳନ ନୂତନ ଆକାର ଧାରଣ ନ କରିଛି ସେ ପର୍ଯ୍ୟନ୍ତ ଭାରତରେ ଶ୍ରମିକମାନେ ସତେଜ ଓ ସକ୍ରିୟ ହୋଇପାରିବେ ନାହିଁ-। ପ୍ରୟୋଜନୀୟତା ଦୃଷ୍ଟିରୁ ଶ୍ରମ ସଙ୍ଗଠନର ବହୁ ନେତା ବାହାର ଲୋକେ ।

 

ଐତିହାସିକ ପରମ୍ପରା ସହିତ ଭାରତର ସ୍ଵାଧୀନତା ସଂଗ୍ରାମ ଅଙ୍ଗାଅଙ୍ଗୀଭାବେ ଜଡ଼ିତ ହୋଇ ଆସିଛି । ଭାରତ ସ୍ଵାଧୀନ ହୋଇଛି ସତ, କିନ୍ତୁ ଭାରତରେ ଏପର୍ଯ୍ୟନ୍ତ ଏକ ବର୍ଦ୍ଧିଷ୍ଣୁ ଅର୍ଥନୈତିକ ମୂଳଦୁଆ ପଡ଼ିନାହିଁ, ଯାହାକି ଶ୍ରମିକଙ୍କର ବିଶ୍ୱସ୍ତତା ବଢ଼ାଇବାରେ ବିଶେଷ ସହାୟକ ହେବ । ସମୟର ଅଗ୍ରଗତି ସଙ୍ଗେ ସଙ୍ଗେ ଶ୍ରମ ଆନ୍ଦୋଳନର ନେତୃତ୍ଵହିଁ ଶ୍ରମିକମାନଙ୍କ ମଧ୍ୟରେ ଯେ ଆବଦ୍ଧ ରହିବ ଏହା ସ୍ଥିର ନିଶ୍ଚିତ କଥା । ଏହା ହୋଇପାରିଲେ, ଭାରତରେ ଏକ ବଳିଷ୍ଠ ଗଣତାନ୍ତ୍ରିକ ଏବଂ ଏକ ଆତ୍ମନିର୍ଭରଶୀଳ ଶ୍ରମ ଆନ୍ଦୋଳନ ଗଢ଼ି ଉଠିବ ।

Image

 

କୌଟିଲ୍ୟ ଅର୍ଥଶାସ୍ତ୍ରରେ ଶ୍ରମିକ ସମସ୍ୟା

 

ଆମ୍ଭମାନଙ୍କ ମଧ୍ୟରୁ ବହୁଲୋକ ମତ ପ୍ରଦାନ କରିଥାନ୍ତି ଯେ, ଶିଳ୍ପ ସମ୍ପର୍କ ଓ ଶ୍ରମ ସଙ୍ଗଠନ ଭାରତବର୍ଷରେ ଆଦୌ ପ୍ରଚଳିତ ନଥିଲା; କିମ୍ବା ଭାରତବର୍ଷ ତା’ର ନିଜର ଶ୍ରମ ସଂକ୍ରାନ୍ତୀୟ କୌଣସି ଆଇନକାନୁନ ପ୍ରଚଳନ କରାଇ ନଥିଲା । ଶ୍ରମ ଆଇନକାନୁନ, ଶିଳ୍ପ ସମ୍ପର୍କ ଓ ଶ୍ରମ ସଙ୍ଗଠନର ପ୍ରଚଳନ ବ୍ରିଟିଶ ଶାସକମାନଙ୍କର କରୁଣାର ଫଳ । ସେହିମାନେହିଁ ପ୍ରଥମେ ଶିଳ୍ପ-ସମ୍ପର୍କ ଓ ଶ୍ରମ ସଙ୍ଗଠନର ବାର୍ତ୍ତା ଏ ଦେଶରେ ଶୁଣାଇଲେ । ଯେଉଁମାନେ ଏହି ଉପରଲିଖିତ ମତବାଦଟି ପ୍ରଚାର କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ପ୍ରାଚୀନ ଭାରତର ଇତିହାସ ପୃଷ୍ଠାକୁ ଓଲଟାଇଲେ ଜଣାଯିବ ଯେ, ଶ୍ରମ-ସମ୍ପର୍କ ଓ ଶ୍ରମ ସଙ୍ଗଠନ କିପରିଭାବେ ଏ ଦେଶରେ ବିସ୍ତୃତି ଲାଭ କରିଥିଲା । ଦୁର୍ଭାଗ୍ୟର କଥା ଯେ, ଆଜି ସେ ପ୍ରାଚୀନ ଇତିହାସକୁ କେହି ତନଖି ତନଖି ଦେଖୁ ନାହାନ୍ତି । ତନଖି ତନଖି ଦେଖିଲେ ପ୍ରକୃତ ସତ୍ୟଟା ଆପେଆପେ ବାହାରି ପଡ଼ିବ । ଯଦି ଆମେ ପ୍ରାଚୀନ ଭାରତର ଶ୍ରମ ଆଇନକାନୁନଗୁଡ଼ିକ ଖିନ୍‍ଭିନ୍ କରି ଦେଖାଶୁଣା କରୁ, ତାହାହେଲେ ଆମେ ପରିଷ୍କାର ଜାଣିପାରିବୁ ଯେ, ସେ ସମୟରେ କିପରି ଶ୍ରମବିବାଦଗୁଡ଼ିକ ଅନୁସନ୍ଧାନ କରାଯାଇ, କିପରି ମୀମାଂସିତ ହେଉଥିଲା । ଯଦି ସେହି ପ୍ରାଚୀନ ଇତିହାସର ଗୋଟିଏ ଉଦାହରଣ ଏଠାରେ କୁହାଯାଏ, ତାହାହେଲେ ତାହା ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିବ । ତାହା ହେଉଛି, ଆମର ଦୁଇ ହଜାରବର୍ଷ ତଳର କୌଟିଲ୍ୟ ଅର୍ଥଶାସ୍ତ୍ର । ଏହି କୌଟିଲ୍ୟ ଅର୍ଥଶାସ୍ତ୍ରରେ ଶ୍ରମବିବାଦ, ଶ୍ରମସଙ୍ଗଠନ, ମଜୁରୀ ନିର୍ଦ୍ଧାରଣ, ଶ୍ରମ ବ୍ୟବସ୍ଥା, ଶ୍ରମ ସୁପରିଚାଳନା ପ୍ରଭୃତି ବିଶଦଭାବେ ବର୍ଣ୍ଣନା କରାଯାଇଅଛି ।

 

ବିବର୍ତ୍ତନ ସମୟରେ ମଜୁରୀ ନିର୍ଦ୍ଧାରଣ ସମସ୍ୟା ଯେପରିଭାବେ ଘନେଇ ଉଠୁଛି ଏବଂ ମଜୁରୀ ନିର୍ଦ୍ଧାରଣ ସମସ୍ୟା ଉପରେ ଯେପରି ଗୁରୁତ୍ଵ ଦିଆଯାଇଅଛି, କୌଟିଲ୍ୟଙ୍କ ସମୟରେ ମଧ୍ୟ ସେହିପରି ଗୁରୁତ୍ଵ, ଏହି ମଜୁରୀ ନିର୍ଦ୍ଧାରଣ ଉପରେ ଦିଆଯାଇଥିଲା । ବର୍ତ୍ତମାନ ଶ୍ରମବିବାଦଗୁଡ଼ିକ ଯେପରି ଭାବରେ ସମାଧାନରେ ପହଞ୍ଚିଅଛି, ସେହିପରି ଦୁଇହଜାର ବର୍ଷତଳେ କୌଟିଲ୍ୟଙ୍କ ସମୟରେ ମଧ୍ୟ ବିବାଦ ଉପୁଜୁଥିଲା ଓ ସମାଧାନ ହେଉଥିଲା । ଏ ସମ୍ପର୍କରେ କୌଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ କହିଛନ୍ତି ଯେ, ବିଭିନ୍ନ ଶ୍ରମ ବିବାଦଗୁଡ଼ିକର ସମାଧାନ କରିବାପାଇଁ ସେ ସମୟରେ ରାଜ୍ୟରେ ବିଚାରପତିମାନେ ନିଯୁକ୍ତ ହେଉଥିଲେ ଏବଂ ଶ୍ରମ ସମସ୍ୟାର ସମାଧାନ ଅତି ସୁନ୍ଦରଭାବେ କରୁଥିଲେ ।

 

ଶ୍ରମିକମାନଙ୍କ କାର୍ଯ୍ୟରେ ଅବହେଳା କିମ୍ବା ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରାନୁଯାୟୀ କାମ ବନ୍ଦ କରିବା ପ୍ରଭୃତି ବିଷୟରେ କୌଟିଲ୍ୟ ମତପ୍ରକାଶ କରିଅଛନ୍ତି ଯେ, ଶ୍ରମିକମାନଙ୍କର ଏହି ପ୍ରକାର ମନୋଭାବ ଦେଶ ଓ ଜାତି ପକ୍ଷରେ ଘୋର ନିନ୍ଦନୀୟ କଥା । କେବଳ ଏତିକି ନୁହେଁ, ଶ୍ରମିକମାନଙ୍କର ଏ ପ୍ରକାର ପନ୍ଥା ଗ୍ରହଣ ତାଙ୍କର ଭବିଷ୍ୟତ ଜୀବନ ପ୍ରତି ମାରାତ୍ମକ ଅଟେ । ତେଣୁ କୌଟିଲ୍ୟ ଏହି ପ୍ରକାର ଶ୍ରମିକମାନଙ୍କ ପାଇଁ କି ପ୍ରକାର ଦଣ୍ଡବିଧାନ ହେବା କଥା, ତାହା ତାଙ୍କର ଅର୍ଥଶାସ୍ତ୍ରରେ ବିଶଦ ଭାବରେ ଉଲ୍ଲେଖ କରିଛନ୍ତି । ପୁଣି ଯେତେବେଳେ ଜଣେ ମାଲିକ ଜଣେ ଶ୍ରମିକକୁ ବିନା କାରଣରେ କାର୍ଯ୍ୟରେ ଖଟାଇ ନାହିଁ ଏବଂ ଯେତେବେଳେ ଜଣେ ଶ୍ରମିକ ମାଲିକ ନିକଟରେ କାର୍ଯ୍ୟ କରିବାକୁ ରାଜି ହେଉ ନାହିଁ, ସେତେବେଳେ ମାଲିକ ଓ ଶ୍ରମିକ ଉଭୟଙ୍କୁ କି ପ୍ରକାର ଦଣ୍ଡ ଦେବାର କଥା, ତାହା ମଧ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ପୁଙ୍ଖାନୁପୁଙ୍ଖଭାବେ ଉଲ୍ଲେଖ ଅଛି । କୌଟିଲ୍ୟଙ୍କ ସମୟରେ ଶ୍ରମ ସଙ୍ଗଠନରେ ବିଚାରପତି ଓ ଶ୍ରମ ବିଚାରପତିମାନଙ୍କର ଅସ୍ତିତ୍ଵ, ବର୍ତ୍ତମାନ ଆମ୍ଭେମାନେ ଯେଉଁ ନାମକରଣରେ ଓ କାର୍ଯ୍ୟାନୁଷ୍ଠାନରେ ଦେଖୁଅଛୁ, ତାହା ସେପରି ନଥାଇ ଭିନ୍ନ ଆକାରରେ ଥିଲା ଓ ଭିନ୍ନ ଆକାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରୁଥିଲା । କୌଟିଲ୍ୟଙ୍କ ସମୟରେ ଶ୍ରମ ବିବାଦଗୁଡ଼ିକର କ୍ରିୟାନୁଷ୍ଠାନ ପ୍ରଣାଳୀ ଭାରି ସରଳ ଓ ବିଶେଷ ଫଳପ୍ରଦ ଥିଲା । ଊନବିଂଶ ଶତାବ୍ଦୀର ପ୍ରାକ୍କାଳରେ ଶିଳ୍ପ ସମ୍ପର୍କ କ୍ଷେତ୍ରରେ ମାନବିକ ସମ୍ପର୍କର ବାତାବରଣକୁ ତିଳତିଳ କରି ହତ୍ୟା କରାଯାଇଥିଲା ଏବଂ ସେ ସମୟରେ ଦରିଦ୍ର, ନିଃସ୍ଵ ଓ ଅସଂଗଠିତ ଶ୍ରମିକସମାଜକୁ କାରଖାନାମାନଙ୍କରେ ଘଣ୍ଟା ଘଣ୍ଟା ଧରି ଖଟା ଯାଉଥିଲା । ଖଟଣି ତୁଳନାରେ ଅଳ୍ପ ଦରମା ଦିଆଯାଉଥିଲା ଏବଂ ଶ୍ରମିକମାନଙ୍କୁ ସେ ସମୟରେ ଦୁର୍ଗନ୍ଧମୟ ସ୍ଥାନମାନଙ୍କରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା । ନାରୀ ଓ ଶିଶୁମାନଙ୍କୁ କଠିନ କାୟିକ ପରିଶ୍ରମ କରିବାକୁ ପଡ଼ୁଥିଲା ଏବଂ ସେମାନଙ୍କୁ ମଧ୍ୟ ବେଶୀ ରାତିଯାଏ କାରଖାନା କାର୍ଯ୍ୟରେ ଖଟାଯାଉଥିଲା । ମନୁଷ୍ୟ ପ୍ରତି ଏ ପ୍ରକାର ଅମାନୁଷିକ ରକ୍ତମାଂସ ଶୋଷଣର ପୂର୍ଣ୍ଣ ପରିଚୟ ୧୮୮୫ ମସିହାରେ ବମ୍ବେର ଲେବର କମିଶନରଙ୍କ ନିକଟରେ ପ୍ରଦାନ କରାଯାଇଥିବା ଗୋଟିଏ କାରଖାନାର ବିବରଣୀରେ ମାନେଜରଙ୍କ ସ୍ଵାକ୍ଷର ମିଳେ–ସେ ସମୟରେ ୪ଟି କପାଖାଇ ବିଶିଷ୍ଟ ଗୋଟିଏ କପାଖାଇ ଯନ୍ତ୍ର କାରଖାନା ଥିଲା; ଯାହାର କି କେବଳ ମାତ୍ର ୪ଟି ଦ୍ଵାର ଓ କୌଣସି ଝରକା ନଥିଲା । କାରଖାନାରେ ପାଣିର କୌଣସି ବ୍ୟବସ୍ଥା ନଥିଲା । ଏହି କାରଖାନାର କାର୍ଯ୍ୟ ସକାଳ ୪ଟାଠାରୁ ଆରମ୍ଭ ହୋଇ ଦିନ ମଧ୍ୟରେ କୌଣସି ସମୟରେ ସ୍ଥଗିତ ନ କରାଯାଇ ରାତ୍ରି ୮ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିଲା । ଜଣେ ଶ୍ରମିକଙ୍କୁ କିଛି ସମୟପାଇଁ କାର୍ଯ୍ୟରେ ଅବକାଶ ଦେବାରେ ଅନ୍ୟ ବଦଳି ଶ୍ରମିକ ନଥିଲା । ଯେଉଁ କେତୋଟି ମାତ୍ର ଶ୍ରମିକ ସେହି ସେହି କଳରେ ନିଯୁକ୍ତ ହୋଇଥାଆନ୍ତି, କେବଳ ସେହିମାନେହିଁ ଧାରାବାହିକଭାବେ ୮ଦିନ ପର୍ଯ୍ୟନ୍ତ କାମ କରନ୍ତି ଏବଂ ଯେତେବେଳେ ତାଙ୍କଦ୍ଵାରା ଆଉ କାମ ଚଳିବ ନାହିଁ ବୋଲି ମାଲିକ ବିଶ୍ୱାସ କରନ୍ତି, ସେତେବେଳେ ଯାଇଁ ଅନ୍ୟ ଦଳେ ଶ୍ରମିକଙ୍କୁ ସେ କାର୍ଯ୍ୟରେ ବାହେଲ କରାଯାଏ । ଅନ୍ୟ ଦଳ ଶ୍ରମିକ ଯେଉଁମାନେ କି, କାମ କରିବାକୁ ଆସନ୍ତି ସେମାନେ ଦିନ ୩ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ବିନା ଅବସରରେ ଖଟଣିରେ ଖଟିଥାଆନ୍ତି ଏବଂ ସେମାନଙ୍କୁ ଦିନକୁ କେବଳ ତିନି ଅଣା ବା ଚାରି ଅଣା ମାତ୍ର, ତାଙ୍କର ମଜୁରୀସ୍ଵରୂପ ଦିଆଯାଇଥାଏ ଏବଂ ବେଳେବେଳେ ଶ୍ରମିକମାନଙ୍କୁ ମାତ୍ର ଛଅ ପଇସା ବୋନସ୍ ଆକାରରେ ଦିଆଯାଏ । ସେତେବେଳକାର ଘଣ୍ଟା ଘଣ୍ଟା ଧରି ଖଟଣିରେ ଖଟାଇବା ମନୋବୃତ୍ତି, ଆଜିର ସମାଜ ଚଳଣିରେ ଉଭେଇଯାଇଛି ।

 

ଊନବିଂଶ ଶତାବ୍ଦୀ କିମ୍ବା ଅଷ୍ଟାଦଶ ଶତାବ୍ଦୀରେ ଶ୍ରମିକମାନଙ୍କର ଖଟଣି ବ୍ୟବସ୍ଥା ଓ ଶିଳ୍ପ ସମ୍ପର୍କ ତୁଳନାରେ ଚଳନ୍ତା ଶତାବ୍ଦୀର ଶ୍ରମିକ ବ୍ୟବସ୍ଥା ଓ ଶିଳ୍ପ ସମ୍ପର୍କ କଥାଟା ପୂରାପୂରି ଓଲଟପାଲଟ ଓ ଆକାଶପାତାଳ ପ୍ରଭେଦ । ତେଣୁ ଆଜିର ଶ୍ରମିକ ବନ୍ଧୁଗଣ ନିଜକୁ ନିଜେ ସମ୍ବର୍ଦ୍ଧନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ, ଏତିକି ମନେରଖିବା ଉଚିତ ଯେ, ତାଙ୍କପାଇଁ ଆଜି ନିର୍ଦ୍ଧାରିତ ଖଟଣିର ସମୟ ନିର୍ଦ୍ଧାରଣ କରାଯାଇଅଛି ଓ ଜାତୀୟ ସରକାର ସେମାନଙ୍କର ସକଳ ପ୍ରକାର ଉନ୍ନତି ଓ ଉପକାର ନିମନ୍ତେ ବିଭିନ୍ନ ପ୍ରକାର ଶ୍ରମ ଆଇନକାନୁନମାନ ପ୍ରସ୍ତୁତ କରିଛନ୍ତି ଓ କରୁଛନ୍ତି ମଧ୍ୟ ।

Image

 

ଶିଳ୍ପର ନିରାପତ୍ତା

 

ଯେତେବେଳେ ଆମେ ଔଦ୍ୟୋଗିକ ନିରାପତ୍ତାର କଥା କହିବସୁ, ସେତେବେଳେ ଆମ୍ଭମାନଙ୍କୁ ଏଇଆ ବିଚାର କରିବାକୁ ପଡ଼ିବ ଯେ, ଶିଳ୍ପକ୍ଷେତ୍ରରେ ବିପଦଆପଦ ପାଇଁ ବିଶେଷ ବ୍ୟବସ୍ଥା (ବିପଦଆପଦ କହିଲେ, ଦୁର୍ଘଟଣାଜନିତ ବିପଦ ଓ କାର୍ଯ୍ୟ ସମ୍ବନ୍ଧୀୟ ବିପଦଆପଦ) ଏବଂ ସବୁଠାରୁ ଉତ୍ତମରୂପେ କାର୍ଯ୍ୟରେ ଶାରୀରିକ ବ୍ୟବସ୍ଥା । ଉପରଲିଖିତ ଏଇକଥା କେତୋଟି ଶିଳ୍ପର ବଡ଼ବଡ଼ ମାନେଜରଙ୍କଠାରୁ ଆରମ୍ଭକରି ସବୁଠାରୁ କମ୍ ଦରମା ପାଉଥିବା ଶ୍ରମିକମାନେ ମଧ୍ୟ ମନେରଖିବା ଏକାନ୍ତ ବାଞ୍ଛନୀୟ ।

 

(୧) ଗୃହ ନିର୍ମାଣ–ଯେକୌଣସି ଶିଳ୍ପ ସ୍ଥାପନ କରିବାକୁ ହେଲେ ପ୍ରଥମେ ଗୃହ ନିର୍ମାଣର ଆବଶ୍ୟକତା ଅତି ଜରୁରୀ କଥା ପ୍ରଧାନ ଅଟେ । ତେଣୁ ଶିଳ୍ପ କାରଖାନା ପାଇଁ ନିର୍ମିତ ହେଉଥିବା ଗୃହ ଖୁବ୍ ମଜଭୁତ, ନିରାପଦ ତଥା କାରଖାନା ଚାଲୁ ହେଲାବେଳେ ତା’ର କମ୍ପନଦ୍ୱାରା ଗୃହଗୁଡ଼ିକ ଯେପରି ଭୁଶୁଡ଼ି ନ ପଡ଼େ ସେହିପରି ହେବା ଉଚିତ ।

 

(୨) ଯନ୍ତ୍ରପାତି ସ୍ଥାପନ–ଶିଳ୍ପ କାରଖାନା ପାଇଁ ଗୃହ ନିର୍ମାଣ ହୋଇ ସାରିଲା ପରେ, ୨ୟ କଥା ଯନ୍ତ୍ରପାତି ସ୍ଥାପନ । ଏହି ଯନ୍ତ୍ରପାତି ସ୍ଥାପନା କାର୍ଯ୍ୟଗୁଡ଼ିକୁ ଇଞ୍ଜିନିୟର୍‍ଙ୍କର ଉପରେ ବିଶ୍ୱାସର ସହିତ ନ୍ୟସ୍ତ କରିଦେବା ଉଚିତ, ଯେଉଁମାନେ କି ଏଇ ଯନ୍ତ୍ରପାତି ସ୍ଥାପନ କାର୍ଯ୍ୟକୁ ଏପରିଭାବେ ବ୍ୟବସ୍ଥା କରିବେ, ଯେଉଁଥିରେ କି କାର୍ଯ୍ୟର ସୁ-ଉତ୍ପାଦନ ପ୍ରଣାଳୀର ବ୍ୟବସ୍ଥା ହେବ ଏବଂ ଯେଉଁ ଶ୍ରମିକମାନେ ତାଙ୍କର ଅଧେ ଜୀବନ କାରଖାନାରେ ଅତିବାହିତ କରୁଛନ୍ତି, ସେମାନଙ୍କୁ ମଧ୍ୟ ସୁଖପ୍ରଦ ହେବ । ଏହାଛଡ଼ା ପ୍ରତ୍ୟେକ ମେସିନ୍ ଓ ମେସିନ୍ ମଧ୍ୟରେ ବିସ୍ତୃତ ଯାତାୟାତର ରାସ୍ତା ରହିବ ।

 

(୩) ଆଲୋକପାତ—ବିଦ୍ୟୁତ୍‍ର ଉତ୍ତମ ଓ ନିର୍ଦ୍ଦିଷ୍ଟ ଆଲୋକପାତହିଁ କାର୍ଯ୍ୟ ବ୍ୟବସ୍ଥାରେ ନିରାପତ୍ତା ଆଣିଥାଏ ଏବଂ ଶିଳ୍ପ କାରଖାନାମାନଙ୍କରେ ଦୁର୍ଘଟଣା ଦୂରୀକରଣରେ ବିଶେଷ ସହାୟତା କରିଥାଏ । ଆହୁରି ମଧ୍ୟ ଯେଉଁ କାରଖାନାଗୁଡ଼ିକରେ ପ୍ରାକୃତିକ ଆଲୋକର ବ୍ୟବସ୍ଥା କରାଯିବାର ସୁବିଧା ଅଛି, ସେଠାରେ କୃତ୍ରିମ ଆଲୋକକୁ ବାଦଦେବା ବାଞ୍ଛନୀୟ । ଯେଉଁ ଶକ୍ତିଶାଳୀ ଆଲୋକର ପ୍ରତ୍ୟକ୍ଷ ଶିକ୍ଷାଦ୍ଵାରା କାର୍ଯ୍ୟକରୁଥିବା ଶ୍ରମିକମାନଙ୍କର ଆଖି ଅନ୍ଧ ହୋଇଯିବାର ସମ୍ଭାବନା ଅଛି, ସେପରିସ୍ଥଳେ ଝରକା କିମ୍ବା ଲ୍ୟାମ୍ପମାନଙ୍କରେ ଆଚ୍ଛାଦନର ବ୍ୟବସ୍ଥା କରିବା ଉଚିତ । ଏ ସ୍ଥଳେ ବିଚ୍ଛୁରିତ ଆଲୋକ ଏକାନ୍ତ କାମ୍ୟ । କାର୍ଯ୍ୟସ୍ଥଳୀର ପ୍ରତ୍ୟେକ ସ୍ଥାନରେ ଏକପ୍ରକାର ଆଲୋକର ବ୍ୟବସ୍ଥା ହେବା ଉଚିତ, କିନ୍ତୁ କେତେକ ସ୍ଥଳରେ, ଯେଉଁଠାରେ ସୂକ୍ଷ୍ମାତିସୂକ୍ଷ୍ମ କାର୍ଯ୍ୟସବୁ ହେବ, ସେଠାରେ ଉଚ୍ଚ ଶକ୍ତି ବିଶିଷ୍ଟ ଆଲୋକପ୍ରଦାନ ବାଞ୍ଛନୀୟ । ଛାୟାପାତକୁ ଯେତେ ଦୂର କରାଯାଇପାରେ, ତାହା ଦୂର କରିବା ଉଚିତ । ତାହାହେଲେ ଶ୍ରମିକମାନେ ତାଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥାନକୁ ଉତ୍ତମରୂପେ ଦେଖିପାରିବେ ।

 

(୪) ବାୟୁ ସଞ୍ଚାଳନ—ଉତ୍ତମବାୟୁ ସଞ୍ଚାଳନ ଏ କ୍ଷେତ୍ରରେ ଅନ୍ୟ ଏକ ମୁଖ୍ୟ ଉତ୍ପାଦନ ଅଟେ । କାରଣ ଉତ୍ତମ ବାୟୁ ସଞ୍ଚାଳନଦ୍ଵାରାହିଁ ଶ୍ରମିକମାନଙ୍କର କ୍ଳାନ୍ତି ଅପନୋଦନ ହୋଇଥାଏ । ଏହା ପୁଣି ଦୁର୍ଘଟଣାକୁ ରୋକିବାରେ ବିଶେଷ ସାହାଯ୍ୟ କରେ । ଯେତେ ଦୂର ପାରାଯାଏ, ପ୍ରାକୃତିକ ବାୟୁ ସଞ୍ଚାଳନର ବ୍ୟବସ୍ଥା କରିବା ଉଚିତ । ଯଦି ଉତ୍ପାଦନ ପ୍ରଣାଳୀରେ, କେଉଁଠାରେ ପ୍ରାକୃତିକ ବାୟୁ ସଞ୍ଚାଳନରେ ବ୍ୟାଘାତ ସୃଷ୍ଟି ହେଉଥାଏ ସେପରିସ୍ଥଳେ ଅପ୍ରାକୃତିକ ବାୟୁ ସଞ୍ଚାଳନ ବ୍ୟବସ୍ଥା କରିବା ଉଚିତ । ପୁଣି ଏହି ଅପ୍ରାକୃତିକ ବାୟୁ ସଞ୍ଚାଳନ ଏପରି ହେବା ଉଚିତ, ଯାହାକି କାର୍ଯ୍ୟକ୍ଷେତ୍ରର ଖୁବ୍ ତଳ ସ୍ତରକୁ ଆସିପାରିବ ଏବଂ ଶ୍ରମିକମାନଙ୍କୁ ବିଶେଷ ଆରାମ ପ୍ରଦାନ କରି ପାରିବ ।

 

(୫) ଗୋଳମାଳ––କାର୍ଯ୍ୟସ୍ଥଳୀରେ ଯେପରି କୌଣସି ଗଣ୍ଡଗୋଳ ନହୁଏ, ତାହା ସର୍ବାଦୌ ଦୃଷ୍ଟିଦେବା ଉଚିତ ।

 

(୬) ରଙ୍ଗ–ଶାରୀରିକ ନିରାପତ୍ତା, ଦେଖାଚାହାଁ ତଥା ଟ୍ରେନିଙ୍ଗ୍ ବ୍ୟବସ୍ଥାପାଇଁ ଶିଳ୍ପାନୁଷ୍ଠାନମାନଙ୍କରେ ରଙ୍ଗ ପ୍ରୟୋଗଦ୍ଵାରା ଚମତ୍କାର ଫଳ ଫଳିଥାଏ । ଶିଳ୍ପମାନଙ୍କରେ ଏହି ରଙ୍ଗ ଲାଗୁକରଣ ଫଳରେ କାର୍ଯ୍ୟସ୍ଥଳୀର ଉନ୍ନତି ପରିବେଶ ସୃଷ୍ଟି କରେ ଓ ଦୁର୍ଘଟଣା ସଂଖ୍ୟାକୁ ହ୍ରାସ କରାଇବାରେ ସାହାଯ୍ୟ କରେ । ପୁଣି ସର୍ବୋପରି ଉତ୍ପାଦନ ବୃଦ୍ଧି କରାଏ ।

 

(୭) ଅଗ୍ନି ବାରଣ ବ୍ୟବସ୍ଥା—ଏହି ଅଗ୍ନିବାରଣ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଅଟେ । ପୁଣି ଲୁଗାକଳମାନଙ୍କରେ ଯେଉଁଠାରେ ସହଜ ବାହ୍ୟ ପଦାର୍ଥ କର୍ମସ୍ଥଳୀରେ ବ୍ୟବହୃତ ହୁଏ, ସେଠାରେ ଅଗ୍ନିବାରଣ ବ୍ୟବସ୍ଥା ଆହୁରି ଜରୁରୀ । ତେଣୁ ଅଗ୍ନିଜନିତ ଦୁର୍ଘଟଣାରୁ ରକ୍ଷା ପାଇବାକୁ ହେଲେ, ନିମ୍ନଲିଖିତ ବିଭାଗଗୁଡ଼ିକ ପ୍ରତି ଦୃଷ୍ଟିଦେବାକୁ ହେବ ।

 

(୧) ନିଆଁରୁ ରକ୍ଷାପାଇଁ ବହୁଳ ବ୍ୟବସ୍ଥା, (୨) ନିଆଁ ଲିଭାଇବାର ଯନ୍ତ୍ରପାତି, (୩) ନିଆଁଲାଗିଲେ ସତର୍କ ଘଣ୍ଟି (୪)ଏ ସମ୍ପର୍କୀୟ ଶିକ୍ଷା ଓ ଅନ୍ୟାନ୍ୟ ନିବାରଣ ପ୍ରଣାଳୀ ।

 

(୮) ଦୁର୍ଘଟଣା–ସାଧାରଣଙ୍କ ବିବେଚନାରେ ଦୁର୍ଘଟଣା କେବେ ହଠାତ୍ ଘଟେ ନାହିଁ । ଭଗବାନଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଯିବାହିଁ, ଦୁର୍ଘଟଣାର ସମ୍ମୁଖୀନ ହେବା । ଏହାହିଁ ସ୍ଥୂଳତଃ ସାଧାରଣରେ ମତାମତ ।

ମଣିଷଦ୍ଵାରାହିଁ ଦୁର୍ଘଟଣା ଅନେକାଂଶରେ ବିଫଳ ହୋଇଥାଏ । ଯନ୍ତ୍ରପାତିଦ୍ଵାରା ଯେ ଦୁର୍ଘଟଣା ଘଟେ, ଏହା କହିବା ସତ୍ୟ ନୁହେଁ । କିନ୍ତୁ ଯନ୍ତ୍ରପାତିଦ୍ଵାରା କ୍ଷତବିକ୍ଷତହିଁ ହୋଇଥାଏ । ଦୁର୍ଘଟଣା ସଦାସର୍ବଦାହିଁ ମଣିଷଦ୍ଵାରା ସଂଘଟିତ ହୋଇଥାଏ ।

ଜଣେ ଶ୍ରମିକ କିପରି ନିରାପଦ ନୀତିଗୁଡ଼ିକ କାରଖାନାରେ ପ୍ରଚଳିତ ହେବ ସେ ସଂକ୍ରାନ୍ତରେ କୌଣସି ଯୁକ୍ତି ବାଢ଼ିବାରେ କେବେ ଦେଖାଯାଏ ନାହିଁ, ବରଂ ତା’ର ପୂର୍ବ ଅଭ୍ୟାସ ଓ ପରମ୍ପରା ଅନୁଯାୟୀ ବିପଦପୂର୍ଣ୍ଣ ବାୟୁମଣ୍ଡଳରେ କାମ କରିଥାଏ । ଯେଉଁ ପରିଦର୍ଶକମାନେ ଶ୍ରମିକମାନଙ୍କ ସହିତ ମୂଳରୁ ସମ୍ପର୍କରେ ଆସୁଛନ୍ତି ଏବଂ ଯେଉଁମାନେ କି ଶ୍ରମିକମାନଙ୍କୁ ସବୁ କ୍ଷେତ୍ରରେ ପରାମର୍ଶ ଦେବାପାଇଁ ଉଦ୍ଦିଷ୍ଟ, ସେମାନେ ଶ୍ରମିକମାନଙ୍କୁ ନିରାପତ୍ତା ବିଷୟରେ ସଚେତନ ହେବାପାଇଁ ସବୁବେଳେ ପରାମର୍ଶ ଦେବା ଉଚିତ । ତେଣୁ କାରଖାନାର ସୁପରଭାଇଜର ଓ ଫୋର୍‍ମାନ୍ ନିରାପତ୍ତା ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବା ସର୍ବାଦୌ ବାଞ୍ଛନୀୟ ।

(୯) ଅନୁସନ୍ଧାନ—ଗୋଟିଏ ଦୁର୍ଘଟଣା ଘଟିଲେ, ପରେ ପରେ ତୁରନ୍ତ ଏହାର ଅନୁସନ୍ଧାନ କରିବା ଉଚିତ । ଅଧିକା°ଶ ସ୍ଥଳରେ ଏହା ଦେଖାଯାଏ ଯେ, ଦୁର୍ଘଟଣା ଘଟିବାର ବହୁତ ଦିନ ପରେ ଅନୁସନ୍ଧାନ କରାଯାଇଥାଏ । କିନ୍ତୁ ବହୁ ବିଳମ୍ବରେ ଅନୁସନ୍ଧାନ କରବା ପୂରାପୂରି ଅନୁଚିତ । ଏହା ଫଳରେ ଦୁର୍ଘଟଣାର ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକର ସାକ୍ଷ୍ୟ ପ୍ରଦାନ, ଗୋଳମାଳିଆ କରାହୋଇ ଯାଇଥାଏ । ତେଣୁ ବର୍ତ୍ତମାନ ପ୍ରଶ୍ନ ଏ ଦୁର୍ଘଟଣା ଅନୁସନ୍ଧାନ କରିବ କିଏ ? ସମସ୍ତଙ୍କ ଅପେକ୍ଷା କାରଖାନାର ସୁପରଭାଇଜର ବା ପରିଦର୍ଶକ ବିନାବିଳମ୍ବରେ ତୁରନ୍ତ ଦୁର୍ଘଟଣାର ବିବରଣୀ ପରିଦର୍ଶନ କରିବେ ଏବଂ ନିରାପତ୍ତା ଅଫିସର ଓ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବେ ଏବଂ ଏହି ଦୁର୍ଘଟଣା ସୁପରଭାଇଜରଙ୍କଦ୍ଵାରା ସମସ୍ତ ଦୃଷ୍ଟିରୁ ବିଚାର କରାଯାଇ ଅନୁସନ୍ଧାନ କରାଯିବା ଉରିତ ।

(୧୦) ଦୁର୍ଘଟଣା ନିରୋଧ—କାରଖାନାର ପ୍ରତ୍ୟେକ ଦୁର୍ଘଟଣା, କର୍ତ୍ତୃପକ୍ଷଙ୍କ ସୁପରିଚାଳନାରେ ଗୁରୁ ଅଭିଯୋଗ ଆଣିଥାଏ । କିନ୍ତୁ ସମସ୍ତ ଦୁର୍ଘଟଣା ଓ ଦୁର୍ଘଟଣା ସଂକ୍ରାନ୍ତୀୟ ଉପାଦାନଗୁଡ଼ିକୁ ନିରୋଧ କରାଯାଇପାରେ । ତେଣୁ ଦୁର୍ଘଟଣାଗୁଡ଼ିକ ନିରୋଧ କରିବାକୁ ହେଲେ, ନିମ୍ନଲିଖିତ ଉପାଦାନ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ ।

(୧) ଆଇନଗତ, (୨) ମାନବିକଗତ (୩) ଆବର୍ଜନା ନିରାକରଣ ।

(୧) ଆଇନଗତ—ଆଇନ ଅନୁଯାୟୀ କାରଖାନାର କର୍ତ୍ତୃପକ୍ଷ, ନିରାପତ୍ତା କାର୍ଯ୍ୟ ବ୍ୟବସ୍ଥାମାନ ବାଧ୍ୟତାମୂଳକଭାବେ ପାଳନ କରିବେ । ତେଣୁ ଯଦି କୌଣସି ସମୟରେ ଆଇନର ଖିଲାପ ଘଟୁଛି ବୋଲି କାରଖାନାର ଇନ୍‍ସପେକ୍ଟରମାନେ ପରିଦର୍ଶନ ସମୟରେ ଜାଣନ୍ତି, ତାହାହେଲେ ଆଇନାନୁଯାୟୀ ସେହି କାରଖାନାର ମାଲିକମାନଙ୍କୁ ଅଭିଯୁକ୍ତ ଓ ଦଣ୍ଡିତ କରିବାର ବ୍ୟବସ୍ଥା କରାଯାଇଛି ।

(୨) ମାନବିକଗତ—ଏହା ପ୍ରତ୍ୟେକ ମାଲିକର କର୍ତ୍ତବ୍ୟ ଯେ, ସେମାନେ ଯେଉଁମାନଙ୍କ ନିଯୁକ୍ତି ଦେଉଛନ୍ତି, ସେମାନେ ଯେପରି ନିଯୁକ୍ତିର ପର୍ଯ୍ୟାୟ ପରିସର ମଧ୍ୟରେ କୌଣସି ଦୁଃଖଦୈନ୍ୟ ମଧ୍ୟଦେଇ ନ ଯାଆନ୍ତି ।

 

(୩) ଆବର୍ଜନା ନିରାକରଣ–ଆବର୍ଜନାହିଁ ଦୁର୍ଘଟଣାରେ ତଥା ମାନବିକ ଶକ୍ତିରେ ଅପଚୟ ଆଣିଥାଏ ଏବଂ ଏହାଛଡ଼ା ମଧ୍ୟ ବିଶୃଙ୍ଖଳା ଓ ସମୟ ନଷ୍ଟର କାରଣ ହୋଇଥାଏ । ତେଣୁ ଯେତେଦୂର ପାରାଯାଏ ଦୁର୍ଘଟଣାଜନିତ କ୍ଷତିଗ୍ରସ୍ତ ହୋଇଥିବା ଆବର୍ଜନା ତୁରନ୍ତ ପରିଷ୍କାର କରିବା ଏକାନ୍ତ ବାଞ୍ଛନୀୟ ଅଟେ ।

 

(୧୧) ନିରାପତ୍ତାକମିଟି—ପ୍ରତ୍ୟେକ ଶିଳ୍ପାନୁଷ୍ଠାନମାନଙ୍କରେ ନିରାପତ୍ତା କମିଟିମାନ ସୃଷ୍ଟି ହେବା ଉଚିତ । ଚାକିରିକାରୀ ବିଚାର ଦୃଷ୍ଟିରେ ଯଦି ଜଣେ ଶ୍ରମିକ ଖୁବ୍ ଅଳ୍ପଦିନ ହେଲା ଚାକିରିରେ ଯୋଗ ଦେଇଥାଏ ଏବଂ ଏହି ନିରାପତ୍ତା କମିଟିକୁ ନିରାପତ୍ତା ବିଷୟକ କୌଣସି ପ୍ରସ୍ତାବ ପେଶ୍ କରେ, ତାହାହେଲେ ତାହା ଆନ୍ତରିକତାର ସହିତ ଗ୍ରହଣ କରାଯିବା ଉଚିତ ଏବଂ ସେଥିପାଇଁ କର୍ତ୍ତୃପକ୍ଷଙ୍କ ତରଫରୁ ସେହି ଶ୍ରମିକକୁ ବ୍ୟକ୍ତିଗତ ଭାବରେ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରିବା ଉଚିତ । ତେଣୁ ଏ କ୍ଷେତ୍ରରେ ଶ୍ରମିକଙ୍କଠାରୁ ପ୍ରତ୍ୟେକ ସହଯୋଗ ପାଇବାକୁ ହେଲେ, ପ୍ରସ୍ତାବ ବାକ୍‍ସମାନ ଶିଳ୍ପାନୁଷ୍ଠାନମାନଙ୍କରେ ରଖାଯିବା ବାଞ୍ଛନୀୟ । ପୁଣି ଶ୍ରମିକମାନଙ୍କଦ୍ଵାରା ଆସିଥିବା ଉତ୍ତମ ଓ ମୂଲ୍ୟବାନ ପ୍ରସ୍ତାବଗୁଡ଼ିକ ଲାଗି କର୍ତ୍ତୃପକ୍ଷଙ୍କ ତରଫରୁ ପୁରସ୍କାର ଦେବା ମଧ୍ୟ ବିଧେୟ ।

 

କାରଖାନାମାନଙ୍କରେ ବିଶ୍ୱ ସପ୍ତାହ ପାଳନ ପରିବର୍ତ୍ତେ ପ୍ରତ୍ୟେକ ଘଣ୍ଟା, ପ୍ରତ୍ୟେକ ଦିନ, ପ୍ରତ୍ୟେକ ସପ୍ତାହ, ପ୍ରତ୍ୟେକ ମାସ ଏବଂ ପ୍ରତ୍ୟେକ ବର୍ଷ କାରଖାନାର ନିରାପତ୍ତା ଘଣ୍ଟା, ଦିନ, ସପ୍ତାହ, ମାସ ଏବଂ ବର୍ଷରୂପେ ପାଳନ କରିବା ଉଚିତ ।

Image

 

ସମାଜ ଓ ଶ୍ରମିକ

 

ସମାଜକୁ ବଞ୍ଚାଇ ରଖିବାକୁ ଉତ୍ପାଦନ ଲୋଡ଼ା । ସଭ୍ୟତାର ଓଲଟପାଲଟ ଫଳରେ ବର୍ତ୍ତମାନ ଯନ୍ତ୍ରଯୁଗ ଆସିଛି । ଉତ୍ପାଦନ ଆଜି ମନୁଷ୍ୟ ଏକାଏକା କରୁନାହିଁ । ଯନ୍ତ୍ର ଓ ମନୁଷ୍ୟ ମିଶି ଉତ୍ପାଦନ କରୁଛନ୍ତି । କଳ ଓ ମନୁଷ୍ୟ ଉତ୍ପାଦନ କରୁଥିଲେ ମଧ୍ୟ, କଳ ଓ ମନୁଷ୍ୟ ଭିତରେ ଯଥେଷ୍ଟ ପ୍ରଭେଦ ରହିଛି । ଏହା ହେଲେ ସୁଦ୍ଧା ମନୁଷ୍ୟ କେତେବେଳେ କଳ ନୁହେଁ କି, କଳ କେତେବେଳେ ମନୁଷ୍ୟ ନୁହେଁ । ଅତ୍ୟଧିକ ବ୍ୟବହାର କଳକୁ ଅକାଳରେ ଅକାମୀ କରେ । ଠିକ୍ କଳ ଭଳି ମନୁଷ୍ୟ ମଧ୍ୟ ଅତ୍ୟଧିକ ପରିଶ୍ରମ ଯୋଗୁଁ ଅକାଳରେ ବେକାମୀ ହୋଇଥାଏ । ମନୁଷ୍ୟ ଓ କଳ ଏହି ଉଭୟଙ୍କର କ୍ଷୟ ମଧ୍ୟରେ ମଧ୍ୟ ପାର୍ଥକ୍ୟ ଅଛି । ଅକାମୀ ଯନ୍ତ୍ରସ୍ଥାନରେ ଠିକ୍ ପରମୁହୂର୍ତ୍ତରେ ଅନ୍ୟ ଏକ ଠିକ୍ କାମିକା ଯନ୍ତ୍ର ଲଗାଇ ହେବ, କିନ୍ତୁ ଅକାମୀ ମନୁଷ୍ୟର କ୍ଷତିପୂରଣ କରିବା ବଡ଼ କାଠିକର ପାଠ ।

 

ଯନ୍ତ୍ରର ପ୍ରାଣ ନାହିଁ, ଅନୁଭୂତି ନାହିଁ, କିନ୍ତୁ ମନୁଷ୍ୟର ପ୍ରାଣ ଅଛି ଓ ଅନୁଭୂତି ଅଛି । ତେଣୁକରି ଅପବ୍ୟବହାରରେ କେବଳ ଏହି ଅତିମାତ୍ର କ୍ଷୟ ବ୍ୟତୀତ, ଅଧିକ କିଛି ଗଣ୍ଡଗୋଳ ହୁଏ ନାହିଁ । ଅନୁଭୂତିପ୍ରବଣ ମନୁଷ୍ୟର କ୍ଷୟ, ସମଗ୍ର ସମାଜରେ ଆନ୍ଦୋଳନ ଆଣିଥାଏ । ଏହା ମାଲିକ ଶ୍ରମିକ ସମ୍ପର୍କରେ ଅଧିକ ପ୍ରଣିଧାନର ବିଷୟ । ଆଜି ଯଦି ଉତ୍ପାଦନର ବୃଦ୍ଧି କରିବା ସଙ୍ଗେ ସଙ୍ଗେ, ମାନବ ସମାଜର କୃଷ୍ଟି ଓ ସୁସ୍ଥ ମନ-ପ୍ରାଣକୁ ଅବ୍ୟାହତ ରଖିବାପାଇଁ ହୁଏ, ଜଗତର ପ୍ରତ୍ୟେକ ଉତ୍ପାଦନ କ୍ଷେତ୍ରରେ ଏହି ଅନୁଭୂତିଶୀଳ ମନୁଷ୍ୟ ପ୍ରତି ସର୍ବାଦୌ ଧ୍ୟାନ ଦେବା ଉଚିତ । ଯନ୍ତ୍ରକୁ ଯେଉଁ ଆଡ଼େ ଚଳାଇବ, ଯନ୍ତ୍ର ସେଇଆଡ଼େ ଚାଲିବ, କିନ୍ତୁ ମନୁଷ୍ୟର ଦେହ, ତା’ର ମନର ଅଧୀନ । ତେଣୁ ମନୁଷ୍ୟର ଦେହ ଉପରେ ଯଥେଚ୍ଛା ଉତ୍ପାତ କରି ବସିଲେ, ତା’ର ମନ ଅଧୀନ ଦେହ ହୁଏତ; ସହ୍ୟ କରିବାକୁ ପ୍ରସ୍ତୁତ ହେବ ନାହିଁ, ବରଂ ବିଦ୍ରୋହ କରିବ । ସେହି ବିଦ୍ରୋହ, ସକଳ ସୁସ୍ଥ ସୃଷ୍ଟିର ଅନ୍ତରାୟ ହେବ । ଶିଳ୍ପକ୍ଷେତ୍ରରେ ଏ କଥା କେହି ଯେପରି ଭୁଲି ନ ଯାଏଁ । ଏ ସମସ୍ତ ବିଷୟ ମଧ୍ୟରେ ପରିବେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶ୍ରମିକ ତା’ର କର୍ମଭୂମିକୁ ଆସିବା ପୂର୍ବରୁ ଯେଉଁ ପରିବେଶ ମଧ୍ୟରେ ତା’ର ଦେହ ମନ ଗଢ଼ି ଉଠିଲା, ସେହିକଥା ଖୁବ୍ ସାବଧାନ ସହିତ ଚିନ୍ତା କରିବା ଦରକାର । କର୍ମକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଶ୍ରମିକର ମନ ଯଦି ଆଲୋଡ଼ିତ ଅବସ୍ଥାରେ ଥାଏ, ସେ ଆଦୌ ଉତ୍ପାଦନ କରିପାରିବ ନାହିଁ । ସେ ଅବସ୍ଥାରେ ତାକୁ କାର୍ଯ୍ୟରେ ନିଯୁକ୍ତ କରିବାଦ୍ଵାରା ତା’ର ସ୍ଵାସ୍ଥ୍ୟ ଓ ଜୀବନ ଉପରେ ଆଘାତ ଆସିବ । କର୍ମକ୍ଷେତ୍ରର ପରିବେଶରେ ତା’ର କାର୍ଯ୍ୟ କରିବାର ପ୍ରବୃତ୍ତି କେତେ ଦୂର ଚଞ୍ଚଳ ବା ଶିଥିଳ ହେଉଛି, ତାହା ମଧ୍ୟ ଲକ୍ଷ୍ୟ କରିବାର କଥା-। ଦୈନିକ କାର୍ଯ୍ୟ ଶେଷରେ ଶ୍ରମିକ ବିଶ୍ରାମ ପାଉଛି, ନା ତେଲ ଲୁଣ, କାଠ ଚିନ୍ତାରେ ତା’ର କର୍ମକ୍ଳାନ୍ତ ଦେହ ଓ ମନ ଦିନୁଦିନ ଅବଶରୁ ଅବଶତର ହୋଇଯାଉଛି, ତାହା ମଧ୍ୟ ଦେଖିବାର ବିଷୟ । ଶ୍ରମିକ ନିଜର ଭରଣପୋଷଣ ପାଇଁ ଯନ୍ତ୍ର ସାଙ୍ଗରେ ଯନ୍ତ୍ର ହୋଇ ଯାଉଛି, ନା ତାହାର କୃଷ୍ଟିଗତ ବିକାଶ ହେଉଛି ? କାରଣ ଏହି କୃଷ୍ଟି ସମାଜର ଭବିଷ୍ୟତ ଉତ୍ପାଦନ, ଭବିଷ୍ୟତ ସମୃଦ୍ଧିର ସର୍ବାପେକ୍ଷା ଶକ୍ତିଶାଳୀ ଉତ୍ପାଦନା ତେଣୁ ରାତି ପହିଲାଠାରୁ ପୁଣି ଶୋଇବାକୁ ଯିବା ପର୍ଯ୍ୟନ୍ତ ପ୍ରତି ପଦେପଦେ କେଉଁ ପରିବେଶ, ଶ୍ରମିକମାନଙ୍କୁ କିପରି ପ୍ରବାହିତ କରୁଛି, ଏହା ଲକ୍ଷ୍ୟକରି ତା’ର ଉପଯୁକ୍ତ ପ୍ରତିକାର କରିବା ମାଲିକ ତଥା ସରକାରଙ୍କର କର୍ତ୍ତବ୍ୟ । ଏହିପରିଭାବେ ଶ୍ରମିକଙ୍କୁ ଚିହ୍ନିବାକୁ ହେବ, ଶ୍ରମିକର କଥା କହିବାକୁ ହେବ ଓ ଶ୍ରମିକର କଥା ଶୁଣିବାକୁ ହେବ ।

 

ବଡ଼ ସାବଧାନ ହେବାକୁ ହେବ–“ସବାର ଉପରେ ମାନୁଷ ସତ୍ୟ, ତା’ର ଉପରେ ନେଇଁ ।” ଦୁଇଟି କଥା ନୀତି ଓ ମାନବିକତାକୁ ପୁଣି ବୁଝିବାକୁ ହେବ ।

 

ନୀତି ଅର୍ଥ ରାଜନୀତି ହେଉ, ଧର୍ମନୀତି ହେଉ, ସେ ଏକପ୍ରକାର ଆଦର୍ଶବାଦ, କିନ୍ତୁ ଆଦର୍ଶ ଓ ବାସ୍ତବ ମଧ୍ୟରେ ସାମଞ୍ଜସ୍ୟ ନ ରହି ଯଦି ସଂଘାତ ଆସେ, ତେବେ ସେ ଆଦର୍ଶବାଦ ଲୋପ ପାଏ । ଯାହା ଅକୃତ୍ରିମ, ତାକୁ ଆମେ ଅସଭ୍ୟ କହୁ, ଅମାର୍ଜିତ କହୁ, କିନ୍ତୁ ଆମେ ଯାହା କହୁନା କାହିଁକି, ସେ ଯୁଗେଯୁଗେ ତା’ର ଆତ୍ମପ୍ରକାଶ କରିବ । ରାଜନୀତି ବା ଅର୍ଥନୀତିର ଆଦର୍ଶବାଦ ନେଇ ମନୁଷ୍ୟ ଶ୍ରମିକକୁ ଖେଳଘର କୁଣ୍ଢାଇ କରିବାକୁ ହେବ ନାହିଁ । ଶ୍ରମିକ ତା’ର ଦେହକୁ ଜାଣେ, ମନକୁ ଜାଣେ, ଅଭାବ ଅନୁଯୋଗ ଜାଣେ । ଯେକୌଣସି ଆଦର୍ଶବାଦଠାରୁ ତା’ର ଦେହ, ତା’ର ମନ, ତା’ର ଅଭାବ, ତା’ର ଅନୁଯୋଗ, ତା’ର ପରିବାରର ହର୍ଷ ବିଷାଦ, ତା’ର ନିଜର ଆତ୍ମସମ୍ମାନ ଓ ଉଚ୍ଚାକାଂକ୍ଷା ସବୁଠାରୁ ତା’ର ବେଶି ଆପଣାର–ଏ କଥା ଯେପରି କୌଣସି ଆଦର୍ଶବାଦୀ ଭୁଲି ନ ଯାଏଁ । ଆଜି ପରିବାରର ହସ ଓ କାନ୍ଦ, ଆଜିର ଏଇ ଧନ ଦେବତାର ଯୁଗରେ ବେଶୀ ଧନଦ୍ଵାରାହିଁ ନିୟନ୍ତ୍ରିତ ହୁଏ । ଆଜିକାଲିକାର ସୁଖସ୍ଵାଚ୍ଛନ୍ଦ୍ୟର ମାପକାଠି ହେଉଛି ଧନ । ସମାଜରେ ଆପେକ୍ଷିକ ଦୃଷ୍ଟିକୋଣ, ମନର ସୁଖସ୍ଵାଚ୍ଛନ୍ଦ୍ୟକୁ ଅଧିକ ପ୍ରଭାବିତ କରୁଛି । ତେଣୁ ଉତ୍ପାଦନର ଅପରିହାର୍ଯ୍ୟ ଅଂଶ ଶ୍ରମିକକୁ ସକଳ ବିକ୍ଷୋଭର ଦୂରରେ ଶାନ୍ତ ସନ୍ତୁଷ୍ଟଭାବେ ରଖିବାକୁ ହେବ ଏବଂ ତା’ର ମନରେ ଯେପରି କୌଣସି ପ୍ରକାର ଦୀନତା ସ୍ଥାନ ନ ପାଏ, ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ହେବ । ଏହି ସବୁ ସମସ୍ୟାଗୁଡ଼ିକର ସମାଧାନ ହେଉଛି ଆୟ ବୈଷମ୍ୟର ସମୀକରଣ ଯେତେ ଦୂର କରାଯାଏ । ଶ୍ରମିକର ଆୟ ଉପରକୁ ଉଠାଇନେବାକୁ ହେବ, ଯେପରି ଯୋଗ୍ୟଲୋକର ମନରେ କୌଣସି ସମୟରେ ଧାରଣା ନ ଆସେ ଯେ, ସେ ତା’ର ପ୍ରାପ୍ୟରୁ ବଞ୍ଚିତ-। ଶ୍ରମିକ ମନରେ ଏପରି ଭାବନା ସ୍ଥାନ ପାଇଲେ ଉତ୍ପାଦନ ଯେ ଶିଥିଳ ହୋଇଯିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଯେ ଯୋଗ୍ୟ ହେଲା ତା’ର ଯୋଗ୍ୟତାକୁ ଅସ୍ଵୀକାର କରିବାହିଁ ଶିଳ୍ପକ୍ଷେତ୍ରରେ ଅସନ୍ତୋଷ ବଢ଼ାଇବା ।

 

ପୁଞ୍ଜି କଥା ଭୁଲିଯିବାକୁ ହେବ ନାହିଁ । ବର୍ତ୍ତମାନ ସମୟରେ ପୁଞ୍ଜି ଯାହା ହାତରେ ଥାଉନା କାହିଁକି, ତାହା ଯେ ଆଜି ଶ୍ରମିକକୁ କାମ ଯୋଗାଏ, ଏହା ନିଶ୍ଚିତ କଥା । ଶ୍ରମିକର ଶ୍ରମ ନେଇ ପୁଞ୍ଜି ବିଶାଳ ବରଗଛ ପରି ନିଜର କାୟା ବିସ୍ତାର କରି ଚାଲିଲାବେଳେ ଶ୍ରମିକମାନକୁ ଯେ ଆଶ୍ରୟ ଓ ଛାୟା ଦେଇଥାଏ, ସେ କଥାକୁ କେହି ଅସ୍ୱୀକାର କରି ପାରିବ ନାହିଁ । ପୁଞ୍ଜିକୁ ମାରିଦେବା ଅପେକ୍ଷା ଆପଣାର କରିପାରିଲେ, ପୁଞ୍ଜିର କଲ୍ୟାଣ ଓ ଦୁନିଆର କଲ୍ୟାଣ ।

 

ମାଲିକ ଓ ଶ୍ରମିକ ଶିଳ୍ପର ଏକ ଅଙ୍ଗ । ପ୍ରତ୍ୟେକେ ପ୍ରତ୍ୟେକର ଉନ୍ନତି ଚାହିଁଲେ, ପରସ୍ପର ପ୍ରତି ସମ୍ମାନ ଦେଖାଇବା ଉଚିତ । ପୁରାକାଳର ମାଲିକ ଓ ଶ୍ରମିକର ବ୍ୟବଧାନ, ଆସ୍ତେ ଆସ୍ତେ ଦୂର ହୋଇ ଯାଉଛି । ଯେଉଁ କେତେକ ବ୍ୟବଧାନ ଅଛି, ତାହା କାଳକ୍ରମେ ଦୂର ହୋଇଯିବ ଓ ମାଲିକ ଶ୍ରମିକ ହାତ ମିଳାଇ ସମାଜର ହିତଦୃଷ୍ଟିରୁ ଦେଶର ଉତ୍ପାଦନ ବଢ଼ାଇ ଜନକଲ୍ୟାଣ ସାଧନ କରିବେ ।

Image

 

ଶିଳ୍ପ କ୍ଷେତ୍ରରେ କ୍ଳାନ୍ତି ଓ ବିଶ୍ରାମ

 

ବହୁ ସମୟ ଧରି ଏକକାଳୀନ କାମ କରିବା ପରେ ଜଣେ ଶ୍ରମିକର ଦେହର ଅବସ୍ଥାରେ ଯେଉଁ ପରିବର୍ତ୍ତନ ଆସେ ଓ ତା’ର ଯେତେବେଳେ ଉତ୍ପାଦନ ଶକ୍ତିର ବିଶେଷ ହ୍ରାସ ଘଟେ, ଶ୍ରମିକର ସେହି ଅବସ୍ଥାକୁ ଶୈଳ୍ପିକ କ୍ଳାନ୍ତି ବୋଲି ସାଧାରଣତଃ ବୁଝା ଯାଇଥାଏ । ତେଣୁ ଶୈଳ୍ପିକ କ୍ଳାନ୍ତିର ସଂଜ୍ଞା ନିରୂପଣ କରିବାକୁ ଗଲାବେଳେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଶ୍ରମିକର ମନ ଓ ପ୍ରାଣରେ କୌଣସି ପରିବର୍ତ୍ତନ ଘଟିବା ଫଳରେ ଯଦି ତାହା ଉତ୍ପାଦନରେ ହ୍ରାସ ଘଟାଏ, ତେବେ ତାହାକୁ ଶୈଳ୍ପିକ କ୍ଳାନ୍ତି ବୋଲି ଧରିନେବାକୁ ହୋଇଥାଏ ।

 

କ୍ଳାନ୍ତି ସାଧାରଣତଃ ତିନିପ୍ରକାର । ସେଗୁଡ଼ିକ ହେଲା–(୧) ଦୈହିକ କ୍ଳାନ୍ତି, (୨) ମାନସିକ କ୍ଳାନ୍ତି, (୩) ଶୈଳ୍ପିକ କ୍ଳାନ୍ତି । ଆମର ଆଲୋଚନା ସ୍ତରରେ ଆମେ ଦୈହିକ କ୍ଳାନ୍ତ ଓ ମାନସିକ କ୍ଳାନ୍ତି ସହିତ ସମ୍ପୃକ୍ତ ନୋହୁଁ । ଏ ହେଲେ ମଧ୍ୟ, ଶୈଳ୍ପିକ କ୍ଳାନ୍ତି କଥାଟା ଯେ ଦୈହିକ କ୍ଳାନ୍ତି ଓ ମାନସିକ କ୍ଳାନ୍ତିଠାରୁ ସଂଜ୍ଞାରେ ପୂରାପୂରି ଭିନ୍ନ ତା’ବି ନୁହେଁ; ବରଂ ଔଦ୍ୟୋଗିକବା ଶୈଳ୍ପିକ କ୍ଳାନ୍ତି ହେଉଛି, ଦୈହିକ ଓ ମାନସିକ କ୍ଳାନ୍ତିର ଏକ ସମନ୍ଵୟ ମାତ୍ର ।

 

ବୈଜ୍ଞାନିକ ପରୀକ୍ଷା ଓ ପ୍ରଣାଳୀଦ୍ଵାରା ଉତ୍ପାଦନ ହ୍ରାସର କାରଣ ଦର୍ଶାଇ ବିଶେଷଜ୍ଞମାନେ କହୁଛନ୍ତି ଯେ, ଯେତେବେଳେ ଶ୍ରମିକର ଦେହ କିମ୍ବା ମାଂସପେଶୀ କାର୍ଯ୍ୟରେ ବହୁ ସମୟ ଧରି ନିୟୋଜିତ ହୁଏ, ସେତେବେଳେ ତା’ର ମାଂସପେଶୀଗୁଡ଼ିକରେ ଛୋଟ ଛୋଟ ରାସାୟନିକ ଦ୍ରବ୍ୟ ଜମାଟ ବାନ୍ଧେ ଓ ମାଂସପେଶୀ ପୂର୍ବପରି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରେ ନାହିଁ । ତେଣୁ ଏ କ୍ଷେତ୍ରରେ ମାଂସପେଶୀଗୁଡ଼ିକ ପୂର୍ବପରି ସଚଳ ଓ ସକ୍ଷମ ରଖିବାକୁ ହେଲେ ଶ୍ରମିକଙ୍କୁ ସମୟ ଅନୁଯାୟୀ ବିଶ୍ରାମ ଦେବା ଦରକାର । ତେଣୁ ପ୍ରାକୃତିକ ପ୍ରଣାଳୀରେ ଏ ବିଶ୍ରାମହିଁ ଔଦ୍ୟୋଗିକ କ୍ଳାନ୍ତିର ନିରାକରଣ ଦିଗରେ ବିଶେଷ ସହାୟକ ।

 

ଆମ ଦେଶରେ ସାଧାରଣତଃ ଦେଖାଯାଏ ଯେ, ଆମର ଶ୍ରମିକ ସମାଜ କାରଖାନା ପାଖରେ ବସବାସ କରି ରହନ୍ତି ନାହିଁ । ଯେତେବେଳେ ସେମାନଙ୍କୁ ବିଶ୍ରାମ ସମୟ ଦିଆଯାଏ, ସେତେବେଳେ ସେମାନେ କାରଖାନାରୁ ନିଜ ନିଜ ବସାକୁ ଖାଇବାପିଇବା ପାଇଁ ଦଉଡ଼ି ଯାଆନ୍ତି ଓ ଖାଇ ସାରିଲା ପରେ ବିନା ବିଶ୍ରାମରେ ଦଉଡ଼ି ଦଉଡ଼ି ଆସି କାରଖାନାରେ ମଧ୍ୟ ଉପସ୍ଥିତ ହୁଅନ୍ତି ।

 

କାର୍ଯ୍ୟ କରିବା ଅବସ୍ଥାରେ ଯେତିକି କ୍ଳାନ୍ତି ନ ହୁଅନ୍ତି, ତା’ ତୁଳନାରେ ଦଉଡ଼ି ଦଉଡ଼ି ଯିବା ଓ ଦଉଡ଼ି ଦଉଡ଼ି ଆସିବା ଯୋଗୁଁ ଶ୍ରମିକମାନେ ବେଳକୁବେଳ ବେଶୀ କ୍ଳାନ୍ତ ହୋଇ ପଡ଼ନ୍ତି । ତେଣୁ ସେମାନଙ୍କୁ ଏପରି ଅବସ୍ଥାରେ କାର୍ଯ୍ୟରେ ନିୟୋଜିତ ନ କରି ଆହୁରି ବେଶୀ ବେଶୀ ବିଶ୍ରାମ ଦେବା ନିହାତି ବାଞ୍ଛନୀୟ ।

 

ପୁଣି ବିଶେଷଜ୍ଞମାନେ ମତ ପ୍ରଦାନ କରି କହିଛନ୍ତି ଯେ, ଶ୍ରମିକ କିମ୍ବା ଶ୍ରମିକମାନଙ୍କର ହଠାତ୍ କ୍ଳାନ୍ତିର କୌଣସି ଚିହ୍ନ ଦେଖିଲେ ସଙ୍ଗେ ସଙ୍ଗେ ସେମାନଙ୍କୁ ବିଶ୍ରାମ ଦେବାକୁ ପଡ଼ିବ ଏବଂ ଯଦି ସମ୍ଭବ ହୁଏ, ତାହାହେଲେ ତାହାଙ୍କୁ ମଝିରେ ମଝିରେ କେତେ ଘଣ୍ଟା ବାଦ୍ ବିଶ୍ରାମ ଦେବାକୁ ହେବ । ଏ ପ୍ରକାର ପ୍ରଣାଳୀ ପାଶ୍ଚାତ୍ୟ ଦେଶମାନଙ୍କର ଶିଳ୍ପ କ୍ଷେତ୍ରରେ ବିଶେଷଭାବେ ପରିଦୃଷ୍ଟ ହୁଏ ଏବଂ ସେମାନେ ମଧ୍ୟ ଏ ପ୍ରକାର ପ୍ରଣାଳୀ ଅବଲମ୍ବନ କରି ବିଶେଷଭାବେ ଫଳପ୍ରଦ ହୋଇ ପାରିଛନ୍ତି ।

 

ସେମାନଙ୍କ ଦେଶରେ ସେମାନେ ଯେତେବେଳେ ଜଣେ ଶ୍ରମିକର ପ୍ରଥମ ଉତ୍ପାଦନ ହ୍ରାସର ଚିହ୍ନ ଦେଖନ୍ତି, ସଙ୍ଗେ ସଙ୍ଗେ ସେତେବେଳେ, ସେମାନେ ଶ୍ରମିକକୁ କାର୍ଯ୍ୟରୁ ଅନ୍ତର କରି ବିଶ୍ରାମହିଁ ଦେଇଥାନ୍ତି ।

 

ଶିଳ୍ପ କ୍ଷେତ୍ରରେ ଶୈଳ୍ପିକ କ୍ଳାନ୍ତି ୨ଟି ଉପାୟରେ ଜଣାପଡ଼ିଥାଏ । ତନ୍ମଧ୍ୟରୁ ଗୋଟିଏ ହେଉଛି ପ୍ରତ୍ୟକ୍ଷ ପ୍ରଣାଳୀ ଓ ଅନ୍ୟଟି ହେଉଛି ପରୋକ୍ଷ ପ୍ରଣାଳୀ । ଏ ଦୁଇ ପ୍ରଣାଳୀଦ୍ଵାରା ଶୈଳ୍ପିକ କ୍ଳାନ୍ତି ନିରୂପିତ ହେଲେ ମଧ୍ୟ ତା’ର ଏକମାତ୍ର ନିରାକାରଣ ପନ୍ଥା ହେଲା, ବିଶ୍ରାମ ଓ ତା’ର ସଦୁପଯୋଗ ହୋଇପାରିଲେ ଉତ୍ପାଦନ ହ୍ରାସ ଯାହା ଆଜି ଦେଶରେ ଦେଖାଯାଉଛି, ତାହା ହୁଏତ କାଳକ୍ରମେ ଦେଖାଯିବାରେ ଅସମ୍ଭବ ହୋଇପଡ଼ିବ ।

Image

 

ଶ୍ରମିକର ନିରାପତ୍ତା

 

ଶିଳ୍ପ ସମୃଦ୍ଧ ଗଣତାନ୍ତ୍ରିକ ଦେଶମାନଙ୍କରେ ସାଧାରଣତଃ ଶ୍ରମିକମାନେ ତିନିପ୍ରକାରର ନିରାପତ୍ତା (Security) ଚାହିଁଥାନ୍ତି । ଯେଉଁ ଯେଉଁ ଦେଶମାନଙ୍କରେ ବିସ୍ତୃତଭାବେ ଏହିସବୁ ନିରାପତ୍ତା ଜ୍ଞାନଗୁଡ଼ିକ ଶ୍ରମିକମାନଙ୍କୁ ପ୍ରଦାନ କରିଥାଏ, ସେହି ସେହି ଦେଶଗୁଡ଼ିକ ଶିଳ୍ପ ଓ ତତ୍‍ଜନିତ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ହୋଇଥାଆନ୍ତି । ତେଣୁ ପୂର୍ବରୁ ଯେଉଁ ତିନିପ୍ରକାର ନିରାପତ୍ତା କଥା କୁହାଯାଇଛି, ସେଗୁଡ଼ିକ ହେଲା–

 

(୧) ଶ୍ରମସଙ୍ଗଠନର ନିରାପତ୍ତା,

 

(୨) କାର୍ଯ୍ୟର ନିରାପତ୍ତା,

 

(୩) ସମାଜ ବା ଗୋଷ୍ଠୀର ନିରାପତ୍ତା ।

 

(୧) ଶ୍ରମ ସଙ୍ଗଠନର ନିରାପତ୍ତା–ଏ କଥା ପ୍ରାୟ ସମସ୍ତେ ଭଲଭାବେ ଜାଣନ୍ତି ଯେ, ବର୍ତ୍ତମାନର ଶ୍ରମ ସଙ୍ଗଠନଗୁଡ଼ିକ ବାହାର ଲୋକମାନଙ୍କଦ୍ଵାରା ବିଶେଷଭାବେ ପରିଚାଳିତ । ଆହୁରି ମଧ୍ୟ ଏହି ଶ୍ରମ ସଙ୍ଗଠନଗୁଡ଼ିକୁ ହାତମୁଠାରେ ରଖି ରାଜନୈତିକ ଫାଇଦା ଉଠାଇବା ପାଇଁ ରାଜନୈତିକ ଦଳମାନେ ନିଜ ନିଜ ମଧ୍ୟରେ ପ୍ରତିଦ୍ଵନ୍ଦ୍ୱିତା କରି ଲାଗିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ଶ୍ରମିକମାନେ ସେମାନଙ୍କର ଦାୟିତ୍ଵ କ'ଣ ତାହା ପୂର୍ଣ୍ଣଭାବେ ଦୃଦୟଙ୍ଗମ ନ କରିବେ ଏବଂ ଯେତେବେଳେ ଶ୍ରମ ସଙ୍ଗଠନଗୁଡ଼ିକ ସେଇ ଶ୍ରମିକମାନଙ୍କଦ୍ଵାରା ପରିଚାଳିତ ନ ହେବ, ସେତେଦିନ ପର୍ଯ୍ୟନ୍ତ ଏ ପ୍ରକାର ମନୋଭାବ ବା ଅନ୍ୟ ଭାଷାରେ ଶ୍ରମିକମାନଙ୍କର ଶ୍ରମ ସଙ୍ଗଠନରେ ନିରାପତ୍ତା ଆଦୌ ପରିକଳ୍ପନା କରାଯାଇପାରିବନାହିଁ । ଶ୍ରମିକମାନେ ଜାଣିବା ଉଚିତ ଯେ, ଶ୍ରମ ସଙ୍ଗଠନ କ’ଣ ଓ ଏହାର ପ୍ରକୃତ ବୈଧାନିକ କାର୍ଯ୍ୟକଳାପ କ’ଣ ? ପୁଣି ଶ୍ରମିକମାନଙ୍କର ଅଭିଯୋଗ ପଦ୍ଧତି, ସ୍ଥାୟୀ ଆଦେଶ, ଭାରତୀୟ ଶ୍ରମ ଆଇନ, ଶ୍ରମିକ ୟୁନିୟନ୍‍ର ପ୍ରତ୍ୟେକ କର୍ମକର୍ତ୍ତାଙ୍କର କାର୍ଯ୍ୟକଳାପ, ପରିଚାଳନାଗତ ସମସ୍ୟା ଏବଂ ସୁସମ୍ପନ୍ନ ଶ୍ରମ ସଙ୍ଗଠନର ସୂତ୍ରପାତ ପ୍ରଭୃତିରେ ଜ୍ଞାନ ଅର୍ଜନ କରିବା ଉଚିତ ।

 

ଏ ସବୁ ହୋଇପାରିଲେ ଶ୍ରମ ସଙ୍ଗଠନରେ ଶ୍ରମିକମାନଙ୍କର ନିରାପତ୍ତାର ସୁରକ୍ଷା ହୋଇପାରିବ ।

 

(୨) କାର୍ଯ୍ୟର ନିରାପତ୍ତା–ଗଣତାନ୍ତ୍ରିକ ଶିଳ୍ପ ବ୍ୟବସ୍ଥାରେ ଶ୍ରମିକମାନେ ତାଙ୍କର ନିଯୁକ୍ତିରେ ଯେପରି ନିରାପତ୍ତା ପାଆନ୍ତି, ତାହା ହୃଦୟଙ୍ଗମ କରିବା ଉଚିତ । ଶ୍ରମିକ ତା’ର କାର୍ଯ୍ୟ ଉତ୍ତମରୂପେ କରିବ, ଏହା ନହେଲେ ଉତ୍ପାଦନର ଲକ୍ଷ୍ୟ ବ୍ୟାହତ ହେବ । ଅନ୍ୟ ପକ୍ଷରେ ଅଭିଯୋଗ ପଦ୍ଧତି, ମୌଳିକ ଶ୍ରମ-ଆଇନକାନୁନ ଏବଂ ଶ୍ରମ ସଙ୍ଗଠନର ଉପସ୍ଥିତି ଶ୍ରମିକମାନଙ୍କୁ ଯୁକ୍ତିଯୁକ୍ତଭାବେ ନିଯୁକ୍ତିରେ ନିରାପତ୍ତା ରକ୍ଷା କରିବାରେ ପ୍ରତିଶ୍ରୁତି ଦେବେ । ଏହାଛଡ଼ା ଶ୍ରମ ସଙ୍ଗଠନ ମଧ୍ୟ ବିଭିନ୍ନ ପ୍ରକାର ଶିଳ୍ପ ସଂଘର୍ଷରୁ ଶ୍ରମିକମାନଙ୍କୁ ରକ୍ଷା କରିବ ଏବଂ ମାଲିକମାନଙ୍କର ଅଶୋଭନୀୟ ବ୍ୟବହାରରୁ ରକ୍ଷା କରିବାପାଇଁ ଶ୍ରମିକମାନଙ୍କୁ ମଧ୍ୟ ସାହାଯ୍ୟ କରିବ ।

 

(୩) ସମାଜ ବା ଗୋଷ୍ଠୀର ନିରାପତ୍ତା—ଏହି ତୃତୀୟ ପ୍ରକାରର ନିରାପତ୍ତା ହେଉଛି, ଶ୍ରମିକମାନେ ଯେଉଁ ସହରରେ ରହୁଛନ୍ତି, ସେଠାରେ ସେମାନଙ୍କର ନିରାପତ୍ତା ବିଷୟରେ ଅବଧାରଣା ଆସିବା ଉଚିତ । ସ୍ଥୂଳତଃ ଶ୍ରମିକମାନଙ୍କର ସାମାଜିକ ଅନୁଷ୍ଠାନ, ଯଥା–ସ୍କୁଲ୍, ଡାକ୍ତରଖାନା, ସମାଜମଙ୍ଗଳ କେନ୍ଦ୍ର, ପରିବାର ଯୋଜନା କେନ୍ଦ୍ର ବିଷୟରେ ସମ୍ୟକ ଧାରଣା ନଥାଏ । ପୁଣି ଶ୍ରମିକମାନଙ୍କର ପରମ୍ପରାଗତ ଗ୍ରାମ୍ୟ ଜୀବନ ଯାପନ ଯୋଗୁଁ ସହରର ସାମାଜିକ କର୍ତ୍ତବ୍ୟବୋଧ ବିଷୟରେ, ସେମାନେ ପୂରାପୂରି ଅନଭିଜ୍ଞ କହିଲେ ଚଳେ । ପରିଶେଷରେ ଶ୍ରମିକମାନେ ହୃଦୟଙ୍ଗମ କରିବା ଉଚିତ ଯେ, ସହରରେ ଯେଉଁମାନେ ଜୀବନଯାପନ କରନ୍ତି, ସାଧାରଣତଃ ସେଇମାନଙ୍କଦ୍ଵାରା ସହରର ଜୀବନ ନିୟନ୍ତ୍ରିତ ହୁଏ । କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଶ୍ରମିକମାନେ ସହରକୁ ତାଙ୍କର ଆବାସସ୍ଥଳରୂପେ ମନେ କରିନାହାନ୍ତି ଏବଂ ସହରର ସାମାଜିକ କ୍ରିୟାକଳାପରେ ଯୋଗ ଦେଇନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ସହର ଜୀବନରେ ତାଙ୍କର ନିରାପତ୍ତା ସୃଷ୍ଟି ହୋଇପାରିବ ନାହିଁ ।

Image

 

ଶ୍ରମିକ ଓ ମାଲିକ ସଙ୍ଗଠନ

 

ଆଜିକାଲି ମାଲିକ ଓ ଶ୍ରମିକର ସଙ୍ଗଠନ ସାଧାରଣତଃ ରାଜନୈତିକ ଓ ଅର୍ଥନୈତିକ ଆଦର୍ଶବାଦର ବାତାବରଣ ଭିତରେ ବ୍ୟାପ୍ତିଲାଭ କରିବାକୁ ଚାହୁଁଛନ୍ତି । ଦେଶର, ଏପରିକି ଦୁନିଆର ଗୋଟିଏ ଗୋଟିଏ ବ୍ୟବସାୟଭୁକ୍ତ ସମସ୍ତ ବ୍ୟବସାୟିକ ଜାତୀୟ ଓ ଆନ୍ତର୍ଜାତୀୟ ସଙ୍ଗଠନ ଗଢ଼ିଉଠୁଛି । ବ୍ୟବସାୟିକ ଓ ଆଞ୍ଚଳିକ ସୂତ୍ରରେ ଏହି ଅନୁଷ୍ଠାନଗୁଡ଼ିକ ନିଜର କାୟା ବିସ୍ତାର କରି ଚାଲିଛନ୍ତି । ପୁନର୍ବାର ଏହି ବ୍ୟାବସାୟିକ, ଆଞ୍ଚଳିକ ସଙ୍ଗଠନଗୁଡ଼ିକ ଆଦର୍ଶବାଦ ଭିତ୍ତି ଉପରେ ଅନେକ ସମାନ୍ତରାଳ ଅନୁଷ୍ଠାନରେ ମଧ୍ୟ ବିଭକ୍ତ ହେଉଛନ୍ତି । ଏହି ସମାନ୍ତରାଳ ଅନୁଷ୍ଠାନମାନଙ୍କ ମଧ୍ୟରେ ଆଦର୍ଶବାଦ ନେଇ ଏପରି ତୁମୂଳ ସଂଘର୍ଷ ଲାଗୁଛି ଯେ ତଦ୍ଦ୍ଵାରା ସଂଘବାଦର ମୌଳିକ ଲକ୍ଷ୍ୟ ଉଭେଇ ଯାଉଛି । ଏ ପରିସ୍ଥିତିରେ ପ୍ରଶ୍ନ ଉଠୁଛି ସଂଘବାଦ (Unionism) କାହା ଉପରେ ପର୍ଯ୍ୟବସିତ ହେବ ? ଦଳଗତ ଆଦର୍ଶର ଦୁହା ଧରି ରାଜନୈତିକ ଦଳଗୁଡ଼ିକର ଇଙ୍ଗିତରେ, ସଭ୍ୟମାନଙ୍କ ମଧ୍ୟରେ ପରସ୍ପର ବିରୋଧ ଜନ୍ମାଇ ସଙ୍ଗଠନକୁ ଦୁର୍ବଳ କରି ଦିଆଯିବ, ନା ଅନ୍ୟ ଦୃଷ୍ଟିକୋଣରୁ ସଙ୍ଗଠନର ଭିତ୍ତିକୁ ଦୃଢ଼ତମ କରିବାକୁ ହେବ ? ଆଦର୍ଶବାଦ ଉପରେ ନ ଗଢ଼ି ସ୍ଵାର୍ଥର ଭୂମିକା ଉପରେ ସଙ୍ଗଠନ ଗଢ଼ି ବସିଲେ ସଙ୍ଗଠନଗୁଡ଼ିକର ଶକ୍ତି ଓ କାର୍ଯ୍ୟକାରିତା ବୃଦ୍ଧିପାଇବ ତ-? ପୁଣି ପ୍ରଶ୍ନ ହୋଇପାରେ–ଏ ସ୍ଵାର୍ଥ ବ୍ୟକ୍ତି ସ୍ଵାର୍ଥ ନା ଗୋଷ୍ଠୀ ସ୍ଵାର୍ଥ ? ଏ ପ୍ରକାର ସ୍ଵାର୍ଥର ମୌଳିକ ଯୋଗସୂତ୍ର କେଉଁଠି ? ଏହାତ ପ୍ରଥମ ନିର୍ଦ୍ଧାରଣର ବିଷୟ । ସ୍ଵାର୍ଥ ମଧ୍ୟରେ ସଂହାତ ଆସିଲେ, ଅତି କର୍ଣ୍ଣମଧୁର ନୀତି ଭାଷଣ ମଧ୍ୟ ସଙ୍ଗଠନକୁ ବଞ୍ଚାଇ ରଖିପାରିବ ନାହିଁ । ଦିନେ ନା ଦିନେ ସଙ୍ଗଠନ ଭୁଶୁଡ଼ି ଯିବ । ତେଣୁ ମାଲିକ ହେଉ ବା ଶ୍ରମିକ ହେଉ, ସେମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଉଚିତ ।

 

ସଙ୍ଗଠନ ଦୃଢ଼ ହେବା ସମସ୍ତଙ୍କ ପକ୍ଷରେ ହିତ । ଶ୍ରମିକର ସଙ୍ଗଠନ ଦୃଢ଼ ହେଲେ ଓ ମାଲିକର ସଙ୍ଗଠନ ଦୃଢ଼ ହେଲେ ପରସ୍ପର ପରସ୍ପର ଉପରେ କେବଳ ପ୍ରଭାବ ପକାଇବା ନୁହେଁ, ପରସ୍ପର ପରସ୍ପରକୁ ମନାଇ ନେବା ସହଜ ହେବ । ଏଇଠି ପ୍ରଶ୍ନ ଉଠିବ, ମାଲିକର ସଙ୍ଗଠନ ଦୃଢ଼ ହେଲା, ଶ୍ରମିକର ସଙ୍ଗଠନ ଦୃଢ଼ ହେଲା । ତେଣୁ ବର୍ତ୍ତମାନ ଯୁଗର ରଣଶଯ୍ୟା ପରି ନିଜ ନିଜର ସମସ୍ତ ଶକ୍ତି ନେଇ ଏମାନେ ଯଦି ଲଢ଼େଇରେ ଲାଗିଯାଆନ୍ତି, ତେବେ ଦୁନିଆର ଅକଲ୍ୟାଣ ହେବ ନାହିଁ ତ ? ଏଠି ସେଇ ଏକ ପୁରୁଣା କଥା ମନେପଡ଼େ । ଯୁଦ୍ଧପାଇଁ ପ୍ରସ୍ତୁତି, ଯୁଦ୍ଧ ନିରାକରଣର ସର୍ବୋତ୍କୃଷ୍ଟ ପନ୍ଥା । ଆଜି ଯେତେବେଳେ ଦେଶ ସବୁ ଆଣବିକ ବୋମା ଓ ଉତ୍ପାଦନ ବୋମାର ଗବେଷଣାରେ ଲାଗିପଡ଼ିଛନ୍ତି, ସେତେବେଳେ ଏପରି ସର୍ବାପେକ୍ଷା ଅଧିକ ପ୍ରସ୍ତୁତ ଦେଶ, ତାଙ୍କର ଗବେଷଣାର ଫଳ ପ୍ରଳୟଙ୍କରୀ ଅସ୍ତ୍ରଗୁଡ଼ିକୁ ବ୍ୟବହାର କରିବାକୁ ଭରସା କରୁନାହାନ୍ତି । କାରଣ ସେମାନେ ଜାଣନ୍ତି, ଥରେ ଏ ପ୍ରଳୟଙ୍କରୀ ଅସ୍ତ୍ରଗୁଡ଼ିକୁ ବ୍ୟବହାର କରାଗଲେ ବିପକ୍ଷ ମଧ୍ୟ ତଦ୍ରୂପ ଅସ୍ତ୍ର ପ୍ରୟୋଗ କରିବେ । ବିନା କ୍ଷତିରେତ କୌଣସି ସମାଧାନ ହେବ ନାହିଁ । ତା’ପରେ ସମାଧାନରେ ଲାଭର ପରିମାଣ ଖୁବ୍ ସାମାନ୍ୟ ହେବ । କ୍ଷତିର ପରିମାଣ ଏତେ ବଢ଼ିଯିବ ଯେ, ସେଥିରେ ଏ ମହାର୍ଘ କଷାକଷିର ମୋହ ଆଉ ରହିବ ନାହିଁ ।

 

ଏ ଉଦଜାନ ବୋମା ଓ ଆଣବିକ ବୋମା ଯେତେ ଶକ୍ତିଶାଳୀ ହେଉନା କାହିଁକି, ପ୍ରଚାର ଯୁଦ୍ଧ ବା ଶୀତଳ ଯୁଦ୍ଧ ତୁଳନାରେ ଏହାର ଶକ୍ତି ଖୁବ୍ କମ୍ । ଏହି ପ୍ରଚାର ଯୁଦ୍ଧ ଶ୍ରମିକ ମାଲିକ କ୍ଷେତ୍ରରେ ଆଜି ସବୁଠାରୁ ଅଧିକ ଆଲୋଡ଼ନ ସୃଷ୍ଟି କରୁଛି–ସବୁଠାରୁ ଅଧିକ ଉନ୍ନତି ବା ଅବନତି ଘଟାଉଛି । ଧର୍ମଘଟ ଓ ତାଲାବନ୍ଦ ଏହି ପ୍ରଚାର ଯୁଦ୍ଧର ରୂପ ମାତ୍ର । ପୁଣି ଏହି ଦୁଇ କଥାର ଅନ୍ତର୍ନିହିତ ଇଙ୍ଗିତ ବଡ଼ ଶକ୍ତିଶାଳୀ ଏବଂ ଏହାର ପରିଣାମ ମଧ୍ୟ ଅତି ବ୍ୟାପକ ।

 

ମାଲିକ ଶ୍ରମିକକୁ ଉତ୍ୟକ୍ତ କଲା । ଫଳରେ ଧର୍ମଘଟ ହେଲା, ମାଲିକର ଉତ୍ପାଦନ ବନ୍ଦ ହେଲା ଓ ଶ୍ରମିକର ମଜୁରୀ ମଧ୍ୟ ବନ୍ଦହେଲା । ଲାଭ ହେଲା ବା କାହାର ? ତେବେ ସମାଧାନ କେଉଁଠି ଓ କାହା ସପକ୍ଷରେ ହେବ ? ମାଲିକ, ଯେ ବେଶୀ କ୍ଷତି ସହିପାରିବ ତା’ ସପକ୍ଷରେ, ନା ଶ୍ରମିକ, ଯାହାର କ୍ଷତି ସହିବାର ଶକ୍ତିନାହିଁ ତା’ ସପକ୍ଷରେ ? କ୍ଷତିର ଗୁରୁତ୍ଵ କାହା ଉପରେ ଅଧିକ ହେବ ? କୋଟି କୋଟି ଟଙ୍କା ପ୍ରୟୋଗ କରୁଥିବା ମାଲିକର, ନା ଖଟୁଥିବା ଶ୍ରମିକର ? ବାହାରର ଦୁନିଆକୁ ଯାହା ଜଣାଯାଉନା କାହିଁକି, ନିଜ ନିଜର ମାପକାଠିରେ ଶ୍ରମିକ ଓ ମାଲିକ ସେମାନଙ୍କର କ୍ଷତିର ଗୁରୁତ୍ଵ ଓ ଲଘୁତ୍ଵ ବିଚାର କରିବେ । ସୁଦୃଢ଼ ସଙ୍ଗଠନର ବାତାବରଣରେ ପାରସ୍ପରିକ କ୍ଷତିର ମହାଭୟ ଉଭୟେ ଶ୍ରମିକ ତଥା ମାଲିକଙ୍କୁ ଯେ ଧର୍ମଘଟ ଓ ତାଲାବନ୍ଦରୁ ନିବର୍ତ୍ତାଇବ, ଏଥିରେ ସନ୍ଦେହ ନାହିଁ ।

 

ସ୍ଵାର୍ଥର ଭିତ୍ତି ଉପରେ ପ୍ରତିଷ୍ଠିତ ହେଲେ ସଙ୍ଗଠନର ବ୍ୟାପ୍ତି କେଉଁ ନୀତିରେ ଚାଳିତ ହେବ ? ଆଞ୍ଚଳିକ ଭିତ୍ତି ଉପରେ, ନା ବ୍ୟାବସାୟିକ ଭିତ୍ତି ଉପରେ, ନା ଅଞ୍ଚଳ ଓ ବ୍ୟବସାୟର ମିଳିତ ବିଚାରଣା ଉପରେ ? ଏ ବିଷୟରେ ପରିସ୍ଥିତିର ଅନୁରୂପତା ପନ୍ଥା ଦେଖାଇବ । ଯେଉଁ ବିଚାରରେ ସଂଘବଦ୍ଧ ବ୍ୟକ୍ତିମାନଙ୍କ ଅବସ୍ଥାର ଅଧିକ ସୌସାଦୃଶ୍ୟ ଲକ୍ଷିତ ହେବ, ସେହି ବିଚାରର ଅନୁସରଣରେ ସଂଘର ବିସ୍ତାର କରିବାକୁ ହେବ । କୌଣସି ଅଞ୍ଚଳରେ ସବୁ ବ୍ୟବସାୟଗତ ଶ୍ରମିକମାନଙ୍କର ଅବସ୍ଥାରେ ବିଶେଷ ସୌସାଦୃଶ୍ୟ ଲକ୍ଷିତ ହେବାର ଯେପରି ସମ୍ଭବନା ଅଛି, ସେହିପରି ଦେଶ ଦେଶ ବିସ୍ତୃତ ଏକ ବ୍ୟବସାୟଗତ ସମସ୍ତ ଶ୍ରମିକମାନଙ୍କର ଅବସ୍ଥାରେ ବିଶେଷ ସୌସାଦୃଶ୍ୟ ଲକ୍ଷିତ ହେବାର ସମ୍ଭାବନା ମଧ୍ୟ ରହିଛି ।

 

ଏହିପରି ଉଭୟ ସମ୍ଭାବନା ସ୍ଥଳରେ ଯେଉଁ ପ୍ରକାର ସଙ୍ଗଠନ ସଂଘର ସଭ୍ୟମାନଙ୍କ ମଧ୍ୟରେ ସଂଘ ପ୍ରତି ଦୃଢ଼ ଅନୁରକ୍ତି ଆଣିପାରିବ, ସଂଘର କାର୍ଯ୍ୟକ୍ରମକୁ ସର୍ବାପେକ୍ଷା କାର୍ଯ୍ୟକାରୀ ଶକ୍ତି ଦେବ, ସେହି ପ୍ରକାର ସଙ୍ଗଠନ ରୀତି ଉଭୟ ମାଲିକ ଓ ଶ୍ରମିକକୁ ଅନୁସରଣ କରିବାକୁ ହେବ-

Image

 

Unknown

ଶ୍ରମିକର ଦାବି ଓ ଦାୟିତ୍ଵ

 

ଶ୍ରମିକମାନଙ୍କର ସଂସ୍ଥା ଓ ଦାବି ବିଶେଷତଃ ଶ୍ରମ ସଙ୍ଗଠନମାନଙ୍କଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ଶ୍ରମିକର ପ୍ରଗତି, ଅଗ୍ରଗତି ଓ ବିକାଶ ଯାହା କିଛି କୁହନ୍ତୁ, ଏ ସବୁର ମୂଳରେ ସହି ଶ୍ରମିକ ସଙ୍ଗଠନ । ଏହି ଶ୍ରମିକ ସଙ୍ଗଠନଗୁଡ଼ିକର ଆନ୍ଦୋଳନ ଫଳରେ ଶ୍ରମିକର ଅଧିକାର ଓ ଦାବି ନିର୍ଦ୍ଧାରିତ ହୋଇଥାଏ । କିନ୍ତୁ ଗୋଟିଏ କଥା ଏଠାରେ ମନେରଖିବାକୁ ପଡ଼ିବ–ତା’ ହେଉଛି, ଏହି ଶ୍ରମ ସଙ୍ଗଠନଗୁଡ଼ିକର ଆନ୍ଦୋଳନ କିପରି ହେବା ଉଚିତ । ଶ୍ରମିକ ସଙ୍ଗଠନଗୁଡ଼ିକର ଆନ୍ଦୋଳନ ସ୍ଵାଧୀନ ହେବା ସର୍ବାଦୌ ବାଞ୍ଛନୀୟ । କାରଣ ଏହି ସଙ୍ଗଠନଗୁଡ଼ିକର ଆନ୍ଦୋଳନ ସ୍ଵାଧୀନ ନହେଲେ, ଏହା ଶ୍ରମିକ ସଙ୍ଗଠନଗୁଡ଼ିକର ପ୍ରଧାନ ପ୍ରଧାନ କାର୍ଯ୍ୟକ୍ରମ ହାସଲ କରିବାରେ ସମର୍ଥ ହୋଇ ପାରିବ ନାହିଁ । ଯଦିଓ ଆମ ଦେଶର ଶିଳ୍ପ ଅନୁଷ୍ଠାନମାନଙ୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ସଙ୍ଗଠନ ସଂଖ୍ୟା ଅଳ୍ପ, ତଥାପି ସେମାନେ ଅନ୍ୟାନ୍ୟ ସମସ୍ତ ଶ୍ରମିକ ସଙ୍ଗଠନ ସଂଖ୍ୟାର ଅନୁପାତ ଅନୁଯାୟୀ, ଏକ ବଳିଷ୍ଠ ବିଭାଗ । ସେମାନେ ଯେ ଦେଶକୁ ଅର୍ଥନୈତିକ ସମତା ଆଣିବାରେ ବିଶେଷ ସାହାଯ୍ୟ କରିଥାନ୍ତି, ଏହା ମଧ୍ୟ ଆମକୁ ଆଜି ସ୍ୱୀକାର କରିବାକୁ ପଡ଼ିବ । ତେଣୁ ଦେଶରେ ଅର୍ଥନୈତିକ ସମତା ଓ ଅଗ୍ରଗତିକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ସରକାର ଓ ଶିଳ୍ପାନୁଷ୍ଠାନ, ଶ୍ରମିକମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗର ଯୋଗସୂତ୍ର ସ୍ଥାପନ କରିବା ଉଚିତ ।

 

ଶ୍ରମିକ, ଶିଳ୍ପ ଶ୍ରମିକ ବା କୃଷି ଶ୍ରମିକ ହୁଅନ୍ତୁ, ତାଙ୍କର ଅଗ୍ରଗତି ପାଇଁ ବହୁ କ୍ଷେତ୍ର ପଡ଼ିରହିଛି ଏବଂ ସେମାନେ ମଧ୍ୟ ଏ ସଂକ୍ରାନ୍ତରେ ବହୁ ଅଧିକାର ତଥା ସୁବିଧା ଓ ସୁଯୋଗର ଅଧିକାରୀ ।

 

ଜାତିର ପିତା ମହାତ୍ସା ଗାନ୍ଧୀଙ୍କର ଗୋଟିଏ ହୃଦୟସ୍ପର୍ଶୀ ଉକ୍ତି ଏପରି ସ୍ଥଳେ ମନେପଡ଼େ-। ଗାନ୍ଧିଜୀ ଥରେ କହିଥିଲେ–ଶ୍ରମର ଦାବି ଓ ଦାୟିତ୍ଵ କ୍ଷୀରନୀର ସମ୍ପର୍କ ପରି ଅଭିନ୍ନ । ତେଣୁ ଗୋଟିଏ ସୁଶୃଙ୍ଖଳ ଶ୍ରମଶକ୍ତି କେବଳ ନିଜର ନ୍ୟାଯ୍ୟ ଦାବି କରି ବସିଲେ ଯେ ସମସ୍ତ କଥା ତୁଟିଗଲା, ତା’ ନୁହେଁ । ତା’ ସଙ୍ଗେ ସଙ୍ଗେ ମଧ୍ୟ ସେମାନେ କେତେଗୁଡ଼ିଏ ଦାୟିତ୍ଵ ତୁଲାଇବାକୁ ସଦାସର୍ବଦା ପ୍ରସ୍ତୁତ ହେବା ଉଚିତ । ତେବେ ଯାଇ, ଏହା ସେମାନଙ୍କର ନିଜ ଦାବି ଓ ଦାୟିତ୍ଵ ତୁଲାଇବା ସଙ୍ଗେ ସଙ୍ଗେ ଦେଶ ଓ ଦଶର ଦାବି ଓ ଦାୟିତ୍ଵ ତୁଲାଇବାକୁ ବିଶେଷଭାବେ ସକ୍ଷମ ହେବେ । ଏହାକୁ ଯେପରି ଶ୍ରମିକ, ଶ୍ରମ ଅନୁଷ୍ଠାନ ଓ ଶ୍ରମିକନେତା ଭୁଲି ନ ଯାନ୍ତି ।

Image

 

ନାରୀ ଓ କାରଖାନା

 

ବର୍ତ୍ତମାନ ଚାରିଆଡ଼େ ପ୍ରଶ୍ନ ଉଠିଛି ଯେ, ମହିଳାମାନେ କଳକାରଖାନାରେ କାମ କରିବେ କି ନାହିଁ ? କେତେକ ଚିନ୍ତାଶୀଳ ବ୍ୟକ୍ତି, ମହିଳାମାନେ କଳକାରଖାନାମାନଙ୍କରେ କାମ କରିବା ଅନୁଚିତ ବୋଲି କହୁଥିବାବେଳେ, ଅନ୍ୟ କେତେକ ବ୍ୟକ୍ତି ମହିଳାମାନେ କଳକାରଖାନାମାନଙ୍କରେ କାମ କରିବା ଉଚିତ ବୋଲି ନିଜ ନିଜର ମତ ଦେଉଛନ୍ତି ।

 

ମହିଳାମାନେ କଳକାରଖାନାରେ କାମ କରିବା ଅନୁଚିତ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ପ୍ରଧାନ ଯୁକ୍ତି ହେଉଛି–

 

(୧) ନାରୀ ହେଉଛି ଗୃହର କର୍ତ୍ତ୍ରୀ; ଘରର ସମସ୍ତ ଭଲମନ୍ଦ ହାନିଲାଭ ତୁଲାଇବା ସେମାନଙ୍କର ଦାୟିତ୍ଵ । ଘରର ସମସ୍ତ ସୁଖସ୍ଵାଚ୍ଛଦ୍ୟ ରକ୍ଷା କରିବା କେବଳ ସେମାନଙ୍କର ଅଧିକାର-। ଯଦି ନାରୀମାନେ କଳକାରଖାନାମାନଙ୍କରେ କାମ କରନ୍ତି, ତେବେ ଗୃହର ସମସ୍ତ ସୁଖସ୍ଵାଚ୍ଛନ୍ଦ୍ୟ ନଷ୍ଟ ହେବ ।

 

(୨) ନାରୀ ହେଉଛି ସେବାକାରଣୀ । ଗୃହରେ ବୃଦ୍ଧ ଓ ବୃଦ୍ଧାମାନଙ୍କର ସେବା କରିବାହିଁ ନାରୀର ପ୍ରଧାନ କର୍ତ୍ତବ୍ୟ । ତେଣୁ ନାରୀ କଳକାରଖାନାମାନଙ୍କରେ ନିଜକୁ ନିୟୋଜିତ କଲେ, ଗୃହର ବୃଦ୍ଧ ଓ ବୃଦ୍ଧା ସେମାନଙ୍କର ସେବାରୁ ବଞ୍ଚିତ ହେବେ । ଏହାଛଡ଼ା ନାରୀ ବିନା, ଶିଶୁ ସନ୍ତାନମାନଙ୍କ ଲାଳନପାଳନ ଭାର ଅସମ୍ଭବ ହୋଇ ଉଠିବ ।

 

(୩) ଆମ ଶାସ୍ତ୍ର ପୁରାଣମାନଙ୍କରେ କୁହାଯାଇଛି ଯେ, ନାରୀ ହେଉଛି କୋମଳାଙ୍ଗୀ, ସେହି ଦୃଷ୍ଟିରୁ ସେମାନେ କଳକାରଖାନାମାନଙ୍କରେ କାମ କରିବାକୁ ଅନୁପଯୁକ୍ତା କିମ୍ବା କାରଖାନାମାନଙ୍କରେ କଠିନ ପରିଶ୍ରମ କରିବାକୁ ସେମାନେ ସକ୍ଷମ ନୁହନ୍ତି ।

 

(୪) ପୁଣି ଯୁକ୍ତି ଦର୍ଶାଇ କୁହାଯାଇଛି ଯେ, ନାରୀ ଓ ପୁରୁଷ କୌଣସିଭାବେ ସମାନ ହୋଇ ପାରିବେ ନାହିଁ । ସେମାନଙ୍କର ଗଠନ ପ୍ରଣାଳୀ ମଧ୍ୟ ଭିନ୍ନ । ଏହି ଦୃଷ୍ଟିରୁ ପୁରୁଷ ଯେଉଁ କାର୍ଯ୍ୟରେ ନିୟୋଜିତ ହେବ, ନାରୀ ସେ କାର୍ଯ୍ୟରେ ନିୟୋଜିତ ହେବ ନାହିଁ ଏବଂ ନାରୀ ଯେଉଁ କାର୍ଯ୍ୟରେ ନିୟୋଜିତ ହେବ, ପୁରୁଷ ସେ କାର୍ଯ୍ୟରେ ନିୟୋଜିତ ହେବ ନାହିଁ । ମୁଖ୍ୟତଃ ପୂର୍ବପୃଷ୍ଠା ବର୍ଣ୍ଣିତ ଏହି ଚାରୋଟି ଯୁକ୍ତି ନାରୀମାନଙ୍କୁ କଳକାରଖାନାମାନଙ୍କରେ ପ୍ରବେଶ ନ କରାଇବାରେ ସମର୍ଥନ କରୁଛି ।

 

ଯେଉଁମାନେ କହନ୍ତି ନାରୀମାନେ କଳକାରଖାନାରେ କାମ କରିବା ଉଚିତ, ସେମାନଙ୍କର ଯୁକ୍ତି ହେଉଛି ଯେ, ଭଗବାନଙ୍କ ରାଜ୍ୟରେ ସବୁ ମନୁଷ୍ୟଙ୍କଠାରେ, ସେ ନାରୀ ହେଉ ବା ପୁରୁଷ ହେଉ, କିଛି ନା କିଛି ଗୁଣ ନିହିତ ଅଛି ।

 

ତେଣୁ ସେ ଗୁଣର ସଦ୍‍ବ୍ୟବହାର ସମସ୍ତେ କରିବା ଉଚିତ । ତା’ ନହେଲେ ସେ ସମସ୍ତ ଗୁଣର କିଛି ମୂଲ୍ୟବୋଧ ନାହିଁ । ତେଣୁ ନାରୀମାନଙ୍କୁ ଏ ସମସ୍ତ ଗୁଣରୁ ବଞ୍ଚିତ କରିବା ଉଚିତ ହେବ ନାହିଁ । ଆହୁରି ମଧ୍ୟ ଇତିହାସ ଏହାର ପ୍ରମାଣ ଦିଏ ଯେ, ଅତୀତର ନାରୀମାନେ ସ୍ଵ ସ୍ଵ ଅନ୍ତର୍ନିହିତ ଗୁଣର ବଳିଷ୍ଠ ପରାକାଷ୍ଠା ପ୍ରଦର୍ଶନ କରି ଯାଇଅଛନ୍ତି । ଏ ସଂକ୍ରାନ୍ତରେ ରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଇ, ରାଣୀ ଶୁକଦେଈଙ୍କ ବିଷୟ ବିଶେଷଭାବେ ଉଲ୍ଲେଖଯୋଗ୍ୟ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ନାରୀମାନେବି କଠୋର ସାଧନା ବଳରେ ନିଜ ଜୀବନର ସମସ୍ତ ତ୍ୟାଗ ସ୍ଵୀକାର କରିବା ସଙ୍ଗେ ସଙ୍ଗେ, କଠୋର କାର୍ଯ୍ୟମାନ କୃତିତ୍ଵ ସହକାରେ ସଂପାଦନ କରି ଅଶେଷ ପ୍ରଶଂସାଭାଜନ ହୋଇପାରିଛନ୍ତି ଓ ସେମାନଙ୍କର ନାମ ଇତିହାସରେ ଅଦ୍ୟାପି ସ୍ମୃତିର ବିଷୟ ହୋଇ ରହିଆସିଛି ।

 

ଆଜିକାଲିର ସମୟକୁ ଆଖି ଆଗରେ ରଖି ବିଚାର କଲେ ସ୍ପଷ୍ଟ ଜଣାଯାଏ ଯେ, ନାରୀ ଜୀବନର ସମସ୍ତ ବିଭାଗରେ ପୁରୁଷଙ୍କ ସହିତ କାର୍ଯ୍ୟକରି ତା’ର ଦକ୍ଷତା ପ୍ରଦର୍ଶନ କରିପାରୁଛି । ପୁଣି ପୃଥିବୀର ବିଭିନ୍ନ ଦେଶର ନାରୀ ସମାଜ, ଜୀବନର ବିଭିନ୍ନ କ୍ଷେତ୍ରରେ ଅବତରଣ କରି ତା’ର ଦକ୍ଷତା ପ୍ରଦର୍ଶନ କରିପାରିଛି । ନାରୀର ଗୌରବ ଆଜି କେବଳ, ମାତା ରୂପରେ ଆମ ଆଗରେ ସ୍ପଷ୍ଟରୂପେ ଦେଖା ଦେଇନାହିଁ । ନାରୀ ମାତା, କନ୍ୟା ବା ବଧୂ ରୂପରେ ନିଜର ସମସ୍ତ ଜୀବନକୁ ନିୟନ୍ତ୍ରିତ କରି ଆସିଥିଲେ ସୁଦ୍ଧା, ଆଜିର ପ୍ରଗତିଶୀଳ ସମାଜରେ ଏହି ୩ଟି ଗୌରବରେ ସେ ଆଉ ଅଧିକାରଣୀ ନ ହୋଇ, ତା’ ଅପେକ୍ଷା ଆହୁରି ଉଚ୍ଚ ସୋପାନରେ ନିଜକୁ ଆସୀନ କରିପାରିଛି । ଏହାହିଁ ହେଉଛି ସମଗ୍ର ପୃଥିବୀର ପ୍ରଗତିଶୀଳ ଦେଶମାନଙ୍କ ନାରୀ ସମାଜର ଏକ ଉଜ୍ଜ୍ୱଳ ଅଧ୍ୟାୟ-। ଏ ସବୁ ତୁଳନାରେ ଆମ ଦେଶର ନାରୀ ସମାଜ ଏ କ୍ଷେତ୍ରରେ ଆଦୌ ଅଗ୍ରଣୀ ନୁହେଁ, ଯେହେତୁ ଆମେ ସେମାନଙ୍କୁ ଏପର୍ଯ୍ୟନ୍ତ ଗୃହର ହାଣ୍ଡିଶାଳର ଚୁଲି ଫୁଙ୍କାରେ ଆବଦ୍ଧ କରି ରଖିଛୁ-। ଶୁଆକୁ ପିଞ୍ଜରାରେ ଆବଦ୍ଧ କରି ରଖିଲା ଭଳି, ଆମେ ସେମାନଙ୍କୁ ହାଣ୍ଡିଶାଳର ପିଞ୍ଜରାରେ ବାନ୍ଧି ରଖିଛୁ-

 

ଏଇ ସମସ୍ତ ହେଲା ବିଭିନ୍ନ ମତାବଲମ୍ବୀଙ୍କର ଭିନ୍ନଭିନ୍ନ ଯୁକ୍ତି । ତେଣୁ ଏ ସମସ୍ତ ସମସ୍ୟାକୁ ଆଖି ଆଗରେ ରଖି, ଆମେ କି ପ୍ରକାର ସମାଧାନ କରିବୁ ? ଆମେ ଏହି ପ୍ରକାର ସମାଧାନ କରିବୁ ଯେ, ବର୍ତ୍ତମାନର ଜୀବନସ୍ତର ଯେପରିଭାବେ ଖାଲଢ଼ିପ ଦେଇ ଗତି କରୁଛି, ସେତେବେଳେ ଜୀବନର ପୂରାପୂରି ଅର୍ଦ୍ଧ ଅଂଶ, ନାରୀକୁ ହାଣ୍ଡିଶାଳର ପିଞ୍ଜରାରେ ଆବଦ୍ଧ କଲେ ଚଳନ୍ତି ଜୀବନର ସୁଅ ସୁରୁଖୁରୁଭାବେ ଚାଲିପାରିବ ନାହିଁ । ପୁଣି ଆଜି ନାରୀକୁ କେବଳ ପୁରୁଷର ସହଧର୍ମିଣୀ କରି ଆମେ ଆଉ କେତେ ଦିନ ବାହାଦୁରି ନେବା ? ତେଣୁ ନାରୀକୁ ପୁରୁଷର ସହକର୍ମିଣୀ ହେବାକୁ ପଡ଼ିବ । ନାରୀଜାତି ଯେପର୍ଯ୍ୟନ୍ତ ପୁରୁଷର ସହକର୍ମିଣୀ ନ ହୋଇ ପାରିଛି, ସେତେଦିନ ପର୍ଯ୍ୟନ୍ତ ଆମ ଦେଶର ଜନଜୀବନର ମୂଲ୍ୟବୋଧ, ଅନ୍ୟଦେଶ ତୁଳନାରେ ନିଶ୍ଚୟ ପଛାଇ ଯିବ । ତେଣୁ ପୃଥିବୀର ବିଭିନ୍ନ ଦେଶର ନାରୀ ପ୍ରଗତି ସଙ୍ଗେ ତାଳ ଦେଇ ଆମ ଦେଶର ନାରୀ ପ୍ରଗତି କରିବା ସର୍ବଦା ବାଞ୍ଛନୀୟ । ପୁଣି ପ୍ରଶ୍ନ ଉଠିପାରେ, ଏ ତ ଗଲା ସମଗ୍ର ନାରୀ ସମାଜର କଥା, କିନ୍ତୁ ଶ୍ରମଜୀବୀମାନଙ୍କର ନାରୀ ସମାଜ କଥା କ’ଣ ? ଶ୍ରମଜୀବୀମାନଙ୍କର ନାରୀ ସମାଜ କାହାଣୀ ଆଜିର ବସ୍ତୁବାଦୀ ସମାଜରେ ଏକ ଜଳନ୍ତା ସମସ୍ୟା, ଯେହେତୁ ଏହି ସମସ୍ୟାର ସୁଚାରୁ ସମାଧାନରେହିଁ ତାଙ୍କ ଜୀବନର ସମସ୍ତ ଗତିବିଧି ନିର୍ଭର କରୁଛି ।

 

କାହିଁକି ନା, ଶ୍ରମଜୀବୀମାନଙ୍କର ନାରୀମାନେ କଳକାରଖାନାମାନଙ୍କରେ କାମ ନ କଲେ, ଜୀବନରେ ସ୍ଵପ୍ନ ଦେଖୁଥିବା ମଧୁମୟ ଜୀବନ ବାସ୍ତବରେ ଦୁର୍ବିସହ ହୋଇ ଉଠିବ । ସେମାନଙ୍କ ସ୍ଵାମୀମାନଙ୍କର ସ୍ୱଳ୍ପ ବେତନ, ସେମାନଙ୍କର ସମସ୍ତ ପରିବାରର ଭରଣପୋଷଣ କରିବାରେ ଆଦୌ ସମର୍ଥ ନୁହେଁ । ତେଣୁ ଶ୍ରମିକମାନଙ୍କର ମହିଳାମାନେ ଏହି ଅବସରରେ, ଯଦି ତାଙ୍କର ସ୍ଵାମୀମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ କାମ କରନ୍ତି, ତେବେ ସେମାନଙ୍କର ଜୀବନ ଯାତ୍ରା, ଅଭାବ ମଧ୍ୟରେ ଆଉ ଗତି କରିବ ନାହିଁ ଏବଂ ସେମାନଙ୍କର ପ୍ରତିଦିନର ତେଲ ଲୁଣ ସଂସାର ଆହୁରି ସୁନ୍ଦର ଓ ସୁଖମୟ ହୋଇ ଉଠିବ । ଏ ସବୁ ହେଉଛି ଏଇ ସମସ୍ୟାର ଅତି ଜରୁରୀ ସମାଧାନ । ଏ ସବୁ ହେଲେ ଯେ ନାରୀମାନେ ସେବା, ଗୃହକାର୍ଯ୍ୟ, ସନ୍ତାନ ଲାଳନପାଳନ ଭାରରୁ ବଞ୍ଚିତ ହେବେ, ତା’ ନୁହେଁ । ପୃଥିବୀର ବିଭିନ୍ନ ଦେଶର ଏହି ଶ୍ରେଣୀୟ ନାରୀ ସମାଜ, କଳକାରଖାନାମାନଙ୍କରେ କାମ କରି ନିଜ ଗୃହର ସମସ୍ତ ଜଞ୍ଜାଳକୁ ମଧ୍ୟ ତୁଲାଇ ପାରୁଛି । ଅନ୍ୟ ଦେଶର ନାରୀ ସମାଜ ଯଦି ଏହା କରି ପାରୁଛି, ତେବେ ଆମ ଦେଶର ନାରୀ ସମାଜ ବା ନ କରିବ କାହିଁକି... ??

Image

 

ଶ୍ରମିକ ମାଲିକ ସମ୍ପର୍କ

 

ଶ୍ରମିକ ଓ ମାଲିକ ଉଭୟେ ଉଭୟଙ୍କ ପ୍ରତି ଭିନ୍ନ ପ୍ରକାର ମତ ପୋଷଣ କରିବା ଯୋଗୁଁ ଆଜି ଶିଳ୍ପ କ୍ଷେତ୍ରରେ ଶାନ୍ତି ପଦେପଦେ ବ୍ୟାହତ ହେଉଛି ।

 

ଏ ପ୍ରକାର ଗୋଳମାଳିଆ ଅବସ୍ଥାକୁ ସୁଧାରିବାକୁ ହେଲେ, ଶିଳ୍ପ ଅର୍ଥନୀତିରେ ମାଲିକ ଓ ଶ୍ରମିକ ଉଭୟେ ଉଭୟଙ୍କ ପ୍ରତି ନୂତନ ଦୃଷ୍ଟିକୋଣ ଗ୍ରହଣ କରିବା ଏକାନ୍ତ ବାଞ୍ଛନୀୟ ।

 

ବର୍ତ୍ତମାନ ଶିଳ୍ପର ଭିତ୍ତି ଓ ଅଗ୍ରଗତିକୁ ବିଚାର କରାଯାଉ । ଆମର ଗ୍ରାମ୍ୟ ଅର୍ଥନୀତିରେ ଗାଁର ଶ୍ରମିକ, ଶିଳ୍ପର ଉଭୟ ମାଲିକ ଓ ଶ୍ରମିକ ଥିଲା । ଗ୍ରାମ୍ୟ ଅର୍ଥନୀତିର ଉଦ୍ଦେଶ୍ୟ ସାଧନପାଇଁ ସେ କଞ୍ଚାମାଲ କିଣୁଥିଲା ଓ ନିଜର ଶ୍ରମ ବିନିଯୋଗ କରି ଶିଳ୍ପ ଉତ୍ପାଦନ କରୁଥିଲା, କିନ୍ତୁ ସମୟର ଅଗ୍ରଗତି ସଙ୍ଗେ ସଙ୍ଗେ ଏହା ଅନୁଭୂତ ହେଲା ଯେ, ଗ୍ରାମ୍ୟଶିଳ୍ପ, ହୁହୁ ହୋଇ ବଢ଼ି ଉଠୁଥିବା ଜନସଂଖ୍ୟାର ଚାହିଦା ମେଣ୍ଟାଇବାରେ ସମର୍ଥ ହୋଇ ପାରିବ ନାହିଁ । ତେଣୁ ବହୁଳ ଉତ୍ପାଦନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଗଲା ଏବଂ ତା’ ସଙ୍ଗେ ସଙ୍ଗେ ବଡ଼ବଡ଼ ଯନ୍ତ୍ରପାତି କାରଖାନାମାନ ସ୍ଥାପନ କରାଯାଇ, ଲୋକଙ୍କର ଚାହିଦା ମେଣ୍ଟାଗଲା । ପୁଣି ଯନ୍ତ୍ରପାତି କିଣିବାରେ ଓ ଯନ୍ତ୍ରପାତି ବସାଇବାରେ ଆବଶ୍ୟକୀୟ ଗୃହ ନିର୍ମାଣ କରିବା ଶ୍ରମିକମାନଙ୍କ ପକ୍ଷରେ ବହୁ ଅର୍ଥବ୍ୟୟ ଯୋଗୁଁ ସମ୍ଭବ ହୋଇପାରିଲା ନାହିଁ । ତେଣୁ ଧନୀ ଲୋକେ ବହୁଳ ଅର୍ଥ ବିନିଯୋଗ କରି, ଏ ପ୍ରକାର ଯନ୍ତ୍ରପାତି କାରଖାନାମାନ ବସାଇବାରେ ଲାଗିଲେ । ଠିକ୍ ଏହି ଅବସ୍ଥାରେହିଁ ଶ୍ରମିକଙ୍କର ଶ୍ରମ, ଶିଳ୍ପପତିଙ୍କୁ ଆକର୍ଷଣ କଲା, କି ଶିଳ୍ପପତିଙ୍କ ପୁଞ୍ଜି ଶ୍ରମିକଙ୍କୁ ଆକର୍ଷଣ କଲା, ସେ ବିଷୟ ଚିନ୍ତା କରିବା ନିରର୍ଥକ । ଏହା କହିବା ବାହୁଲ୍ୟ ଯେ, ଉଭୟଙ୍କର ଉଭୟଙ୍କ ପ୍ରତି ସହଯୋଗ, ଉଭୟଙ୍କ ପ୍ରତି ଉପକାର ଆଣିବାରେ ସାହାଯ୍ୟ କଲା । ଇତିହାସରୁ ଜଣାପଡ଼େ ଏହି ସହଯୋଗର ପ୍ରଥମ ଅବସ୍ଥାରେ, ପୁଞ୍ଜି ବିନିଯୋଗ କରୁଥିବା ପୁଞ୍ଜିପତି ଓ ଶ୍ରମ ବିନିଯୋଗ କରୁଥିବା ଶ୍ରମିକଙ୍କ ମଧ୍ୟରେ ପୁଞ୍ଜିପତିଙ୍କର ଚତୁରତା ଯୋଗୁଁ କୌଣସି ପ୍ରକାର ସହଯୋଗ ସ୍ଥାପନ କରାଯାଇପାରିଲା ନାହିଁ । ଏହି ପ୍ରକାର ମନୋଭାବର ମାଲିକମାନେ କେବଳ ଶ୍ରମିକମାନଙ୍କୁ ଉତ୍ପାଦନ ବସ୍ତୁରେ ବ୍ୟବହାର କଲେ ଏବଂ ଉତ୍ପାଦନ ପ୍ରଣାଳୀରେ ଶ୍ରମିକମାନଙ୍କର ଯେ ଗୁରୁ କର୍ତ୍ତବ୍ୟ ରହିଛି, ତାହା ଆଦୌ ସ୍ଵୀକାର କଲେ ନାହିଁ ଓ ଶିଳ୍ପରୁ ଯେଉଁ ଲାଭ ଉପୁଜିଲା, ତାହା ଉଭୟଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେବାପାଇଁ ପ୍ରଶ୍ରୟ ଦେଲେ ନାହିଁ । ପୁଞ୍ଜିପତିମାନେ କେବଳ ଚିନ୍ତାକଲେ, ଶ୍ରମିକମାନେହିଁ ମଜୁରୀ ଗଣ୍ଡାକରେ ହକ୍‍ଦାର, ଏହାଛଡ଼ା ଆଉ କିଛି ନୁହେଁ । ପୁଞ୍ଜିପତି ତଥା ମାଲିକମାନଙ୍କ ତୁଳନାରେ ଶ୍ରମିକମାନେ ଚତୁର ଓ ଶିକ୍ଷିତ ନଥିବାରୁ, ସେମାନେ ତାଙ୍କ ଶ୍ରମ ବିନିଯୋଗରେ ଯାହା ପାଇଲେ; ସେଇଥିରହିଁ ସନ୍ତୁଷ୍ଟ ହୋଇ ରହିଲେ ।

 

ଦୁନିଆର ଅଗ୍ରଗତି ସଙ୍ଗେ ସଙ୍ଗେ ଦିନକୁଦିନ ଲୋକମାନେ ଦୂରଦୃଷ୍ଟିସମ୍ପନ୍ନ ହେଲେ । ଶ୍ରମିକମାନେ ଏହି ଅଗ୍ରଗତି ସଙ୍ଗେ ତାଳ ମିଶାଇ ଚାଲିଲେ ଓ ତାଙ୍କର ପୁଞ୍ଜିପତିମାନଙ୍କ ମଧ୍ୟରେ ଜୀବନଧାରଣ ପନ୍ଥାର ଯେ ପ୍ରକାର ତାରତମ୍ୟ ରହିଛି, ତାହା ଅଙ୍ଗେ ଅଙ୍ଗେ ଅନୁଭବ କରିବାକୁ ଲାଗିଲେ । ଶ୍ରମିକମାନଙ୍କର ପ୍ରଶ୍ନ ହେଲା ଯେ, ପୁଞ୍ଜିପତିମାନେ ଧନଦୌଲତ୍‍ରେ ଭାସୁଛନ୍ତି ଓ ଜୀବନକୁ ବିଭିନ୍ନ ଉପାୟରେ ଉପଭୋଗ କରୁଛନ୍ତି । କିନ୍ତୁ ସେମାନଙ୍କୁ ଗୋଟାଏ ଦିନରେ ମଧ୍ୟ, ତାଙ୍କର ଏହି ସ୍ଵଳ୍ପ ମଜୁରୀ ଯୋଗୁଁ ଦୁଇବେଳା ଖାଇବାକୁ ମିଳୁ ନାହିଁ ଏବଂ ସେମାନଙ୍କୁ ଅତି କରୁଣ ପରିସ୍ଥିତି ମଧ୍ୟ ଦେଇ ଅସ୍ଵାସ୍ଥ୍ୟକର ସ୍ଥାନମାନଙ୍କରେ ବସବାସ କରିବାକୁ ପଡ଼ୁଛି । ଏହାଛଡ଼ା ଏହି ସ୍ଵଳ୍ପ ଆୟ ଯୋଗୁଁ ଶ୍ରମିକ, ତା’ର ଛୁଆମାନଙ୍କୁ ଶିକ୍ଷା ଦେଇପାରୁନାହିଁ, ତଥା ତାଙ୍କର ଭବିଷ୍ୟତ ଉନ୍ନତିରେ କିଛି ସାହାଯ୍ୟ କରିପାରୁ ନାହିଁ । ତେଣୁ ପୂର୍ବଲିଖିତ ଏଇ ସମସ୍ତ କାରଣ ଯୋଗୁଁ କାଳକ୍ରମେ ଶ୍ରମିକ ଓ ମାଲିକଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେଲା ।

 

ଏହି ପ୍ରକାର ଅବସ୍ଥାରେ ଶ୍ରମସଙ୍ଗଠନର ନେତାମାନେ ଶ୍ରମିକମାନଙ୍କର ସମସ୍ୟାଗୁଡ଼ିକୁ ନିଜେ ଗ୍ରହଣ କରିନେଲେ ଓ ଶ୍ରମିକମାନଙ୍କର ଦାବିଗୁଡ଼ିକୁ ମାଲିକମାନଙ୍କ ନିକଟରେ ଉପସ୍ଥାପିତ କଲେ । ତେଣୁ ଶ୍ରମିକ ଓ ମାଲିକଙ୍କ ମଧ୍ୟରେ ଯେତେବେଳେ ସଂଘର୍ଷର ସୂତ୍ରପାତ ହେଲା, ତାହା ଦେଶର ଅର୍ଥନୈତିକ ପରିସ୍ଥିତି ଓ ଜନସାଧାରଣଙ୍କ ଶାନ୍ତି ପ୍ରତିଷ୍ଠାରେ ବିଶେଷ ବ୍ୟାଘାତ ସୃଷ୍ଟି କଲା-। ପୁଣି ଶ୍ରମିକମାନଙ୍କଦ୍ଵାରା ବାରମ୍ବାର ଧର୍ମଘଟ ଆରମ୍ଭ ହେବାରୁ ଉତ୍ପାଦନ ପୂରାପୂରି ବନ୍ଦ ହେଲା-। ଶାନ୍ତିରକ୍ଷାକାରୀ ଦେଶର ସରକାର, ଜନସାଧାରଣଙ୍କର ହିତ ଦୃଷ୍ଟିରୁ ଆଗଭର ହେଲେ ଓ ବିଭିନ୍ନ ପ୍ରକାର ଆଇନକାନୁନ ପ୍ରଣୟନ କରି ଶ୍ରମିକମାନଙ୍କର ଦାବିଗୁଡ଼ିକ ଶ୍ରମ ଅନୁଷ୍ଠାନ ଜରିଆରେ ମିଳିତ କାର୍ଯ୍ୟାନୁଷ୍ଠାନ ପନ୍ଥାରେ ସ୍ୱୀକୃତି ପ୍ରଦାନ କଲେ ।

 

ଶ୍ରମସଙ୍ଗଠନଗୁଡ଼ିକର କାର୍ଯ୍ୟକଳାପ ଶ୍ରମିକମାନଙ୍କର ଯେ କେବଳ ମଜୁରୀ ବୃଦ୍ଧିରେ ସାହାଯ୍ୟ କଲା ତାହା ନୁହେଁ, ଶ୍ରମିକମାନଙ୍କ ପାଇଁ ଗୃହନିର୍ମାଣ, ତାଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା ପ୍ରଭୃତିର ସୁଯୋଗ ମଧ୍ୟ ଶ୍ରମିକମାନେ ପାଇଲେ ।

 

ଏହା ମଧ୍ୟରେ ଶ୍ରମିକମାନଙ୍କୁ ବାସଗୃହ ଯୋଗାଇବା ଲାଗି, ବୀମା ଯୋଜନା ଲାଗି, ସର୍ବନିମ୍ନ ମଜୁରୀହାର ଲାଗି, ଦୋକାନ ବାଣିଜ୍ୟ ପ୍ରତିଷ୍ଠାନ ଲାଗି ବିଭିନ୍ନ ପ୍ରକାର ଆଇନକାନୁନମାନ ପ୍ରଣୟନ କରାଗଲାଣି । ଶ୍ରମିକମାନଙ୍କର ସର୍ବବିଧ ଉନ୍ନତିପାଇଁ ତ୍ରିପକ୍ଷୀୟ ସମ୍ମିଳନୀମାନ ଅନୁଷ୍ଠିତ ହେଉଛି । ଏଥିରେ ମାଲିକ, ଶ୍ରମିକ ଓ ସରକାର ଅଂଶଗ୍ରହଣ କରୁଛନ୍ତି । ପୁଣି ଏ ପ୍ରକାର ସମ୍ମିଳନୀମାନଙ୍କ ଜରିଆରେ ଶ୍ରମିକ ମାଲିକ ଏକାଠି ହୋଇ ପରସ୍ପରର ମତି ବିନିମୟ କରିବାକୁ ସକଳ ପ୍ରକାର ସୁବିଧା ପାଉଛନ୍ତି ଏବଂ ଶିଳ୍ପରେ ଶାନ୍ତି ଅବ୍ୟାହତ ରଖିବାପାଇଁ ସକଳ ପ୍ରକାର ଉଦ୍ୟମ ମଧ୍ୟ କରାଯାଉଛି ।

 

ତେଣୁ ବର୍ତ୍ତମାନ ବିଚାରିବାକୁ ପଡ଼ିବ ଯେ, ଶ୍ରମିକ ଓ ମାଲିକଙ୍କ ମଧ୍ୟରେ ଯେ ପ୍ରକାର ବାଦାନୁବାଦ ଲାଗିରହିଛି, ତା’ର ସମାଧାନର ଅନ୍ୟ ପନ୍ଥା ସ୍ଥିରୀକୃତ ହେବା ଉଚିତ । ଶ୍ରମିକ ଓ ମାଲିକ ପରସ୍ପର ମଧ୍ୟରେ ଶିଳ୍ପ ଅର୍ଥନୀତିକୁ ଶ୍ରମଦାନ ଓ ଶିଳ୍ପଲାଭ ସଂକ୍ରାନ୍ତୀୟ ବଣ୍ଟନରେ ବାଦାନୁବାଦ ଲାଗିରହିଛି । ତେଣୁ ଉଭୟଙ୍କ ମଧ୍ୟରେ ଏ ମନୋଭାବ ଜାଗରୁକ କରିବା ଉଚିତ ଯେ, ଶିଳ୍ପପାଇଁ ଉଭୟଙ୍କର ଦାନ ରହିଛି । ଉଭୟଙ୍କର ସାହାଯ୍ୟ ସହଯୋଗ ବିନା, ଶିଳ୍ପର ଅଗ୍ରଗତି ଅସମ୍ଭବ ହୋଇ ଉଠିବ । ଶିଳ୍ପପତିମାନେ ଶିଳ୍ପପାଇଁ ଯନ୍ତ୍ରପାତି କିଣୁଛନ୍ତି, ଗୃହ ନିର୍ମାଣ କରୁଛନ୍ତି ଓ ଶ୍ରମିକଙ୍କୁ, ନିଯୁକ୍ତ କରି ତାଙ୍କୁ ମଜୁରୀ ଦେଉଛନ୍ତି । ଅନ୍ୟ ପକ୍ଷରେ ଏହା ମଧ୍ୟ ସତ୍ୟ ଯେ, ଶ୍ରମିକମାନଙ୍କର ବିନା ସହଯୋଗରେ, ଶିଳ୍ପପତି ତା’ର ଶିଳ୍ପକୁ ଚଳାଇ ପାରିବ ନାହିଁ । ତେଣୁ ଶ୍ରମିକ ଏଇ ଆଳରେ ତା’ର ନେତାମାନଙ୍କର ସାହାଯ୍ୟରେ, ଶିଳ୍ପପତିଙ୍କ ନିକଟରେ ସମସ୍ତ ପ୍ରକାର ଦାବି ବାଢ଼ି ବସିବା ଆଦୌ ସମୀଚୀନ ନୁହେଁ । ଏହା ଅତ୍ୟନ୍ତ ଯୁକ୍ତିଯୁକ୍ତ କଥା ଯେ, ମାଲିକମାନେ ଶ୍ରମିକମାନଙ୍କୁ କେବଳ ଦୈନିକ ମଜୁରୀ ଦେଇ ଦେଲେ ହେଲା ନାହିଁ । ମାଲିକମାନେ ଶ୍ରମିକମାନଙ୍କ ପାଇଁ ଏପରି ବ୍ୟବସ୍ଥା କରିବା ଉଚିତ, ଯାହାଦ୍ଵାରା କି ଶ୍ରମିକମାନେ ସ୍ଵାସ୍ଥ୍ୟପ୍ରଦ ଜୀବନଯାପନ କରି ପାରିବେ ଓ ତାଙ୍କର ଛୁଆମାନଙ୍କୁ ଶିକ୍ଷା ପ୍ରଦାନ କରି ପାରିବେ ।

 

ବର୍ତ୍ତମାନ ଆମର ଦେଶ ସ୍ଵାଧୀନ ହୋଇଛି । ଏ ଅବସ୍ଥାରେ ଉଭୟେ ଶ୍ରମିକ ଓ ମାଲିକ ଦେଶରେ ଶିଳ୍ପ ଅର୍ଥନୀତିକୁ ବ୍ୟାହତ କଲା ଭଳିଆ କୌଣସି କାର୍ଯ୍ୟ କରିବା ଅତ୍ୟନ୍ତ ଅଶୋଭନୀୟ କଥା । ପ୍ରତ୍ୟେକ ଦେଶପ୍ରେମୀ ଭାରତୀୟ, ସେ ମାଲିକ ହୁଅନ୍ତୁ ବା ଶ୍ରମିକ ହୁଅନ୍ତୁ, ସେମାନଙ୍କର କର୍ତ୍ତବ୍ୟ ହେଉଛି, ଦେଶର ସର୍ବବିଧ ଶିଳ୍ପ ସମୃଦ୍ଧିର ପରିକଳ୍ପନା କରିବା ।

 

ଏ ସଂକ୍ରାନ୍ତରେ ଗ୍ରେଟବ୍ରିଟେନ ଶ୍ରମସଙ୍ଗଠନର ଦେଶପ୍ରେମର ଉଦାହରଣ ଏଠାରେ ଅନୁକରଣୀୟ । ଯେତେବେଳେ ଗ୍ରେଟବ୍ରିଟେନରେ ଅର୍ଥନୈତିକ ଦୁଃସ୍ଥିତି ଭୟଙ୍କର ଭାବରେ ଦେଖା ଦେଇଥିଲା, ସେହି ସମୟରେ ଶ୍ରମିକମାନେ ତାଙ୍କର ମଜୁରୀ ଦାବିରୁ ପୂରାପୂରି କ୍ଷାନ୍ତ ହୋଇଥିଲେ-। ଆମର ଶ୍ରମିକ ସମାଜ ଆମ ଦେଶରେ ଅଭ୍ୟନ୍ତରୀଣ ପରିସ୍ଥିତିକୁ ହୃଦୟଙ୍ଗମ କରି ଏଥିଲିଖିତ ଉଦାହରଣଗୁଡ଼ିକୁ ମନେରଖିବା ଉଚିତ ।

 

ମାଲିକ ଓ ଶ୍ରମିକମାନଙ୍କ ମଧ୍ୟରେ ଉପୁଜୁଥିବା ଶିଳ୍ପ ବିବାଦ ସଂଘର୍ଷରେ ସରକାର ହସ୍ତକ୍ଷେପ କରି, ଶିଳ୍ପ ଶାନ୍ତି ଆଣିବାରେ ସହାୟକ ହୋଇଥାଆନ୍ତି । କିନ୍ତୁ ଆମର ଜନସାଧାରଣ ଏ ଦିଗରେ ସମ୍ପୂର୍ଣ୍ଣ ଉଦାସୀନ । ଜନସାଧାରଣଙ୍କର ଭାବିବା ଉଚିତ ଯେ, ଏହି ଶିଳ୍ପ ବିବାଦ ଯୋଗୁଁ କେବଳ ଯେ ଶିଳ୍ପଶାନ୍ତି ବ୍ୟାହତ ହୁଏ, ବ୍ୟକ୍ତିଗତ କ୍ଷତି ହୁଏ, ତାହା ନୁହେଁ, ବରଂ ଏହାଦ୍ଵାରା ସମଗ୍ର ଦେଶ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ବର୍ତ୍ତମାନ ଏହା ଅତ୍ୟନ୍ତ ଜରୁରୀ ବିଷୟ ଯେ, ଦେଶର ଜନସାଧାରଣ ମାଲିକ ଓ ଶ୍ରମିକର ଏ ପ୍ରକାର ଶିଳ୍ପ ସଂଘର୍ଷରେ ହସ୍ତକ୍ଷେପ କରି, ତାଙ୍କର ବୈଧାନିକ ମତାମତ ପ୍ରକାଶ କରିବା ଏକାନ୍ତ ବାଞ୍ଛନୀୟ । ତାଙ୍କର ଏ ପ୍ରକାର ଯୁକ୍ତିଯୁକ୍ତ ଓ ବୈଧାନିକ ମତ ବ୍ୟକ୍ତ କରିବା ଫଳରେ ଶ୍ରମିକ ଓ ମାଲିକ ଉଭୟେ ତାଙ୍କର ଭୁଲ ପନ୍ଥାରୁ ନିବୃତ୍ତ ହେବେ ।

Image

 

ଶ୍ରମ ଏବଂ କଲ୍ୟାଣ

 

ଶ୍ରମ କଲ୍ୟାଣ ଶବ୍ଦର ବିଭିନ୍ନ ଅର୍ଥ ପରିଲିକ୍ଷିତ ହୁଏ । ଏହି ଶବ୍ଦଟିର ପ୍ରକୃତ ଅର୍ଥ ପ୍ରତିପାଦନ କରିବା କାଠିକରପାଠ । ବାସ୍ତବରେ କହିବାକୁ ଗଲେ କୁହାଯିବ ଯେ, ଦେଶର ପରିସ୍ଥିତି ତଥା ଆବଶ୍ୟକତା ଅନୁଯାୟୀ ଏହି ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ଭାବରେ ପ୍ରତିପାଦିତ ହୋଇଥାଏ । ଏହି ଶ୍ରମ କଲ୍ୟାଣ ଶବ୍ଦ ପଛରେ ଶ୍ରମିକ ଜୀବନର ବହୁ ସମସ୍ୟା ଲୁଚିଛପି ରହିଛି । ବିଭିନ୍ନ ଦେଶରେ ମଧ୍ୟ ଏହି ସମସ୍ୟାଟି ଭିନ୍ନ ଭିନ୍ନ ଭାବରେ ରୂପ ନେଇଥାଏ । ଏଣୁ ବିଭିନ୍ନ ଦେଶର ଶ୍ରମ କଲ୍ୟାଣ ରୂପରେଖ କି ପ୍ରକାର, ତାହା ପରପୃଷ୍ଠାରେ ବୁଝାଇ ଦିଆଯିବାର ପ୍ରଚେଷ୍ଟା କରାଯାଇଛି–

 

(୧) ଇଂଲଣ୍ଡର ଶ୍ରମିକ କଲ୍ୟାଣ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷା ମିସ୍. ଇ.ଟି. କେଲିଙ୍କ ବିଚାରରେ ଶ୍ରମ କଲ୍ୟାଣର ତାତ୍ପର୍ଯ୍ୟ ହେଲା–‘‘ଶ୍ରମିକଙ୍କର ବ୍ୟବହାର ଓ କାର୍ଯ୍ୟର ସୁନିୟନ୍ତ୍ରଣ ପାଇଁ କୌଣସି ନିୟମ ପ୍ରଣୟନ କରିବା ।”

 

(୨) ସାର୍ ଏଡ଼୍‍ୱାର୍ଡ଼ ପ୍ୟାଣ୍ଟନଙ୍କ ମତରେ–“କାରଖାନା ପରିଚାଳନାରେ ଶ୍ରମିକକୁ ସୁଖଶାନ୍ତି ଓ ସମୃଦ୍ଧି ଦାନର ବିଶେଷ ପ୍ରଯତ୍ନ କରିବା ।’’

 

(୩) ଶ୍ରମ ସମ୍ପର୍କିତ ଏକ ବୁଲେଟିନଙ୍କ ମତରେ–“ଶ୍ରମିକଙ୍କ ପାଇଁ ମଜୁରୀ ବୃଦ୍ଧି, ଆରାମ ଏବଂ ଉନ୍ନତିର ସୁବିଧା ପ୍ରଦାନ ତଥା ବୌଦ୍ଧିକ ଓ ସାମାଜିକ ସ୍ତରର ଉତ୍ତରୋତ୍ତର ଉନ୍ନତି ।

 

(୪) ବିଶ୍ଵକୋଷଙ୍କ ମତରେ–ସାମାଜିକ ବିଜ୍ଞାନ, ବର୍ତ୍ତମାନର ଔଦ୍ୟୋଗିକ ପ୍ରଥାନୁଯାୟୀ ପ୍ରତ୍ୟେକ ପ୍ରତିଷ୍ଠାନର ମାଲିକମାନେ ନିଜର ଇଚ୍ଛାନୁଯାୟୀ ଉଦ୍ୟମଦ୍ଵାରା ନିୟମର ପ୍ରୟୋଜନୀୟତା ଛଡ଼ା, ଶ୍ରମିକଙ୍କର ଅନ୍ୟାନ୍ୟ ସୁବିଧା ପ୍ରତି ଦୃଷ୍ଟି ଦେବେ । ତାହାହେଲେ ଶ୍ରମିକଙ୍କର କାର୍ଯ୍ୟକାଳ ଓ ଜୀବନଯାତ୍ରାର ପଦ୍ଧତି ବଜାର ପରିସ୍ଥିତି କଥା ଜୀବନ ନିର୍ବାହ ପ୍ରଣାଳୀର ଉତ୍ତରୋତ୍ତର ଉନ୍ନତି ଘଟିଥାଏ ।

 

(୫) ଇ.ଏସ୍. ପ୍ରାଉଡ଼ଙ୍କ ମତାନୁଯାୟୀ—ମାଲିକମାନଙ୍କଦ୍ଵାରା ନିଜ ନିଜ କାରଖାନାରେ ପ୍ରଚଳିତ ଔଦ୍ୟୋଗୀକରଣ ପ୍ରଥା ଏବଂ ନିଯୁକ୍ତି ବ୍ୟବସ୍ଥାର ଉତ୍ତରୋତ୍ତର ଉନ୍ନତି ସଂଘଟନ ।

 

(୬) ଶ୍ରୀ ଏମ୍.ଏମ୍. ଘୋଷଙ୍କ ମତରେ–ଶ୍ରମ କଲ୍ୟାଣ କଥାଟା ହେଉଛି ଶ୍ରମିକଙ୍କ ସ୍ଵାର୍ଥ ଦୃଷ୍ଟିରୁ ମାଲିକଙ୍କଦ୍ଵାରା କରାଯାଉଥିବା ସମସ୍ତ ପ୍ରକାର ପ୍ରଯତ୍ନ ଓ ସର୍ବୋପରି କାରଖାନା ଆଇନରେ କୁହାଯାଇଥିବା କାମ କରିବାର ନ୍ୟୁନତମ ପରିସ୍ଥିତି ପ୍ରଦାନ ତଥା ଦୁର୍ଘଟଣା, ବୃଦ୍ଧାବସ୍ଥା, ବେକାରି ଏବଂ ବେମାର ଅବସ୍ଥାପାଇଁ ସାମାଜିକ ବ୍ୟବସ୍ଥାର ସୁନିୟନ୍ତ୍ରଣ ।

 

(୭) ଆନ୍ତର୍ଜାତିକ ଶ୍ରମ ସଂସ୍ଥାର ଏକ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ—ଶ୍ରମ କଲ୍ୟାଣଦ୍ଵାରା ଏହା ବୁଝାପଡ଼ୁଛି ଯେ, ମାଲିକମାନଙ୍କଦ୍ଵାରା ଏପରି ସମସ୍ତ କାର୍ଯ୍ୟ କରାଯିବ, ଯାହା ଫଳରେ ଶ୍ରମିକମାନେ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟ ଦେଇ କାମ କରି ପାରିବେ ଓ ନିଜ ନିଜର ସ୍ଵାସ୍ଥ୍ୟ ଏବଂ ନୈତିକ ସ୍ତରର ଉନ୍ନତି କରିବାରେ ସକ୍ଷମ ହେବେ ।

 

(୮) ଶ୍ରୀ ଏଚ୍.ଏସ୍. କିରକାଲ୍‍ଡ଼ (H. S. Kirkaldy)ଙ୍କ ମତରେ—ଶ୍ରମ କଲ୍ୟାର ସମ୍ପୂର୍ଣ୍ଣ କ୍ଷେତ୍ର ଏପରି ଯେ, ସେଥିରେ ଶିଳ୍ପ ଶ୍ରମିକଙ୍କର ନୈରାଶ୍ୟ ମନୋଭାବ ଦୂର କରାଯିବ, ତାକୁ ତା’ର ବ୍ୟକ୍ତିଗତ ତଥା ପାରିବାରିକ ଚିନ୍ତାରୁ ମୁକ୍ତ କରାଯିବ, ତା’ର ସ୍ୱାସ୍ଥ୍ୟ ଉନ୍ନତିର ବ୍ୟବସ୍ଥା କରାଯିବ, ତାକୁ ତା’ର ସ୍ଵାଧୀନ ମତାମତ ପ୍ରଦାନ କରିବାର ସ୍ଵାଧୀନତା ଦିଆଯିବ, ତାକୁ ଅନ୍ୟମାନଙ୍କ ତୁଳନାରେ ଆହୁରି ଅଗ୍ରସର ହେବାର ପରିସ୍ଥିତି ସୃଷ୍ଟି କରାଯିବ ଏବଂ ପରିଶେଷରେ ତା’ର ଜୀବନ ସମ୍ପର୍କରେ ବିସ୍ତୃତ ଧାରଣା ଦେବାର ବିଶେଷ ସହାୟତା ପ୍ରଦାନ କରାଯିବ ।

 

ଭାରତସରକାରଙ୍କଦ୍ଵାରା ନିଯୁକ୍ତ ଶ୍ରମ ଯାଞ୍ଚ ସମିତିଦ୍ଵାରା ଶ୍ରମ କଲ୍ୟାଣ ସମ୍ପର୍କରେ ନିର୍ଦ୍ଧାରିତ ହୋଇଥିବା କଥାଗୁଡ଼ିକ ହେଲା–“ଶ୍ରମିକ କଲ୍ୟାଣ କାର୍ଯ୍ୟର ପରିସର ମଧ୍ୟରେ ଶ୍ରମିକଙ୍କର ବୌଦ୍ଧିକ, ଶାରୀରିକ ନୈତିକ ଏବଂ ଆର୍ଥିକ ବିକାଶର ପର୍ଯ୍ୟାୟମାନ ଅନ୍ତର୍ଭୁକ୍ତ । ପୁଣି କୁହାଯାଇଛି ଯେ, ଆଇନ ଅନୁଯାୟୀ ଏ ସବୁର ବିକାଶପାଇଁ ଯାହା ଯାହା ଲିପିବଦ୍ଧ ଅଛି, ତାହାଠାରୁ ଆହୁରି ଅଧିକ ମାଲିକମାନଙ୍କଦ୍ଵାରା ସ୍ଵେଚ୍ଛାକୃତଭାବେ ହେବା ଉଚିତ । ଏହାଛଡ଼ା ନିମ୍ନଲିଖିତ ବ୍ୟବସ୍ଥାଗୁଡ଼ିକର ପ୍ରଯତ୍ନ ହେବା ଅତ୍ୟନ୍ତ ବାଞ୍ଛନୀୟ । ଶ୍ରମିକମାନଙ୍କର ନିବାସ ବ୍ୟବସ୍ଥା, ସ୍ୱାସ୍ଥ୍ୟପ୍ରଦ ସ୍ଥାନ, ସବେତନ ଅବକାଶ, ସମବାୟ ସମିତି, ସାମାଜିକ ବୀମା, ସ୍ଥାୟୀଗୃହ ଏବଂ ଶିଶୁଗୃହ, ପାରିତୋଷିକ, ପେନ୍‍ସନ୍, ମାତୃମଙ୍ଗଳ ସୁବିଧା ପ୍ରଭୃତି ବିଷୟଗୁଡ଼ିକ ମାଲିକମାନେ ନିଜେ ଓ ସ୍ୱେଚ୍ଛାକୃତ ଏକକଭାବେ କାର୍ଯ୍ୟ କରିବେ କିମ୍ବା କାର୍ଯ୍ୟ ପ୍ରଣାଳୀରେ ସାହାଯ୍ୟ କରିବା ଶ୍ରମିକଙ୍କର ସହଯୋଗ ଲୋଡ଼ିବେ ।

 

ଏଣୁ ବିଭିନ୍ନ ଭାବରେ ବିଭିନ୍ନ ମତାମତ ପ୍ରଦାନ କରି ସାରିବା ପରେ ଶ୍ରମ କଲ୍ୟାଣର ଏକ ସ୍ଥୂଳ ଧାରଣା ଆମେ ଜାଣିପାରୁ । ତଥାପି ଏ ସଂକ୍ରାନ୍ତରେ ଆହୁରି ମଧ୍ୟ କିଛି କୁହାଯାଇପାରେ-

 

(୧) ଶ୍ରମ କଲ୍ୟାଣ କଥା କହିଲେ ବୁଝାପଡ଼ିଛି ଯେ, ମାଲିକ ତା’ର ଔଦ୍ୟୋଗିକ ଉତ୍ପାଦନ ବଢ଼ାଇବା ସଙ୍ଗେ ସଙ୍ଗେ ବିଦ୍ୟମାନ ଔଦ୍ୟୋଗିକ ବ୍ୟବସ୍ଥାର ଉନ୍ନତି କରିବା ନିମିତ୍ତ ଏହି ଶ୍ରମିକ କଲ୍ୟାଣ ପର୍ଯ୍ୟାୟର ବିଶେଷ ସୁବିଧା କରିବା ଉଚିତ । ଏହି ସୁବିଧାଗୁଡ଼ିକ ପ୍ରଦାନ କରିବା ଫଳରେ ଶ୍ରମିକମାନଙ୍କର କାମ କରିବା ଅବସ୍ଥାର ଓ ରୋଜଗାରର ଯେ ବିଶେଷ ଉନ୍ନତି ହେବ, ଏହା ନିଃସନ୍ଦେହ ।

 

(୨) ଏହି ପ୍ରକାର ଉପରଲିଖିଜ ସୁବିଧାଗୁଡ଼ିକ ଶ୍ରମିକମାନଙ୍କୁ ପ୍ରଦାନ କରିବାର ଉଦ୍ଦେଶ୍ୟ ହେଲା ଯେ, ଏହା ଫଳରେ ଶ୍ରମିକମାନଙ୍କର ଶାରୀରିକ, ନୈତିକ, ମାନସିକ, ବୌଦ୍ଧିକ ତଥା ସାମାଜିକ ଜୀବନର ସୁସ୍ଥ ପରମ୍ପରା ବିକଶିତ ଓ ସମୁନ୍ନତ ହୋଇ ଉଠିବ ।

 

ଏହା ହୋଇ ପାରିଲେ, ଶ୍ରମିକମାନଙ୍କର ଜୀବନ ସ୍ତର ଉଚ୍ଚ ହେବ ଓ ନିଜର ଅନୁଷ୍ଠାନ ପ୍ରତି, ସେମାନଙ୍କର ଦୃଷ୍ଟିକୋଣ ବିସ୍ତୃତ ହୋଇ ଉଠିବ । ଏହି ସୁବିଧାର ପରିସର ମଧ୍ୟରେ ବସବାସ ବ୍ୟବସ୍ଥା, ସାମାଜିକ ଜୀବନବୀମା ଯୋଜନା, ରୋଜଗାରର ଉନ୍ନତି, ପରିସ୍ଥିତି ଓ କାର୍ଯ୍ୟ ସମୟର ଉନ୍ନତି ଇତ୍ୟାଦି ଅନ୍ତର୍ଭୁକ୍ତ ।

 

(୩) ଶ୍ରମ କଲ୍ୟାଣ କାର୍ଯ୍ୟଗୁଡ଼ିକ କେବଳ ଯେ ମାଲିକମାନଙ୍କଦ୍ଵାରା ହେବ, ଏହା ନୁହେଁ । କିନ୍ତୁ ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ଏହା ରାଷ୍ଟ୍ର ସରକାର ମଧ୍ୟ ପ୍ରଯତ୍ନ କରିବା ଏକାନ୍ତ ବାଞ୍ଛନୀୟ-। କାରଣ ଶ୍ରମିକ କଲ୍ୟାଣରେ ଶିଳ୍ପର ଅଭିବୃଦ୍ଧି ଓ ଉନ୍ନତି ହେଲେ କେବଳ ମାଲିକ ଯେ ଭଗବାନ ହୁଏ ତାହା ନୁହେଁ, ବରଂ ସମଗ୍ର ରାଷ୍ଟ୍ର ଏହାଦ୍ଵାରା ଲାଭବାନ ହୋଇଥାଏ । ପୁଣି କଲ୍ୟାଣ କାର୍ଯ୍ୟଗୁଡ଼ିକର ଅଭାବ ଯୋଗୁଁ ଶ୍ରମିକମାନଙ୍କ ମଧ୍ୟରେ କ୍ରାନ୍ତିକାରୀ ଭାବନାର ଉଦ୍ରେକ ହୋଇପାରୁ ନାହିଁ । ଏହା ଫଳରେ ବେଳକୁବେଳ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ହେବାକୁ ଲାଗୁଚି ଓ ଔଦ୍ୟୋଗିକ ଅଶାନ୍ତି ଉପୁଜୁଛି, ଯାହା ଫଳରେ ସମାଜର ବିଶେଷ ହାନି ଘଟୁଛି । ଏଥିପାଇଁ ସରକାର ଶ୍ରମିକମାନଙ୍କୁ ସନ୍ତୁଷ୍ଟ ରଖିବାପାଇଁ ଆଇନ ପ୍ରଣୟନ ଫଳରେ ବିଭିନ୍ନ ଉପାୟ ବ୍ୟବସ୍ଥା କରି ଥାଆନ୍ତି, ଯେହେତୁ ଦେଶପାଇଁ ଔଦ୍ୟୋଗିକ ନୀତି ନିର୍ଦ୍ଧାରଣ ପାଇଁ ସରକାର ମୁଖ୍ୟତଃ ଦାୟୀ-। ସରକାରଙ୍କ ଛଡ଼ା ଏହି କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଶ୍ରମିକ ସଙ୍ଗଠନ ମାଧ୍ୟମରେ କରାଯାଇଥାଏ । କୌଣସି ସମାଜସେବୀ ମଧ୍ୟ ନିଜ ଇଚ୍ଛାନୁଯାୟୀ କଲ୍ୟାଣକର କାର୍ଯ୍ୟମାନ ମଧ୍ୟ କରିଥାଆନ୍ତି ।

 

ତେଣୁ ଏ ପ୍ରକାର କଲ୍ୟାଣ କାର୍ଯ୍ୟ ସମ୍ପର୍କରେ କହିବାର ଅଭିପ୍ରାୟ ହେଉଛି ଯେ, ଶ୍ରମିକ, ମାଲିକ, ସରକାର ତଥା ସମାଜସେବୀ ସଂସ୍ଥାମାନଙ୍କଦ୍ଵାରା ଶ୍ରମିକମାନଙ୍କ ଜୀବନ ସ୍ତରର ଉତ୍ତରୋତ୍ତର ଉନ୍ନତି ସାଧନ, ସର୍ବାଙ୍ଗୀନ ବିକାଶ, ତା’ର କାର୍ଯ୍ୟ ଓ କାର୍ଯ୍ୟକାଳ ଏବଂ ପରିସ୍ଥିତିର ସମୁନ୍ନତି ପ୍ରଭୃତିର ସୁରକ୍ଷା ଓ ସୁବ୍ୟବସ୍ଥା ହେବା ଏକାନ୍ତ ବାଞ୍ଛନୀୟ ।

Image

 

ଶ୍ରମ କଲ୍ୟାଣ କାର୍ଯ୍ୟର ଲକ୍ଷ୍ୟ

 

ଶ୍ରମ କଲ୍ୟାଣ କାର୍ଯ୍ୟର ଲକ୍ଷ୍ୟକୁ ନିମ୍ନଲିଖିତ ତିନି ଭାଗରେ ବିଭକ୍ତ କରାଯାଇପାରେ–

 

(୧) ଏହି କାର୍ଯ୍ୟ ଆଂଶିକରୂପେ ମାନବିକ ଅଟେ; ଅର୍ଥାତ୍ ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଲା ଯେ, ଶ୍ରମିକଙ୍କର ଚାହିଦା ଓ କାର୍ଯ୍ୟ କରିବା ପରିସର ମଧ୍ୟରେ ମାନବିକ ଦୃଷ୍ଟିକୋଣ ସୃଷ୍ଟି କରିବା ଉଚିତ । ଏହି ଉଦ୍ଦେଶ୍ୟର ବଶବର୍ତ୍ତୀ ହାଇ ମାଲିକ ତଥା ସରକାରଙ୍କଦ୍ଵାରା ଶ୍ରମିକମାନଙ୍କ ନିମିତ୍ତ ଏହି ପ୍ରକାର ସୁବିଧା ପ୍ରଦାନ କରାଯିବା ଉଚିତ, ଯେଉଁଥିରେ କି, ଶ୍ରମିକ ନିଜର ସମ୍ପୂର୍ଣ୍ଣ ଓ ସମୃଦ୍ଧ ଜୀବନ ପ୍ରତି ଚେତନଶୀଳ ହୋଇ ପାରିବ ।

 

(୨) ଏହି କାର୍ଯ୍ୟ ଅଂଶିକରୂପେ ଆର୍ଥିକ ଅଟେ । କାରଣ, ଏହାର ଉଦ୍ଦେଶ୍ୟ ହେଲା ଯେ, ଏହାଦ୍ଵାରା ଶ୍ରମିକର କାର୍ଯ୍ୟକ୍ଷମତା ବଢ଼ି ଉଠିବ । କାରଣ, କାର୍ଯ୍ୟକ୍ଷମତା ବୃଦ୍ଧି ହେଲେ ଶ୍ରମିକଙ୍କୁ ମିଳୁଥିବା ମଜୁରୀର ବୃଦ୍ଧି ହେବ ଓ ଶ୍ରମିକର ଆୟ ମଧ୍ୟ ବୃଦ୍ଧି ହେବ । ଏହି କଲ୍ୟାଣ କାର୍ଯ୍ୟର ଉଦ୍ଦେଶ୍ୟ ହେଲା ଯେ, ଯେଉଁଠାରେ ଶ୍ରମଶକ୍ତି ମିଳିବା ଦୁର୍ଲଭ, ସେହିଠାରେ ଏହି ପ୍ରକାର କଲ୍ୟାଣର ଉପଲଭ୍ୟତା ବିଶେଷଭାବେ ବୃଦ୍ଧି କରିବାକୁ ହେବ । କିମ୍ବା ଯେଉଁଠାରେ ଶ୍ରମଶକ୍ତି ମିଳିବା ଦୁର୍ଲଭ ନୁହେଁ, ସେହିଠାରେ ଏହି ପ୍ରକାର କଲ୍ୟାଣ ବ୍ୟବସ୍ଥା ସୃଷ୍ଟି କରାଗଲେ, ଶ୍ରମିକମାନେ ପୂର୍ଣ୍ଣ ସନ୍ତୋଷ ଲାଭ କରିବେ ଏବଂ ସେମାନଙ୍କ ମଧ୍ୟରେ ସଙ୍ଗଠନ ଗଢ଼ି ଉଠିବ ଏବଂ ଶିଳ୍ପ ସଂଘର୍ଷ ସୃଷ୍ଟି କରିବାର ଯେଉଁ ଭାବନା, ତାହା ବିକାଶ ଲାଭ କରିବାରେ ବାଧା ଉପୁଜିବ । କାରଣ, ଶିଳ୍ପ ସଂଘର୍ଷ ଉପୁଜିଲେ ଶ୍ରମିକ, ମାଲିକ ତଥା ସମାଜ ସମସ୍ତଙ୍କର ଅତ୍ୟନ୍ତ ଆର୍ଥିକ ହାନି ଘଟିବ । ପୁଣି ଏହି କଲ୍ୟାଣ କାର୍ଯ୍ୟର ଉଦ୍ଦେଶ୍ୟ ହେଲା, ଶ୍ରମିକର ଜୀବନ ନିର୍ବାହ ବ୍ୟୟକୁ କମ୍ କରିବାକୁ ପଡ଼ିବ ଏବଂ ଶ୍ରମିକ ନିଜ ଜୀବନର ଆବଶ୍ୟକୀୟ ବସ୍ତୁ ଛଡ଼ା ଅଧିକ ବ୍ୟୟ କରିବାପାଇଁ ଯୋଗ୍ୟ ହୋଇ ପାରିବ । ପୁଣି ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଲା ଯେ, ସ୍ଵାସ୍ଥ୍ୟ ଓ ପରିଷ୍କୃତି ପାଇଁ ଖର୍ଚ୍ଚ ହେଉଥିବା ଅନାବଶ୍ୟକ ବ୍ୟୟକୁ କମ୍ କରି ତା’ର ଜୀବନରେ ଆର୍ଥିକ ରୂପକୁ ସମୃଦ୍ଧ କରିବାକୁ ପଡ଼ିବ ।

 

(୩) ଏହି କଲ୍ୟାଣ କାର୍ଯ୍ୟର ଆଶିଂକ ଉଦ୍ଦେଶ୍ୟ ହେଲା ଯେ, ଶ୍ରମିକଙ୍କ ମନରେ ନାଗରିକତାର ବୀଜବପନ କରିବା । ଅନ୍ୟ ଭାଷାରେ କହିବାକୁ ଗଲେ କୁହାଯିବ ଯେ, ଶ୍ରମିକ ନିଜକାର୍ଯ୍ୟ, ନିଜ ଉଦ୍ୟୋଗ ଏବଂ ନିଜ ସମାଜ ପ୍ରତି ସମ୍ମାନ ଓ ଦାୟିତ୍ଵର ଭାବନା ସୃଷ୍ଟି କରିବେ ଏବଂ ଉତ୍ତମ ନାଗରିକ ହେବେ ।

 

(୪) ଶେଷରେ ଏହି କଲ୍ୟାଣ କାର୍ଯ୍ୟର ଉଦ୍ଦେଶ୍ୟ ସମାଜ ଶାସ୍ତ୍ରୀୟ (Sociological) । କାହିଁକି ନା, ଏହାଦ୍ଵାରା ଶ୍ରମିକ ସଙ୍ଗଠନ, ସରକାର ଏବଂ ମାଲିକ ଏହି ତିନୋଟି ସଂସ୍ଥା ଏକ ସାଥିରେ ମିଶି କରି କାମ କରିବେ । ଏହି ତିନୋଟି ବିଭିନ୍ନ ଶକ୍ତି ମିଶି କରି ସଫଳତା ସହ କାର୍ଯ୍ୟ କରି ପାରିଲେ ଏହି ତିନୋଟି ପକ୍ଷ ମଧ୍ୟରେ ସାମଞ୍ଜସ୍ୟ ସ୍ଥାପନ ହୋଇ ପାରିବ । ତେଣୁ ଏହି କଲ୍ୟାଣର ପ୍ରକୃତି ଦୃଷ୍ଟିକୋଣ ହେଲା ଯେ, ଏହି ତିନୋଟି ପକ୍ଷ ପରସ୍ପର ପ୍ରତି ବୁଝାମଣା ସୃଷ୍ଟି କରିବେ ତଥା ପରସ୍ପର ମଧ୍ୟରେ ଦୃଢ଼ ସଂସ୍ଥା ଓ ସମ୍ବନ୍ଧ ସ୍ଥାପନ କରିବେ ।

Image

 

ଶ୍ରମ ସଙ୍ଗଠନର ଶକ୍ତି ଓ ଦାୟିତ୍ଵ

 

କେହି କେହି ମତ ପ୍ରକାଶ କରିଥାଆନ୍ତି ଯେ, ଶ୍ରମିକଙ୍କର ସକଳ ପ୍ରକାର ଉନ୍ନତି ଉଦ୍ଦେଶ୍ୟରେ ଶ୍ରମିକ ସଙ୍ଗଠନର ଆବିର୍ଭାବ ହୋଇଛି । ଅନ୍ୟ ଭାଷାରେ ଏହା କୁହାଯାଇପାରେ ଯେ, ଶ୍ରମିକମାନେ ନିଜର ଏବଂ ସେମାନଙ୍କ ବ୍ୟକ୍ତିତ୍ଵ ମଧ୍ୟରେ ସଦ୍‍ଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିଜ ନିଜର ସହଯୋଗରେ ଏହି ସଙ୍ଗଠନ ଗଢ଼ିଛନ୍ତି । ବିଶେଷତଃ “ୟେ ମୋର କାର୍ଯ୍ୟ”, “ୟେ ମୋର ସଙ୍ଗଠନ” ଏହି ପ୍ରକାର ଅନ୍ତର୍ନିହିତ ଭାବନାରେ ପ୍ରେରିତ ହୋଇ ଶ୍ରମିକ ସଙ୍ଗଠନର ଆବିର୍ଭାବ ହୋଇଛି । ଶ୍ରମିକ ନିଜେ ଏକୁଟିଆ ଥାଏ, କିନ୍ତୁ ସଙ୍ଗଠିତ ହୋଇଯିବା ପରେ ଏହା ଉତ୍ପାଦନର ଗୋଟିଏ ଅଭିନ୍ନ ଅଙ୍ଗ ହୋଇଯାଏ । ଏହି ପ୍ରକାର ଉଦ୍ଦେଶ୍ୟରେ ପ୍ରେରିତ ହୋଇ ଆଜିର ଅର୍ଥନୀତି କ୍ଷେତ୍ରରେ ସଙ୍ଗଠନ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରିଛି ।

 

ପୁଣି ଶ୍ରମିକ ସଙ୍ଗଠନଦ୍ଵାରା ଶ୍ରମିକମାନଙ୍କ ମଧ୍ୟରେ ଗୋଟିଏ ନୂଆ ସଂସ୍କାର, ଅନୁଶାସନ ଓ ନୂଆ ପ୍ରଭାବର ଉଦ୍ଭବ ହୋଇଛି । ଏହାର ପରିଣାମସ୍ଵରୁପ ସମାଜର ନ୍ୟାୟ, ଅନୁଶାସନ ଓ ସାମାଜିକ ବ୍ୟବସ୍ଥାର ଗୋଟିଏ ନୂଆ ରୂପ ମଧ୍ୟ ପ୍ରସ୍ଫୁଟିତ ହୋଇଅଛି । ଶ୍ରମିକ ଆନ୍ଦୋଳନରେ ସମ୍ପୃକ୍ତ ଥିବା କର୍ମକର୍ତ୍ତାମାନେ ତାଙ୍କର ସଙ୍ଗଠନ ଶକ୍ତିଦ୍ଵାରା, ସମାଜ ଉପରେ ଅଧିକ ପ୍ରଭାବ ପକାନ୍ତି । କେବଳ ଏତିକି ନୁହେଁ, ଯଦି ଗଭୀର ଚିନ୍ତାପୂର୍ଣ୍ଣ ଦୃଷ୍ଟିରେ ଏହି ପରିବର୍ତ୍ତନକୁ ଲକ୍ଷ୍ୟ କରାଯାଏ, ତେବେ ଏହାର ଐତିହାସିକ ମହତ୍ତ୍ଵ ଆହୁରି ଅଧିକ ପରିମାଣରେ ବଢ଼ିଥାଏ । ଶ୍ରମିକ ସଙ୍ଗଠନର ଶକ୍ତି, ଯଦି ଶ୍ରମିକ ବର୍ଗଙ୍କର ସୁରକ୍ଷା ଏବଂ ଆର୍ଥିକ ଅବସ୍ଥାର ବିକାଶ ଦିଗରେ ନିୟୋଜିତ ହୁଏ, ତେବେ ଏହି ବଢ଼ୁଥିବା ଶକ୍ତି, ସର୍ବସାଧାରଣଙ୍କର ଚିନ୍ତାରେ ଆଲୋଡ଼ନ ଆଣିଥାଏ-। ପୁଣି ଏହି ସଙ୍ଗଠନ ଶକ୍ତି ଆମର ସମସ୍ତ ଅର୍ଥନୈତିକ ବ୍ୟବସ୍ଥାକୁ ନୂଆ ରୂପରେଖ ଦେଇଥାଏ-। ଯଦି ଶ୍ରମିକ ସଙ୍ଗଠନର ନେତୃତ୍ଵ ଦାୟିତ୍ଵହୀନ ଲୋକ ହାତରେ ପଡ଼େ, ତେବେ ପରିସ୍ଥିତିର ବିପକ୍ଷତା ଏତେ ପରିମାଣରେ ବଢ଼ିଯାଏ ଯେ, କେବଳ ଦେଶର ସୁରକ୍ଷା ନୁହେଁ, ଆନ୍ତରାଷ୍ଟ୍ରୀୟ ଅନେକ ସମସ୍ୟା ଉପରେ ମଧ୍ୟ ଏହାର ବିଶେଷଭାବେ କୁପ୍ରଭାବ ପଡ଼େ । ସାଧାରଣତଃ ଶ୍ରମିକ ସଙ୍ଗଠନର ଏହି ପ୍ରକାର ଶକ୍ତି ଉପରେ ତାଙ୍କର କର୍ମକର୍ତ୍ତା ଓ ନେତୃବୃନ୍ଦମାନେ କଦାପି ସମ୍ପୂର୍ଣ୍ଣରୂପେ ସଚେତନ ନୁହନ୍ତି ।

 

ଅଧିକ ବେତନ, ଅଧିକ ଲାଭଜନକ କାର୍ଯ୍ୟର ସ୍ଥିତି, କାର୍ଯ୍ୟନିର୍ଘଣ୍ଟ, ଅଧିକ ସୁରକ୍ଷା ତଥା ଉତ୍ପାଦନରେ ଅଧିକ ଅଂଶଗ୍ରହଣ କରିବା ହେଉଛି, ନୂତନ ଶ୍ରମିକ ସଙ୍ଗଠନଗୁଡ଼ିକର ଦାବି । ତାଙ୍କର ଏପରି ଆନ୍ଦୋଳନରେ କାହାରି କୌଣସି ପ୍ରକାର ଆପତ୍ତି ନାହିଁ । କୌଣସି ସମାଜରେ ଏପରି ଦାବିକୁ ରକ୍ଷା କରାଯିବା, ଉକ୍ତ ସମାଜର ପ୍ରଗତିଶୀଳତାର ସୂଚନା ଦିଏ । କିନ୍ତୁ ଗଭୀର ଦୃଷ୍ଟିକୋଣ ନିକ୍ଷେପ କରି ନିରୀକ୍ଷଣ କଲେ, ଏହାର ଆଉ ଗୋଟିଏ ରୂପ ଆମ ଆଗରେ ଉପସ୍ଥାପିତ ହୁଏ । ଏହା ନିଶ୍ଚିତ କଥା ଯେ, ଶ୍ରମିକ ସଙ୍ଗଠନ ଉତ୍ପାଦନରେ ଅଧିକ ସାହାଯ୍ୟ କରୁଛି । ଏ ହେଲେ ମଧ୍ୟ ଉତ୍ପାଦନରେ ପ୍ରଭୁତ୍ଵ ସବୁଠାରୁ ବଡ଼କଥା । ସାଧାରଣତଃ ଶିଳ୍ପପତି ବା ମାଲିକବର୍ଗ ଏହି ପ୍ରକାର ବ୍ୟବସ୍ଥାରେ, କୌଣସି ପ୍ରକାର ହସ୍ତକ୍ଷେପ ସହଜରେ କରିବାକୁ ପ୍ରସ୍ତୁତ ନଥିବାର ଦେଖା ଯାଇଥାଏ-। ସଙ୍ଗଠନ ଦୃଷ୍ଟିରେ, ଶ୍ରମିକ ଆନ୍ଦୋଳନର ଉଦ୍ଦେଶ୍ୟ ନିଜର ସଦସ୍ୟମାନଙ୍କର ଅଧିକରୁ ଅଧିକ ସୁରକ୍ଷା ଏବଂ ଭଲପାଇଁ ଉଦ୍ଦିଷ୍ଟ ।

 

ପୁଣି ଶିଳ୍ପ ବ୍ୟବସ୍ଥାରେ ଶ୍ରମିକର ଅଂଶଗ୍ରହଣ ଅଧିକ ମହତ୍ୱପୂର୍ଣ୍ଣ ଏବଂ ସକ୍ରିୟ ଅଟେ । ତେଣୁ ଏଥିରୁ ଏହି ଧାରଣା ଜାତ ହେଉଛି ଯେ, ଶ୍ରମିକ ସଙ୍ଗଠନର ଉଦ୍ଦେଶ୍ୟ କେବଳ ଆର୍ଥିକ ବିକାଶ ନୁହେଁ, ବରଂ ସାମାଜିକ ଓ ନୈତିକ ବିକାଶ । ଯଦି କୌଣସି ସଙ୍ଗଠନକୁ ଠିକ୍‍ରୂପେ ବଞ୍ଚିବାକୁ ହେବ, ତେବେ ଏହା ତାଙ୍କ ପକ୍ଷେ ନିତାନ୍ତ ଆବଶ୍ୟକ ଯେ, ସେମାନେ ସେମାନଙ୍କର ସହଯୋଗୀମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ଦିଗରେ କେବଳ ପ୍ରଯତ୍ନଶୀଳ ନ ହୋଇ, ସେମାନଙ୍କର ସାମାଜିକ ସ୍ତର ଯେପରି ବଢ଼ିଯାଏ; ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ । ଏହା ହୋଇ ପାରିଲେ ଏହା ଶ୍ରମିକ ସଙ୍ଗଠନର ଗୋଟିଏ ବଡ଼ ବିଜୟ ବୋଲି ବୁଝିବାକୁ ହେବ ।

 

ଅଧିକାଂଶ ଅର୍ଥନୀତିଜ୍ଞମାନଙ୍କର ଧାରଣା ଯେ, ଲାଭ ଉପରେ ଲକ୍ଷ୍ୟ ରଖି ଆର୍ଥିକ ଉଦ୍ଦେଶ୍ୟରେ ଶ୍ରମିକ ସମାଜକୁ ସଙ୍ଗଠନ କରାଯାଇପାରେ; କିନ୍ତୁ ଗଭୀର ଚିନ୍ତା କରି ଦେଖିଲେ ଜଣାଯାଏ ଯେ, ଏହି ଧାରଣା ଭ୍ରମାତ୍ମକ । କୌଣସି ଆଦର୍ଶବାଦ ବ୍ୟତୀତ କୌଣସି ଆନ୍ଦୋଳନ ସଫଳତା ଲାଭ କରିପାରିବ ନାହିଁ, ସେଥିପାଇଁ ନୈତିକ ବଳର ମଧ୍ୟ ଆବଶ୍ୟକ । ଶିଳ୍ପ ବ୍ୟବସ୍ଥାରେ ଅଂଶଗ୍ରହଣର ଆନ୍ଦୋଳନ ଶ୍ରମିକମାନଙ୍କ ମଧ୍ୟରେ ଗୋଟିଏ ଖୁବ୍ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ନୈତିକ ବଳର ସାହାଯ୍ୟରେ ଶ୍ରମିକ ସଙ୍ଗଠନ କେବଳ ଯେ, ଅର୍ଥନୈତିକ ବ୍ୟବସ୍ଥାକୁ ସୁଧାରି ପାରିବ ତା’ ନୁହେଁ, ତା’ ସଙ୍ଗେ ସଙ୍ଗେ ଏହି ସଙ୍ଗଠନ ସାହାଯ୍ୟରେ ଜନତନ୍ତ୍ରବାଦର ବିଶିଷ୍ଟତାକୁ ସଫଳତା ପୂର୍ବକ ଚରିତାର୍ଥ କରିପାରିବ ।

 

ଆଧୁନିକ ଯୁଗରେ ଶ୍ରମିକ ସଙ୍ଗଠନ ଗୋଟିଏ ମହତ୍ୱପୂର୍ଣ୍ଣ ବସ୍ତୁ ହୋଇ ପଡ଼ିଛି । ଏହାର ଅନ୍ତର୍ନିହିତ ସତ୍ୟକୁ ହୃଦୟଙ୍ଗମ କରିବାକୁ ହେଲେ, ସଙ୍ଗଠନର ପ୍ରକୃତ ଅର୍ଥ ବୁଝିବା ଦରକାର । ଶିଳ୍ପ ଉନ୍ନତିର ଦାୟିତ୍ୱ କେବଳ ଶିଳ୍ପପତିମାନଙ୍କ ଉପରେ ନୁହେଁ, ଶ୍ରମିକମାନଙ୍କ ଉପରେ ମଧ୍ୟ ନ୍ୟସ୍ତ ଅଛି । ଜନତନ୍ତ୍ରବାଦ ସମାଜ ବ୍ୟବସ୍ଥାରେ ଶ୍ରମିକ ପ୍ରଥମେ ଦେଶର ଜଣେ ନାଗରିକ, ତା’ପରେ ସେ ଆଉ କିଛି ହୋଇପାରେ । ଏହି ସଙ୍ଗଠନମାନଙ୍କର ଉତ୍ତରଦାୟିତ୍ଵ ଯେ, ସେମାନେ ସେମାନଙ୍କର ସହଯୋଗକାରୀ ଶ୍ରମିକମାନଙ୍କୁ ଏପରି ତଥ୍ୟଦ୍ଵାରା ଅବଗତ କରାଇବେ, ଯେପରିକି ଆଧୁନିକ ସମାଜରେ ସେହି ଶ୍ରମିକମାନେ ଦାୟିତ୍ୱପୂର୍ଣ୍ଣ ନାଗରିକ ହୋଇପାରିବେ । ପୁଣି ସଙ୍ଗଠନମାନଙ୍କରେ ଏ ସବୁଗୁଡ଼ିକ ଶିକ୍ଷା ଦେବାପାଇଁ ଏପରି ନିୟମାବଳୀ ରହିବା ଉଚିତ, ଯାହାକୁ କି ସମସ୍ତ ଶ୍ରମିକମାନେ ନିଜ ନିଜର କର୍ତ୍ତବ୍ୟ ବୋଲି ମନେ କରିବେ । ଶ୍ରମିକମାନେ ନିଜ ନିଜର ସାଙ୍ଗମାନଙ୍କ ପ୍ରତି ସମଭାବ, କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରି, ସଙ୍ଗଠନର ବୃଦ୍ଧି କରିବାପାଇଁ ପ୍ରଯତ୍ନଶୀଳ ହେବା ଉଚିତ । ଯେତେବେଳେ କୌଣସି ଶ୍ରମିକ ଏ ପ୍ରକାର ଅନୁଶାସନକୁ ନ ମାନି ତା’ର ବିରୁଦ୍ଧାଚରଣ କରେ, ସେତେବେଳେ ସଙ୍ଗଠନର ପ୍ରତିଷ୍ଠାରେ ଯେ ଘୋର ବ୍ୟାଘାତ ସୃଷ୍ଟି ହୁଏ, ଏହାର ଉଦାହରଣର ଅଭାବ ନାହିଁ । ଧୈର୍ଯ୍ୟ, ସାହସ, ସଚ୍ଚୋଟପଣିଆ ଓ ନ୍ୟାୟ ଅନୁଶାସନ ସବୁ ଶ୍ରମିକମାନେ କିପରି ପାଇବେ ତାହା କହିବା ଅତ୍ୟନ୍ତ କାଠିକର ପାଠ ।

 

ନ୍ୟାୟପୂର୍ଣ୍ଣ ଶ୍ରମିକ ଆନ୍ଦୋଳନ ଜନତନ୍ତ୍ରବାଦର ପ୍ରବଳ ସମର୍ଥକ ଅଟେ । ଏହି ଶକ୍ତି ଉପରେ ନିର୍ଭର କରି ଜନତନ୍ତ୍ରବାଦୀ, ମାନବ ସମାଜକୁ ତା’ର ଚରମ ଲକ୍ଷ୍ୟ ହାସଲ କରିବା ଦିଗରେ ସାହାଯ୍ୟ କରିପାରିବ । ପୁଣି ଶ୍ରମିକ ସଙ୍ଗଠନଗୁଡ଼ିକର ଦାୟିତ୍ଵକୁ ଜନତନ୍ତ୍ରବାଦୀକୁ ମାନିବାକୁ ପଡ଼ିବ ।

 

ଶ୍ରମିକ ସଙ୍ଗଠନଗୁଡ଼ିକୁ ନିୟମିତ ଭାବରେ ପରୀକ୍ଷା କରିବା ଦରକାର । ସଙ୍ଗଠନଗୁଡ଼ିକର ହିସାବକିତାବକୁ ମଧ୍ୟ ସମୟେ ସମୟେ ଯାଞ୍ଚ କରିବା ଦରକାର । କାରଣ ଏଗୁଡ଼ିକ ଦେଖିବାକୁ ହେବ ଯେ, ଶ୍ରମିକମାନେ ସେମାନଙ୍କର ନିଜ ନିଜର ଚାନ୍ଦାଗୁଡ଼ିକୁ ନିୟମିତ ଭାବରେ ଦେଇ ଦେଉଛନ୍ତି କି ନାହିଁ ? ଜାତିର ପିତା ଗାନ୍ଧିଜୀଙ୍କ ଭାଷାରେ ଶ୍ରମିକମାନେ ଯେ, କେବଳ ଶ୍ରମିକ ଅଟନ୍ତି, ତା’ ନୁହେଁ; କିନ୍ତୁ ସମାଜର ଅନ୍ୟାନ୍ୟ ବର୍ଗଙ୍କ ପରି ସେମାନେ ମଧ୍ୟ ସମାଜ କଲ୍ୟାଣର ସହଯୋଗୀ । ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ ରହିବା ଅନୁଚିତ ଓ ଏ ପ୍ରକାର ସଙ୍ଗଠନ ଆଚରଣରେ ସେମାନଙ୍କ ମନରେ ଗୋଟିଏ ଧାରଣା ଜାତ ହେବ ଯେ, ସେମାନଙ୍କ ନିଜ ନିଜ ମଧ୍ୟରେ ଏକ ଅନ୍ତର୍ନିହିତ ଶକ୍ତି ଅଛି । ମାଦକଦ୍ରବ୍ୟ ଓ ଜୁଆ ଇତ୍ୟାଦି ଶ୍ରମିକ ବର୍ଗଙ୍କର ଗୋଟିଏ ପ୍ରଧାନ ଶତ୍ରୁ, କିନ୍ତୁ ଶ୍ରମିକମାନେ ନିଜ ଦାୟିତ୍ଵରେ ଏଗୁଡ଼ିକୁ ତ୍ୟାଗ କରିବା ଉଚିତ ।

 

ଶ୍ରମ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି ଯେ, ଶିଳ୍ପପତି ବା ମାଲିକମାନେ ଶ୍ରମିକଙ୍କ ପ୍ରତି ମାନବୋଚିତ ବ୍ୟବହାର ପ୍ରଦର୍ଶନ କରିବା ଦରକାର ଓ ସେମାନଙ୍କ ଜୀବନଯାପନ ନିମନ୍ତେ ଉଚିତ ମଜୁରୀ ଦେବା ବାଞ୍ଛନୀୟ । ଏହାଛଡ଼ା ନିଷ୍ଠାପର ଭାବରେ କାମ କରିବା ଶ୍ରମିକମାନଙ୍କର ଗୋଟିଏ ପ୍ରଧାନ କର୍ତ୍ତବ୍ୟ । ସେମାନେ ଭାବିବା ଉଚିତ ଯେ, ତାଙ୍କର ନିଷ୍ଠାପର କର୍ତ୍ତବ୍ୟହିଁ ଉତ୍ପାଦନର ବିଶେଷ ସହାୟକ । ବର୍ତ୍ତମାନର ସମାଜ ଧାରାର ନୂତନ କଳ୍ପନା ଅନୁସାରେ, ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ ପୂର୍ବରୁ ଯାହା ସମ୍ପର୍କ ଥିଲା, ତାହା କ୍ରମେ ବିଲୀନ ହୋଇ ଯାଉଛି ।

 

ଶ୍ରମିକମାନଙ୍କୁ ସେମାନଙ୍କ ସଙ୍ଗଠନର ଶକ୍ତିକୁ ଚିହ୍ନିବାକୁ ପଡ଼ିବ ଏବଂ ତା’ ସାଥେ ସାଥେ ସେମାନଙ୍କୁ ମଧ୍ୟ ଜାଣିବାକୁ ପଡ଼ିବ, ସେମାନେ କିପରି ସୁ-ଉପାୟରେ ସେମାନଙ୍କ ଶକ୍ତି ବିନିଯୋଗ କରି ପାରିବେ । ପୁଣି ସମାଜର ବୃହତ୍ତର ଉଦ୍ଦେଶ୍ୟକୁ ନେଇ ଯେତିକି ପରିମାଣରେ ଶ୍ରମିକମାନଙ୍କର ଉପଯୋଗ କରାଯିବ, ସେହି ପରିମାଣରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ।

 

ଭାରତବର୍ଷର ଶ୍ରମିକ ଆନ୍ଦୋଳନକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରୁ । ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସେମାନଙ୍କର ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା, ଆର୍ଥିକ ଓ ରାଜନୈତିକ । ସେତେବେଳକାର ଶ୍ରମିକ ନେତାମାନେ ମଧ୍ୟ ଏହି ଦାବିକୁ ନେଇ କାମ କରିଥିଲେ । ପରିଣାମରେ ଆଦର୍ଶ ଶ୍ରମିକ ସଙ୍ଗଠନ ପାଇଁ କୌଣସି ସାମୂହିକ ବ୍ୟବସ୍ଥା ସେତେବେଳେ ହୋଇପାରିଲା ନାହିଁ । ଜାତିର ପିତା ଗାନ୍ଧିଜୀଙ୍କ ନୂତନ ମାର୍ଗ ପ୍ରଦର୍ଶନରେ, ଅହମଦାବାଦର ଶ୍ରମିକ ମହାଜନ ସଙ୍ଘ ଆକାଶଦୀପ ପରି ନୂତନ ପଥ ବା ଆଲୋକ ଦର୍ଶାଉଥିଲେ । ଦେଶ ସ୍ଵାଧୀନତା ଓ ସ୍ଵତନ୍ତ୍ରତା ପାଇବା ପରେ ପରିସ୍ଥିତି ବଦଳି ଯାଇଛି । ଶ୍ରମିକମାନେ ବୁଝି ପାରିଛନ୍ତି ଯେ, ରାଷ୍ଟ୍ରର ପୁନର୍ନିର୍ମାଣ ପ୍ରଭୃତି ମହତ୍ କାର୍ଯ୍ୟରେ, ସେମାନଙ୍କୁ ବିଶେଷ ସହଯୋଗ କରିବାକୁ ପଡ଼ିବ । ସେମାନେ ଆହୁରି ମଧ୍ୟ ଭାବିଛନ୍ତି ଯେ, ସେମାନଙ୍କ ସ୍ଥାନ ସମାଜରୁ ଅଭିନ୍ନ ଓ ସେମାନେ ସମାଜର ଗୋଟିଏ ନିରବଚ୍ଛିନ୍ନ ଅଙ୍ଗ । ତେଣୁ ସମାଜର ସର୍ବାଙ୍ଗୀନ ଉନ୍ନତି ବ୍ୟତୀତ, ସେମାନଙ୍କର ଉନ୍ନତି ଅସମ୍ଭବ ।

 

ଗାନ୍ଧିଜୀ ଶ୍ରମିକବର୍ଗଙ୍କୁ ଶିଳ୍ପପତିମାନଙ୍କର ସମକକ୍ଷ ବୋଲି ବିଚାର କରିଛନ୍ତି । ସେ କହିଛନ୍ତି, ଶ୍ରମିକମାନଙ୍କର ସଫଳତା ଶିଳ୍ପର ସଫଳତା ଓ ଶ୍ରମିକମାନଙ୍କର ବିଫଳତା, ଶିଳ୍ପ ବିଫଳତାର ଚିହ୍ନ । ତାହାର କାରଣ ହେଉଛି ଯେ, ଶିଳ୍ପ ବିଗ୍ରହ ଅପେକ୍ଷା ଗାନ୍ଧିଜୀ ଶ୍ରମ ଓ ପୁଞ୍ଜିର ସମନ୍ଵୟରେ ଅଧିକ ବିଶ୍ଵାସ କରୁଥିଲେ । ରାଷ୍ଟ୍ରପିତାଙ୍କର ଏହି ବିଚାରଧାରା ଆଜିର ଶ୍ରମିକମାନେ ହୃଦୟଙ୍ଗମ କରି, ଉତ୍ସାହର ସହିତ ପଞ୍ଚବାର୍ଷିକ ଯୋଜନାର ସଫଳତାରେ ସେମାନେ ବିଶେଷ ସହଯୋଗ କରିଛନ୍ତି ।

 

ଏ ମଧ୍ୟରେ ଶ୍ରମିକମାନଙ୍କ ସମ୍ମୁଖରେ ଅନେକ ସମସ୍ୟା ଉପସ୍ଥାପିତ ହୋଇଛି କିନ୍ତୁ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ସମସ୍ୟା ହେଉଛି, ସମାଜରେ ସେମାନଙ୍କର ସ୍ଥିତିର ଉନ୍ନତି । ଏ ସମସ୍ୟାର ସମାଧନ ଉତ୍ପାଦନ ବୃଦ୍ଧି କରିବ ଏବଂ ଅସମତାକୁ ଦୂର କରି ପ୍ରତ୍ୟେକ କ୍ଷେତ୍ରରେ ସମତା ଅଣାଇ ପାରିବ । ବିଗତ ବର୍ଷମାନଙ୍କ ମଧ୍ୟରେ ଶ୍ରମିକ ବର୍ଗଙ୍କର ଉଚିତ ସଂରକ୍ଷଣ ପାଇଁ ଅନେକଗୁଡ଼ିଏ ଆଇନ ଗଢ଼ା ହୋଇଛି । ଏହି ଆଇନଗୁଡ଼ିକର ପ୍ରବର୍ତ୍ତନ ଫଳରେ ଶ୍ରମିକ ସମାଜର ଯେ ପ୍ରଭୁତ୍ଵ ସାଧନ କରାଯାଉଛି, ଏହା ନିଶ୍ଚିତ କଥା ।

 

ଆଜିର ଶ୍ରମିକମାନେ ଜାଗ୍ରତ ଏବଂ ସେମାନେ ସମାଜ ଓ ଶିଳ୍ପପତିମାନଙ୍କର ଉତ୍ତରଦାୟିତ୍ୱ ବୁଝିପାରିଛନ୍ତି । ତ୍ୟାଗ ଏବଂ ସଙ୍ଗଠନ ବଳରେହିଁ କେବଳ ସେମାନେ, ସେମାନଙ୍କର ନ୍ୟାୟୋଚିତ କାର୍ଯ୍ୟ ହାସଲ କରିପାରିବେ ବୋଲି ଆଶା ପୋଷଣ କରାଯାଉଛି ।

 

ଶେଷରେ ଏ ସଂକ୍ରାନ୍ତରେ ଏତିକି ମାତ୍ର କୁହାଯାଇପାରେ ଯେ, ପାଶ୍ଚାତ୍ୟ ଦେଶମାନଙ୍କରେ ଶ୍ରମିକମାନେ, ଶିଳ୍ପପତିଙ୍କଠାରୁ ଅଧିକ ଲାଭ ପାଇବାପାଇଁ ଦାବି କରୁଥିଲାବେଳେ, ଭାରତୀୟ ଶ୍ରମିକମାନେ ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଦୃଢ଼ସଂକଳ୍ପ-

Image

 

ଔଦ୍ୟୋଗିକ ସମ୍ପର୍କ

 

ଏହା ଅତି ଜଣାଶୁଣା ବା ସ୍ପଷ୍ଟ କଥା ଯେ, ଅର୍ଥନୀତିର ଘାତ ପ୍ରତିଘାତକୁ ଦୂର କରିବାର ଏକ ଅମୋଘ ଔଷଧ ହେଉଛି, ଅଧିକ ଉତ୍ପାଦନ କରିବା । ତେଣୁ ଏହି ଅଧିକ ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ଯେପରି ଅତି ସହଜ ବୋଲି ଆମେ ଭାବିନେଉ, ତାହା ସେତେ ସହଜ ନୁହେଁ । କାରଣ ଶିଳ୍ପାନୁଷ୍ଠାନମାନଙ୍କରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ନ କରାଗଲେ, ଅଧିକ ଉତ୍ପାଦନର ଲକ୍ଷ୍ୟ ସାଧନ ଆଶା କରିବା, କେବଳ ବିଡ଼ମ୍ବନା ମାତ୍ର ।

 

ଶିଳ୍ପାନୁଷ୍ଠାନମାନଙ୍କରେ ଶାନ୍ତିପୂର୍ଣ୍ଣ ବାତାବରଣ କଥା ଉଲ୍ଲେଖ କଲାବେଳେ ସାମାଜିକ ନ୍ୟାୟ କଥାଟା କ’ଣ ତାହା ମଧ୍ୟ ମନେରଖିବାକୁ ହେବ । ଏହି ସାମାଜିକ ନ୍ୟାୟ କେବଳ ସମାଜକୁ ପ୍ରକୃତ ସମାଜ ବୋଲି ଅଭିହିତ କରାଇଥାଏ । ଯେଉଁ ସମାଜରେ ଏହି ସାମାଜିକ ନ୍ୟାୟ ବିଶେଷଭାବେ ପରିଦୃଷ୍ଟ, ସେଠାରେ ଏହି ଔଦ୍ୟୋଗିକ ସମ୍ପର୍କ କଥାଟାକୁ ଆଖି ଆଗରେ ରଖି ବିଚାର କଲେ କୁହାଯିବ ଯେ, ସେଠାରେ ଧର୍ମଘଟ ବା ତାଲାବନ୍ଦୀ ଆଦୌ ସମ୍ଭବପର ନୁହେଁ । ତେଣୁ ଏହିଭଳି ସାମାଜିକ ନ୍ୟାୟକୁ ପ୍ରଚଳନ କରାଇ, ଶିଳ୍ପାନୁଷ୍ଠାନମାନଙ୍କରେ ଧର୍ମଘଟ ତାଲାବନ୍ଦୀକୁ ଅସମ୍ଭବ ବୋଲି ଘୋଷଣା କରି ସାରିଲା ପରେ, ଆଉ କେତେକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ । ସେହି କର୍ତ୍ତବ୍ୟଗୁଡ଼ିକ ହେଉଛି ବିଶେଷତଃ ଶିଳ୍ପାନୁଷ୍ଠାନମାନଙ୍କରେ ମାନବିକ ଦୃଷ୍ଟିକୋଣ । ଏହା ମାନବିକ ଦୃଷ୍ଟିକୋଣକୁ ଉତ୍ତମରୂପେ ପରିଚାଳିତ କରିପାରିଲେ ଶିଳ୍ପାନୁଷ୍ଠାନମାନଙ୍କରେ ଶାନ୍ତି ଓ ସହଯୋଗ ଯେ ଭଲଭାବେ ପ୍ରତିଷ୍ଠା ହୋଇ ପାରିବ, ତାହା ଯେପରି ଆଜି କେହି ଭୁଲି ନ ଯାଏଁ ।

 

ଆଜିର ଏହି ଔଦ୍ୟୋଗିକ ସମ୍ପର୍କ ଶିଳ୍ପାନୁଷ୍ଠାନମାନଙ୍କରେ ଅତି ଜରୁରୀ ସମସ୍ୟାରୂପେ ଦେଖା ଦେଇଛି । ଏଇ ଜରୁରୀ ସମସ୍ୟାକୁ ସମାଧାନ କରିବାରେ କୌଣସି ବୈଜ୍ଞାନିକ ପ୍ରଣାଳୀ ଏପର୍ଯ୍ୟନ୍ତ ସୃଷ୍ଟି ହୋଇଥିଲା ପରି ମନେହୁଏ ନାହିଁ । ଏହା ସମ୍ପର୍କରେ ଥରେ ଶ୍ରୀଯୁକ୍ତ ଖଣ୍ଡୁଭାଇ ଦେଶାଇ କହିଥିଲେ, 'ମାଲିକ ଓ ଶ୍ରମିକ ମଧ୍ୟରେ ସୁଚାରୁ ଔଦ୍ୟୋଗିକ ସମ୍ପର୍କର ମୂଳସୂତ୍ର ସ୍ଥାପନ କରିବାରେ ସମସ୍ତେ କେବଳ ଅନ୍ଧାରରେ ଅଣ୍ଡାଳି ହେଉଅଛୁଁ ।’ ଆଜିର ନୂତନ ଯୁଗର ସମାଜ ଚାହେଁ, ଶିଳ୍ପ ଓ ଶ୍ରମ ଏପରିଭାବେ ପରସ୍ପର ପ୍ରତି ବ୍ୟବହାର କରିବେ ଯେ, ଯାହା ଫଳରେ କି ଉଭୟ ଗୋଷ୍ଠୀପ୍ରତି କୌଣସି ବାଧାବିଘ୍ନ ପହଞ୍ଚିବ ନାହିଁ । ଏହା ଦୃଢ଼ଭାବେ ସ୍ଵୀକାର କରାଯାଇପାରେ ଯେ, ଔଦ୍ୟୋଗିକ ସମସ୍ୟା ଏକ ଜାତୀୟ ସମସ୍ୟା ଏବଂ ଏହି ସମସ୍ୟା ପଛରେ ଦେଶ ଓ ଜାତିର ମଧ୍ୟ କର୍ତ୍ତବ୍ୟ ଏବଂ ଦାୟିତ୍ଵ ଅଛି । ଦେଶ ଏପରିଭାବେ ପୁଞ୍ଜି ଓ ଶ୍ରମକୁ ନିୟନ୍ତ୍ରିତ କରିବ, ଯେପରିଭାବେ ସମୁଦାୟ ଗୋଷ୍ଠୀର ସ୍ୱାର୍ଥ ଆଦୌ ବ୍ୟାହତ ହେବ ନାହିଁ ।

 

ଏହି ଔଦ୍ୟୋଗିକ ସମ୍ପର୍କ ନେଇ ଚାରିଆଡ଼େ ବହୁତ ଦ୍ଵନ୍ଦ୍ୱ ଦେଖାଯାଇଛି । ସ୍ଥୂଳତଃ ଯେଉଁମାନେ ଏଇ ଔଦ୍ୟୋଗିକ ସମ୍ପର୍କ ବିଷୟରେ କିଛି ନା କିଛି ବିଚାର କରୁଛନ୍ତି, ସେମାନେ ସେ ସବୁ ଆଜିକାର ସାମାଜିକ ଚଳଣି, ଆଜିକାର ଚିନ୍ତାଧାରାରେ ବିଚାର ନ କରି, ସେହି ପରମ୍ପରାକ୍ରମେ ଚଳିଆସୁଥିବା ପୁରୁଣା ଚିନ୍ତାଧାରାରେ ବିଚାର କରୁଛନ୍ତି । ଊନବିଂଶ ଶତାବ୍ଦୀର ଚିନ୍ତାଶୀଳ ବ୍ୟକ୍ତିମାନେ ଗୋଟିଏ ମତ ପ୍ରଚାର କରିଥିଲେ କି, ମାଲିକହିଁ ହେଉଛି ଶିଳ୍ପାନୁଷ୍ଠାନମାନଙ୍କର କୈନ୍ଦ୍ରିକ ବସ୍ତୁ ବା ମଣିଖୁଣ୍ଟି । ତେଣୁ ଶିଳ୍ପାନୁଷ୍ଠାନମାନଙ୍କରେ ସମସ୍ତ ଉତ୍ପାଦନର ଉପକରଣଗୁଡ଼ିକ ସେହି ମାଲିକମାନଙ୍କଦ୍ଵାରା ପରିଚାଳିତ ହେବ ଓ ସେହିମାନଙ୍କ ଅଧୀନରେ ରହିବ । ଏ ପ୍ରକାର ଭାବଧାରା ଯେତିକି ପ୍ରଚାରିତ ହେଲା, ଶିଳ୍ପାନୁଷ୍ଠାନ କ୍ଷେତ୍ରରେ ସେତିକି ସେତିକି ବିଷମ ପରିସ୍ଥିତିମାନ ଉପୁଜିଲା ।

 

ପୁଣି କେତେକ ଚିନ୍ତାଶୀଳ ବ୍ୟକ୍ତି ମତ ପ୍ରଦାନ କରି କହିଲେ, ସମସ୍ତ ଉତ୍ପାଦନର ଉପକରଣଗୁଡ଼ିକରେ ମାଲିକ ଯେ କେବଳ ତତ୍ତ୍ଵାବଧାରକ ହେବେ, ତାହା ପୂର୍ଣ୍ଣଭାବେ ସମର୍ଥନ କରାଯାଇପାରିବ ନାହିଁ । ଶ୍ରମିକମାନେ ଆଜି କେବଳ ଯେ ଠିକା ଚାକର ବା ମଜୁରୀ ଚାକର ତା’ ନୁହେଁ, ସେମାନେ ହେଉଛନ୍ତି ଶିଳ୍ପ ଉତ୍ପାଦନ କ୍ଷେତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ଶିଳ୍ପାନୁଷ୍ଠାନମାନଙ୍କରେ ମଧ୍ୟ ଶ୍ରମିକର ନାମ ଉଚ୍ଚାରଣରେ ସେତିକି ଗୁରୁତ୍ଵ ନିହିତ ଅଛି ।

 

ଊନବିଂଶ ଶତାବ୍ଦୀର ଚିନ୍ତାଧାରାରେ ମାଲିକମାନଙ୍କୁ ଶିଳ୍ପ ଉତ୍ପାଦନ ମୂଳର ମଝି ଅଂଶରେ ଥୋଇ ଦେଇ ଶ୍ରମିକମାନଙ୍କର କଥାଟାକୁ ପୂରାପୂରି ଉଲ୍ଲେଖ ନ କରିବା, ଆଜିର ଚିନ୍ତାଧାରାରେ ଆଦୌ ଠିକ୍ ହେବ ନାହିଁ । ତେଣୁ ଆଜି ଶ୍ରମିକମାନଙ୍କୁ ମାନବିକ ଦୃଷ୍ଟିକୋଣରୁ ଦେଖିବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ମାନବିକ ଦୃଷ୍ଟିକୋଣରୁ ଶ୍ରମିକଙ୍କୁ ଚିହ୍ନିବାକୁ ଚେଷ୍ଟା ନ କରାଯାଉଛି, ସେ ପର୍ଯ୍ୟନ୍ତ ଶ୍ରମିକର ପ୍ରକୃତ ରୂପରେଖ କ’ଣ, ତାହା ହୁଏତ ବୁଝି, ବିଚାରିବାରେ ବହୁତ ସମୟ ଅତିବାହିତ ହେବ ।

 

ମାଲିକ ଓ ଶ୍ରମିକ କେହି ଶିଳ୍ପକୁ ନିଜର ବା ଆପଣାର ବୋଲି କହି ପାରିବେ ନାହିଁ । ଶିଳ୍ପ ହେଉଛି ସମୁଦାୟ ଗୋଷ୍ଠୀ ବା ସମାଜର । ସେ ମାଲିକ ହୁଅନ୍ତୁ ବା ଶ୍ରମିକ ହୁଅନ୍ତୁ, ସେମାନେ ହେଉଛନ୍ତି ଗୋଷ୍ଠୀ ବା ସମାଜର ଦାସ । ସମାଜ ବା ଗୋଷ୍ଠୀର କର୍ତ୍ତବ୍ୟ ଅନୁରୋଧରେ ଉଭୟେ ଶ୍ରମିକ ଓ ମାଲିକ ଶିଳ୍ପ ଅନୁଷ୍ଠାନମାନଙ୍କର ଉତ୍ପାଦନରେ, ପରସ୍ପର ସୁଶୃଙ୍ଖଳ କର୍ମୀ ହିସାବରେ ନିଜ ନିଜ ମଧ୍ୟରେ ବଡ଼ସାନର ଭେଦାଭେଦ ନ ରଖି କେବଳ ନିଜ ନିଜର ଦାୟିତ୍ୱ ମାତ୍ର ତୁଲାଇଥାଆନ୍ତି ବୋଲି ଆଜି ବହୁ ଚିନ୍ତାଶୀଳ ବ୍ୟକ୍ତି ଯୁକ୍ତି ବାଢ଼ିଥାଆନ୍ତି ।

 

ସେହି ଯୁକ୍ତି ଅନୁଯାୟୀ ଯଦି ପ୍ରତ୍ୟେକ ମାଲିକ ଓ ପ୍ରତ୍ୟେକ ଶ୍ରମିକ ନିଜକୁ ନିଜେ ସମାଜ ବା ଗୋଷ୍ଠୀର ଦାସ ବିଚାରି, ନିଜ ନିଜ ମଧ୍ୟରେ ବଡ଼ସାନର ଭେଦାଭେଦକୁ ଦୂର କରି ସମସ୍ତ ଶିଳ୍ପାନୁଷ୍ଠାନମାନଙ୍କର ଉତ୍ପାଦନ କାମ ତୁଲାଇ ପାରିବେ, ତାହାହେଲେ ସେମାନଙ୍କର ପରସ୍ପର ଉନ୍ନତି ସଙ୍ଗେ ସଙ୍ଗେ, ଦେଶ ଓ ଜାତିର ମୁଖ ଉଜ୍ଜ୍ୱଳ ହେବ । ତେଣୁ ଏଇପରି ଭାବରେ ଔଦ୍ୟୋଗିକ ସମ୍ପର୍କ ସୂଚାରୁରୂପେ ପ୍ରତିଷ୍ଠା ହୋଇ ପାରିବ ଓ ବିଶେଷଭାବେ, ଜନକଲ୍ୟାଣ ସାଧନରେ ପ୍ରଭୂତ ସାହାଯ୍ୟ କରି ପାରିବ ।

Image

 

ଟ୍ରେଡ଼୍ ୟୁନିୟନ୍ ଆନ୍ଦୋଳନରେ ବାଧାବିଘ୍ନ

 

ଟ୍ରେଡ଼୍‍ୟୁନିୟନ୍ (ଶ୍ରମିକ ସଂଘ) ଆନ୍ଦୋଳନ ବୃଦ୍ଧିପାଇବାରେ ସାଧାରଣତଃ ଆମ ଦେଶରେ ଯେଉଁ ବାଧାବିଘ୍ନ ଉପୁଜୁଛି, ତାହାକୁ ସାଧାରଣତଃ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ । ଗୋଟିଏ ହେଉଛି ଆନ୍ତରିକ ବିରୋଧ (Internal Obstacles) ଓ ଅନ୍ୟଟି ହେଉଛି ବାହ୍ୟ ବିରୋଧ (External Obstacles)

 

ଆନ୍ତରିକ ବିରୋଧ–

 

(୧) ଦେଶରେ ଶିକ୍ଷାସ୍ତରର ନିମ୍ନତା : (Low Standard of Education in the Country)–ଭାରତବର୍ଷରେ ଶିକ୍ଷାର ସ୍ତର ନୀଚ କହିଲେ ଚଳେ । ଶିଳ୍ପକ୍ଷେତ୍ରକୁ ମହତ୍ୱପୂର୍ଣ୍ଣ କରିବାକୁ ହେଲେ ଶିକ୍ଷାର ସ୍ତର ଉଚ୍ଚ ହେବା ଆବଶ୍ୟକ । ତେଣୁ ଭାରତବର୍ଷରେ ଶିଳ୍ପ ଶ୍ରମିକମାନଙ୍କର ଶିକ୍ଷାସ୍ତର ବିଶେଷ ନିକୃଷ୍ଟ ଥିବା ଦୃଷ୍ଟିରୁ, ଶ୍ରମିକ ସଙ୍ଗଠନର ଆନ୍ଦୋଳନ ବିଶେଷ ଫଳପ୍ରଦ ହୋଇ ପାରୁ ନାହିଁ, କି ଶ୍ରମିକ ସଙ୍ଗଠନର ମହତ୍ତ୍ଵ ତଥା ଅସ୍ତିତ୍ଵ ପ୍ରତିପାଦିତ ହୋଇ ପାରୁ ନାହିଁ । ପୁଣି ଏହି ଅବସ୍ଥାରେ ଶ୍ରମିକ ସଙ୍ଗଠନଦ୍ଵାରା ଯେଉଁ ଆନ୍ଦୋଳନର ସୂତ୍ରପାତ ହେଉଛି, ତାହା ହରତାଳ ଓ ତାଲାବନ୍ଦୀକୁ ବିଶେଷ ସାହାଯ୍ୟ କରୁଛି । ତେଣୁ ଏ ପ୍ରକାର ପରିସ୍ଥିତି ଯୋଗୁଁ, ଶ୍ରମିକ ସଙ୍ଗଠନର ଉତ୍ତରୋତ୍ତର ବୃଦ୍ଧିରେ ବାଧା ଉପୁଜୁଛି ।

 

(୨) ନିର୍ଦ୍ଧନତା ଓ ମଜୁରୀର ନିମ୍ନସ୍ତର (Poverty and low level of Wages)—ଶ୍ରମିକ ସଂଘର ସଫଳୀକୃତ ବିକାଶପାଇଁ ଧନ ବା ପାଣ୍ଠିର ଆବଶ୍ୟକତା ଏକାନ୍ତ ପ୍ରୟୋଜନୀୟ । ଏହି ପାଣ୍ଠି ଆଦାୟହିଁ ସଂଘର ସଦସ୍ୟମାନଙ୍କର ଚାନ୍ଦା ଉପରେ ପୂରାପୂରି ନିର୍ଭର କରେ, କିନ୍ତୁ ଭାରତବର୍ଷର ଶ୍ରମିକମାନେ ଏତେ ଗରିବ ଯେ, ସେମାନେ ନିୟମିତଭାବେ ସଂଘର ଚାନ୍ଦା ଦେବାକୁ ସମର୍ଥ ହୋଇ ପାରନ୍ତି ନାହିଁ ।

 

ଯେଉଁ ଶ୍ରମିକ ତା’ର ଦୈନନ୍ଦିନ ଜୀବନ ଯାତ୍ରାପାଇଁ ଋଣ ଭାରରେ ବୁଡ଼ି ରହିଥାଏ, ତାହାଠାରୁ ନିୟମିତଭାବେ ସଂଘର ଚାନ୍ଦା ଆଶା କରିବା ବିଡ଼ମ୍ବନା ମାତ୍ର । ଏହି କାରଣରୁହିଁ, ଶ୍ରମିକ ସଂଘରେ ସଭ୍ୟ ହେବାପାଇଁ ବହୁ ଶ୍ରମିକ ଅନିଚ୍ଛା ପ୍ରକାଶ କରି ଥାଆନ୍ତି । ପୁଣି ଶ୍ରମିକମାନେ ଏପରି ଅଳ୍ପ ମଜୁରୀ ପାଆନ୍ତି ଯେ, ଯେଉଁଥିରେ କି ସେମାନେ ଜୀବନର ନ୍ୟୁନତମ ଆବଶ୍ୟକତା ପୂରଣ କରି ପାରନ୍ତି ନାହିଁ । ତେଣୁ ଏ ପରିସ୍ଥିତିରେ ସଂଘକୁ ଚାନ୍ଦା ଦେବାର ପ୍ରଶ୍ନ କେଉଁଠି ଉଠୁଛି ?

 

ସାଧାରଣତଃ ଶ୍ରମିକ ସଙ୍ଗଠନକୁ ପାଣ୍ଠି ଉପରେ ନିର୍ଭର କରିବାକୁ ହୋଇଥାଏ । ତେଣୁ ଆମ ଦେଶରେ ଉପଯୁକ୍ତ ପାଣ୍ଠି ଅଭାବରୁ ବହୁ ଶ୍ରମିକ ସଂଘ ନିର୍ଦ୍ଧନ ଅବସ୍ଥାରେ, କେବଳ ନାମମାତ୍ରରେହିଁ ରହିଥାଏ ଓ ଶ୍ରମିକ ସଂଘର ଉତ୍ତରୋତ୍ତର ବିକାଶ ହୋଇପାରେ ନାହିଁ ।

 

(୩) ଶ୍ରମିକ ଶ୍ରେଣୀର ବିଭିନ୍ନତା–(Diversity among the workers)—ଭାରତୀୟ ଶ୍ରମିକ ଶ୍ରେଣୀ ମଧ୍ୟରେ ସମାନତା ଆଦୌ ଦେଖାଯାଏ ନାହିଁ । ଶ୍ରମିକମାନେ ଦେଶର ବିଭିନ୍ନ ସ୍ଥାନରୁ ଆସିଥାଆନ୍ତି, ଭିନ୍ନ ଭିନ୍ନ ଭାଷା କହିଥାଆନ୍ତି, ଭିନ୍ନ ଭିନ୍ନ ଧର୍ମକୁ ମାନିଥାଆନ୍ତି, ବିଶେଷକରି ତାଙ୍କର ଆଚାରବିଚାରରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ । ତେଣୁ ଏପରି ଅବସ୍ଥାରେ ସେମାନଙ୍କୁ ସଂଘବଦ୍ଧ କରିବା ଅସମ୍ଭବ ହୋଇ ପଡ଼େ ।

 

ପୁଣି ମିଲ୍ ମାଲିକମାନେ ନିଜର ଲାଭ ଓ ସ୍ଵାର୍ଥ ହାସଲପାଇଁ ଶ୍ରମିକମାନଙ୍କର ଏ ପ୍ରକାର ବିଭିନ୍ନତା ନୀତିକୁ ବିଶେଷ ଉତ୍ସାହିତ କରୁଥିଲେ । ସେତେବେଳେ ପୁଣି ଧର୍ମ, ଭାଷା ଓ ଜାତି ସ୍ତରରେ ଶ୍ରମିକମାନେ ସଂଘବଦ୍ଧ ହେଉଥିଲେ । ଉଦାହରଣସ୍ୱରୂପ ୧୯୪୩ ମସିହାରେ ଦିଲ୍ଲୀ, ଲକ୍ଷ୍ନୌ ଓ ବଙ୍ଗଳାରେ ସାଂପ୍ରଦାୟିକ ଭିତ୍ତିରେ କେତେକ ଶ୍ରମିକ ସଂଘ ଗଢ଼ି ଉଠିଥିଲା । କିନ୍ତୁ ଏ ପ୍ରକାର ସଙ୍ଗଠନକୁ ସରକାର ସ୍ଵୀକୃତ ପ୍ରଦାନରେ କୁଣ୍ଠାବୋଧ କରିଥିଲେ ।

 

(୪) ଶ୍ରମିକବର୍ଗଙ୍କ ପ୍ରବାସୀ ସ୍ଵଭାବ–(Migratory character of the Workers)–ଭାରତୀୟ ଶ୍ରମିକମାନେ ସ୍ଵଭାବତଃ ପ୍ରବାସୀ ଅଟନ୍ତି । ତାଙ୍କର ଏହି ପ୍ରବାସୀ ସ୍ଵଭାବ ଯୋଗୁଁ, ଶ୍ରମିକ ସଂଘର ଆନ୍ଦୋଳନରେ ଗୁରୁତର ପ୍ରଭାବ ପଡ଼େ । ଏହି ସ୍ୱଭାବର କାରଣ ହେଉଛି ଯେ, ଅଧିକାଂଶ ଭାରତୀୟ ଶ୍ରମିକ ଏପର୍ଯ୍ୟନ୍ତ ଆଦୌ ଆତ୍ମଚେତନ ନୁହନ୍ତି, ଏକ ସ୍ଵତନ୍ତ୍ର ଏବଂ ସ୍ଥାୟୀ ଶ୍ରେଣୀ ଭାବରେ ସଂଗଠିତ ନୁହନ୍ତି । ପୁଣି ନିଜ ପରିସ୍ଥିତିର ପରିବେଶ ସମ୍ପର୍କରେ ଚେତନଶୀଳ ନୁହନ୍ତି । ସର୍ବଶେଷରେ ଆଧୁନିକ ସମାଜରେ ନିଜର ଦାବି ଓ ଦାୟିତ୍ୱ ପ୍ରତି ସେମାନେ ନିଶ୍ଚିତ ବା କର୍ତ୍ତବ୍ୟଶୀଳ ନୁହନ୍ତି ।

 

ଯଦି ଶ୍ରମିକର ମନକୁ ଆସିଲା ଯେ ସେ ଗାଁକୁ ଯିବ; ତାହାହେଲେ ସେ ହଠାତ୍ କାମ ଛାଡ଼ି ଗ୍ରାମକୁ ଚାଲିଯାଏ । ପୁଣି ଯଦି ସେ କୌଣସି କାରଣରୁ ଗୋଟିଏ ଶିଳ୍ପ ଅନୁଷ୍ଠାନ ଉପରେ ଅସନ୍ତୁଷ୍ଟ ଭାବ ପ୍ରକାଶ କରେ, ତାହାହେଲେ ତାକୁ ସେ ଅନୁଷ୍ଠାନ ତ୍ୟାଗ କରି ଅନ୍ୟ ଶିଳ୍ପାନୁଷ୍ଠାନକୁ ଯାଇଥାଏ । ଏହାଛଡ଼ା ଯଦି କାରଖାନାରେ ବା ଶିଳ୍ପାନୁଷ୍ଠାନରେ ହରତାଳ ବା ତାଲାବନ୍ଦୀ ଦେଖାଯାଏ, ତାହାହେଲେ ଶ୍ରମିକ କୌଣସି କଥାକୁ ବିଚାର ନ କରି ସିଧାସଳଖ ଗାଁକୁ ପଳାଇଥାଏ-!

 

ଏ ପ୍ରକାର ପରିସ୍ଥିତିରେ କୌଣସି ସଙ୍ଗଠନ ଉତ୍ତରୋତ୍ତର ବୃଦ୍ଧି କରି ପାରିବ ନାହିଁ । ପରନ୍ତୁ, ତା’ର ସଙ୍ଗଠନସ୍ଥିତି ବେଳକୁ ବେଳ ଦୁର୍ବଳ ହୋଇ ପଡ଼ିବ । ପୁଣି ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ, ଯେତେବେଳେ ଶ୍ରମିକ ସଙ୍ଗଠନକୁ ସ୍ଵୀକୃତି ପ୍ରଦାନ କରିବାରେ କଳହ ଉପୁଜୁଛି କିମ୍ବା ଶିଳ୍ପ କ୍ଷେତ୍ରରେ ବିବାଦର ସୂତ୍ରପାତ ହୋଇଛି, ସେତେବେଳେ ଶ୍ରମିକମାନଙ୍କ ମନ ପ୍ରାଣରେ ସଙ୍ଗଠନ ସଂକ୍ରାନ୍ତରେ ପ୍ରବଳ ଉତ୍ସାହ ଓ ଉନ୍ମାଦନା ପ୍ରକାଶ ପାଇଛି । କିନ୍ତୁ ଏ ସବୁ ମଝିରେ, ଯଦି ଶ୍ରମିକ ଗାଁକୁ ଚାଲିଯାଏ ଓ ତା’ପରେ ଗାଁରୁ ଫେରି ଆସେ, ତାହାହେଲେ ସେତେବେଳକୁ ତା’ର ସଙ୍ଗଠନ ସମ୍ପର୍କରେ ପୂର୍ବ ଉତ୍ସାହ ଓ ଉନ୍ମାଦନା ଥିଲା ପରି ମନେ ହୁଏନା ।

 

ପୁଣି ମଧ୍ୟ ଏଠାରେ କୁହାଯାଇପାରେ ଯେ, ବହୁ ଶ୍ରମିକ ଗାଁରେ ନିଜର ସ୍ଵଳ୍ପ ଭରଣପୋଷଣ ପାଇଁ ସେହି ସମୟରେ ଆଶ୍ରୟ ପାଇ ଯାଇଥିବାରୁ, ସେମାନେ ଆଉ ଗାଁରୁ ଆସିବାକୁ ମନ ବଳାନ୍ତି ନାହିଁ । ତେଣୁ ଶ୍ରମିକ ସଂଘର ଦୃଢ଼ତା ଓ ଦ୍ରୁତ ବିକାଶ କରିବାକୁ ହେଲେ, ଶ୍ରମିକମାନେ ସ୍ଥାୟୀ ଭାବରେ ଶିଳ୍ପ କ୍ଷେତ୍ରରେ ବସବାସ କରିବା ଉଚିତ । କିନ୍ତୁ ଏହା ହୋଇ ନ ପାରିଲେ, ଶ୍ରମିକ ସଂଘର ଆନ୍ଦୋଳନ କେବଳ ବ୍ୟକ୍ତିଗତଭାବେ ରାଜନୈତିକ ଦଳର ନେତାମାନଙ୍କ ସ୍ଵାର୍ଥସିଦ୍ଧି କରିବାରେ ସାହାଯ୍ୟ କରିବେ ।

 

(୫) ଶ୍ରମିକ ସଂଘର ନେତା ଶ୍ରମିକ ନୁହନ୍ତି—(Absence of labour union leaders among the workers) ଭାରତୀୟ ଶ୍ରମିକ ସଂଘ ଆନ୍ଦୋଳନର ପର୍ଯ୍ୟାପ୍ତ ବିକାଶରେ ସବୁଠାରୁ ବଡ଼ ବାଧା ହେଉଛି ଯେ, ଶ୍ରମିକବର୍ଗଙ୍କ ମଧ୍ୟରୁ ଏପରି କୌଣସି ବ୍ୟକ୍ତି ନାହାନ୍ତି, ଯେ କି ଏହି ସଙ୍ଗଠନର ନେତୃତ୍ଵ ଗ୍ରହଣ କରିବେ । କିନ୍ତୁ ଏହା ପ୍ରାୟ ଦେଖାଯାଇଥାଏ ଯେ, ଶ୍ରମସଂଘର ଆନ୍ଦୋଳନରେ ରାଜନୈତିକ ଦଳର ନେତାମାନେହିଁ ଅଧିକାଂଶ ସମୟରେ ନେତୃତ୍ଵ ଗ୍ରହଣ କରିଥାଆନ୍ତି । ଏହି ନେତାମାନେ କେବଳ ଲୋକଦେଖାଣିଆ ଭାବରେ ଶ୍ରମିକଙ୍କର ସୁଖଦୁଃଖରେ ଭାଗୀ ହୋଇଥାଆନ୍ତି, କିନ୍ତୁ ଶ୍ରମିକମାନଙ୍କର ଦୁଃଖପୂର୍ଣ୍ଣ ଅବସ୍ଥାରେ, ସହାନୁଭୂତି ସହକାରେ ଚିନ୍ତା କରି, ସେମାନଙ୍କର ଉନ୍ନତି ବିଧାନ କରିବା କଥା ସେମାନଙ୍କ ଅନ୍ତରରେ ଆଦୌ ନଥାଏ । ସେମାନେ କେବଳ ନିଜ ନିଜର ରାଜନୈତିକ ଫାଇଦା ଉଠାଇବା ପାଇଁ କେବଳ ମାଲିକମାନଙ୍କ ସହିତ ଉପରଠାଉରିଆ ଭାବରେ ଆଲୋଚନାର ସୂତ୍ରପାତ କରିଥାଆନ୍ତି ଏବଂ ଏହା ମଧ୍ୟ ଦେଖାଯାଉଛି ଯେ, ସେମାନେ ନିଜର ବ୍ୟକ୍ତିଗତ ତଥା ରାଜନୈତିକ ଫାଇଦା ଉଠାଇ ସାରିଲା ପରେ ଆନ୍ଦୋଳନକୁ ଭାଙ୍ଗି ଦେଇଥାଆନ୍ତି ।

 

(୬) ଶ୍ରମିକ ସଙ୍ଗଠନ ମଧ୍ୟରେ ସଂଯୁକ୍ତ ପ୍ରଯତ୍ନ ଏବଂ ଏକତାର ଅଭାବ (Lack of United Front of Labour Unions in the Country)–ବର୍ତ୍ତମାନ ଦେଶରେ ଶ୍ରମିକ ସଂଘର ଚାରୋଟି ବିଭିନ୍ନ କେନ୍ଦ୍ର ସଂସ୍ଥା ଅଛି । ଏହାଛଡ଼ା ଅନ୍ୟାନ୍ୟ ସ୍ଵତନ୍ତ୍ର ଶ୍ରମିକ ସଂସ୍ଥା ମଧ୍ୟ ଅଛି । ଶ୍ରମିକ ସଂଘର ଆନ୍ଦୋଳନ ବିକାଶର ଇତିହାସ ପ୍ରତି ଦୃଷ୍ଟି ଦେଲେ ଜଣାପଡ଼େ କି, ଶ୍ରମିକ ସଂଘର ଏକତା କେବଳ କ୍ଷଣସ୍ଥାୟୀ । ବିଚାରଧାରାର ଅନୁଚିନ୍ତା ଉପରେହିଁ ଗୋଟିଏ ଶ୍ରମ ସଙ୍ଗଠନର ଉଦ୍ଭବ ହେଉଛି । ପୁଣି ଦେଶରେ, ଶ୍ରମିକ ସଙ୍ଗଠନମାନଙ୍କ ମଧ୍ୟରେ କୌଣସି ସଂଯୁକ୍ତ ମନୋଭାବ ପ୍ରକଟିତ ହେଉ ନାହିଁ ।

 

ଆହୁରି ମଧ୍ୟ ଦେଖାଯାଉଛି ଯେ, ଯେଉଁ କେନ୍ଦ୍ରୀୟ ଶ୍ରମସଂସ୍ଥାମାନ ଅଛି, ସେମାନଙ୍କ ମଧ୍ୟରେ ସର୍ବଦା ବିରୋଧ ଲାଗି ରହିଛି । ପ୍ରତ୍ୟେକ ଶ୍ରମ ସଙ୍ଗଠନ, ନିଜ ନିଜର ଆଧିପତ୍ୟ ବିସ୍ତାର ଏବଂ ନିଜ ଆଦର୍ଶର ପ୍ରତିପାଦନ ପାଇଁ ଅନ୍ୟ ଶ୍ରମିକ ସଙ୍ଗଠନର ନୀତି, ଆଦର୍ଶ ତଥା ଆନ୍ଦୋଳନକୁ ବିଫଳ କରିବାରେ ଚେଷ୍ଟା କରୁଛନ୍ତି । ବିଚାରା ଶ୍ରମିକ ଏହି ପରସ୍ପର ସଙ୍ଗଠନର ସମସ୍ତ ନୀତି ଓ ଆଦର୍ଶର ଲଢ଼େଇରେ, ନିଜର ଜୀବନକୁ ଅତ୍ୟନ୍ତ ବ୍ୟର୍ଥ ମନେକରୁଛି । ପୂର୍ବପୃଷ୍ଠା ଲିଖିତ କଥାଗୁଡ଼ିକହିଁ ଶ୍ରମିକ ସଂଘର ଉତ୍ତରୋତ୍ତର ବିକାଶରେ ବାଧା ଦେବାରେ ମହତ୍ୱପୂର୍ଣ୍ଣ କାରଣ ଅଟେ, ଏହା ନିଃସନ୍ଦେହ ।

 

(୭) ପରସ୍ପରର ସହଯୋଗୀ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବୁଝିବାରେ ଅସାମର୍ଥ୍ୟ (Failure to realise the importance of mutual help and welfare activities) କୌଣସି ସଙ୍ଗଠନର ଦୃଢ଼ ବିକାଶ ଓ ସଫଳତା ଲାଭପାଇଁ, ତା’ର ସଦସ୍ୟମାନଙ୍କର ପାରସ୍ପରିକ ସହଯୋଗ ରହିବା ଅତ୍ୟନ୍ତ ଆବଶ୍ୟକ । ଶ୍ରମିକଙ୍କର ଦୀନହୀନ ଅବସ୍ଥା, ମାଲିକମାନଙ୍କର ସ୍ୱାର୍ଥ ମନୋଭାବ ଏବଂ ତଜ୍ଜନିତ ଶ୍ରମିକଙ୍କର ନିମ୍ନସ୍ତରର ଜୀବନ ଧାରଣ ଇତ୍ୟାଦି ବିଷୟ ପ୍ରାୟ ଊଣା ଅଧିକେ ସମସ୍ତଙ୍କୁ ଜଣା ।

 

ଶ୍ରମିକସଂଘ ଶ୍ରମିକମାନଙ୍କର ଜୀବନ ସ୍ତରର ଉନ୍ନତି ଆଣିବା ସଙ୍ଗେ ସଙ୍ଗେ, ସେମାନଙ୍କର ସର୍ବବିଧ କଲ୍ୟାଣ ସାଧନ କରିବାକୁ ସେମାନଙ୍କର ଗୁରୁତ୍ଵପୂର୍ଣ୍ଣ କର୍ତ୍ତବ୍ୟ ବୋଲି ମନେ କରିବା ଉଚିତ । ତେଣୁ ଏ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାରେ, ଶ୍ରମିକମାନଙ୍କର ସଂଘକୁ ସକ୍ରିୟ ସହଯୋଗ ଦେବା ଏକାନ୍ତ ଲୋଡ଼ା । କିନ୍ତୁ ଏ ସମସ୍ତ କ୍ଷେତ୍ରରେ ଶ୍ରମିକଙ୍କର ବିଶେଷ ଅସହଯୋଗ ପରିଲକ୍ଷିତ ହେଉଛି । ଶ୍ରମିକ କେବଳ ନିଜର ବ୍ୟକ୍ତିଗତ ହିତ ସାଧନପାଇଁ, ହରତାଳ ପ୍ରବୃତ୍ତିର ଆଶ୍ରୟ ନେଉଛି; କିନ୍ତୁ ସାରା ଶ୍ରମିକ ସମାଜର, ସମୂହ ସ୍ଵାର୍ଥ ସାଧନ ଓ କଲ୍ୟାଣକର କାର୍ଯ୍ୟମାନଙ୍କରେ ଆଦୌ ସହଯୋଗ ପ୍ରଦର୍ଶନ କରୁ ନାହିଁ । ଏହି ସବୁ କାରଣ ଯୋଗୁଁ ମଧ୍ୟ, ଶ୍ରମିକସଂଘ ଆନ୍ଦୋଳନର ବିକାଶରେ ବିଶେଷ ବାଧା ସୃଷ୍ଟି ହେଉଛି ।

 

(୮) ଜୀବନର ନିମ୍ନସ୍ତର ଓ କାମ କରିବାର ଅସନ୍ତୋଷଜନକ ପରିସ୍ଥିତି–(Low standard of life and dis-satisfactory working condition of the workers) ଶ୍ରମିକମାନଙ୍କୁ କାରଖାନାମାନଙ୍କରେ ଘଣ୍ଟା ଘଣ୍ଟା ଧରି କାମ କରିବାକୁ ପଡ଼ିଥାଏ । ତେଣୁ କାରଖାନାମାନଙ୍କରେ ଏତେ ଘଣ୍ଟା ଧରି କାମ କରିବା ଫଳରେ ଶ୍ରମିକମାନଙ୍କର ସ୍ଫୁର୍ତ୍ତି ଓ ଶକ୍ତିର ବିଶେଷ ହ୍ରାସ ହୁଏ ଏବଂ ସେମାନେ ଶ୍ରମିକ ସଂଘର କ୍ରିୟାକଳାପରେ ଭାଗ ନେଇପାରନ୍ତି ନାହିଁ ।

 

ଶ୍ରମିକମାନଙ୍କୁ ଏପରି ଅସୁସ୍ଥ ପରିସ୍ଥିତିରେ କାମ କରିବାକୁ ପଡ଼େ ଯେ, ତା’ର ମାନସିକ ଅବସ୍ଥା ବେଳକୁବେଳ ଅତ୍ୟନ୍ତ ଦୁର୍ବଳ ହୋଇପଡ଼େ ଏବଂ ସେ କୌଣସି ସମସ୍ୟାକୁ ଉତ୍ତମରୂପେ ବିଚାର କରିବାରେ କ୍ଷମ ହୋଇପାରେ ନାହିଁ । ଶ୍ରମିକମାନଙ୍କର ନିମ୍ନ ଜୀବନମାନ, ତାହାର ଶାରୀରିକ ବିକାଶରେ ବିଶେଷ ବ୍ୟାଘାତ ସୃଷ୍ଟିକରେ ଓ ଅନ୍ୟ ଭାଷାରେ କହିଲେ, ତା’ର ଆଦୌ ଶାରୀରିକ ବିକାଶ ହୋଇପାରେ ନାହିଁ । ତେଣୁ ଯେଉଁ ସମାଜ ତା’ର ଶାରୀରିକ ଓ ମାନସିକ କ୍ଷେତ୍ରରେ ବିଶେଷ ଦୁର୍ବଳ, ସେ ଯେ ଦୃଢ଼ ସଙ୍ଗଠନ କାର୍ଯ୍ୟରେ ସକ୍ରିୟ ସହଯୋଗ କରିପାରିବ ଓ ପୁଣି ଏ କାର୍ଯ୍ୟରେ ସଫଳତା ଆନୟନ କରିପାରିବ, ସେ ପ୍ରକାର ଆଶା କରିବା ବିଡ଼ମ୍ବନା ମାତ୍ର ।

 

ବାହ୍ୟ–ବିରୋଧ–

 

(୧) ମଧ୍ୟସ୍ଥିଙ୍କ ବିରୋଧ–(Hostile attitude of the jobbers)–ଶିଳ୍ପ ବିକାଶ ସଙ୍ଗେ ସଙ୍ଗେ ଭାରତରେ ମଧ୍ୟସ୍ଥି ନାମରେ ଏକଗୋଷ୍ଠୀ ସମାଜରେ ବିଶେଷ ଆସ୍ଥାନ ଜମାଇ ବସିଲା । ଶ୍ରମିକମାନଙ୍କୁ ଗାଁରୁ ଆଣିବା, ପୁଣି ସେମାନଙ୍କୁ ସହରରେ କାମ ଓ ଘର ଯୋଗାଇବା, ଋଣ ଦେବା, ବେମାରି ବା ଦୁର୍ଘଟଣା ସମୟରେ ତାଙ୍କର ସେବା କରିବା ଇତ୍ୟାଦି ସମସ୍ତ କାର୍ଯ୍ୟ ମଧ୍ୟସ୍ଥିଙ୍କଦ୍ଵାରା ସମ୍ପାଦିତ ହେଉଥିଲା ।

 

ଶ୍ରମିକମାନଙ୍କୁ ଶୋଷଣ କରିବାରେହିଁ ସେମାନଙ୍କର ଅସ୍ତିତ୍ଵ ନିର୍ଭର କରୁଥିଲା । ଶ୍ରମିକମାନଙ୍କ ମଧ୍ୟରେ ଶ୍ରମିକ ସଂଗ୍ରାମକୁ ଦୃଢ଼ କରିବାର ଉଦ୍ଦେଶ୍ୟ ହେଲା, ମଧ୍ୟସ୍ଥିମାନଙ୍କର ଅସ୍ତିତ୍ଵର ବିଲୋପ ସାଧନ । ତେଣୁ ଶ୍ରମିକ ସଙ୍ଗଠନର ବିକାଶ ସାଧନ ସଙ୍ଗେ ସଙ୍ଗେ ମଧ୍ୟସ୍ଥିମାନେ ଚେଷ୍ଟା କଲେ ଯେ ଶ୍ରମିକମାନେ ପୂର୍ବ ଅବସ୍ଥାରେ ରହନ୍ତୁ ଓ ସେମାନଙ୍କ ସଙ୍ଗଠନ ବୃଦ୍ଧି ନ ପାଉ ।

 

ଯଦି କୌଣସି କାରଣକୁ ସେତେବେଳେ ଶ୍ରମିକମାନଙ୍କର ଧର୍ମଘଟ ହେଉଥିଲା, ତେବେ ଏହି ମଧ୍ୟସ୍ଥିମାନେ କିପରି ସେମାନଙ୍କର ଧର୍ମଘଟ ବିଫଳ ହେବ, ସେଥିପାଇଁ ବିଶେଷ ପ୍ରଯତ୍ନ କରୁଥିଲେ । ପୁଣି ସେହି କାର୍ଯ୍ୟପାଇଁ ଏହି ମଧ୍ୟସ୍ଥିମାନଙ୍କୁ, ମାଲିକମାନେ ଟଙ୍କା ଓ ଉତ୍ସାହ ପ୍ରଦାନ କରୁଥିଲେ । ତେଣୁ ମଧ୍ୟସ୍ଥିମାନଙ୍କର ନିରନ୍ତର ବିରୋଧ ଫଳରେ, ଶ୍ରମିକ ସଙ୍ଗଠନର ଆନ୍ଦୋଳନ ବିକାଶରେ ବିଶେଷ ବାଧା ସୃଷ୍ଟି ହେଲା ।

 

(୨) ମାଲିକଙ୍କର ଅସହଯୋଗୀ ଦୃଷ୍ଟିକୋଣ—(Non-co-operative attitude of the Employers) କେତେକ ଶ୍ରମ ବିଶେଷଜ୍ଞ ମତପ୍ରଦାନ କରିଥାଆନ୍ତି ଯେ, ପୂର୍ବେ ମାଲିକମାନେ ସଦାସର୍ବଦାହିଁ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ, କିନ୍ତୁ ଆଧୁନିକ ଶ୍ରମିକ ଜାଗରଣ ଫଳରେ ମାଲିକମାନଙ୍କର ଏହି ଶୋଷଣ ପ୍ରବୃତ୍ତିରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ବର୍ତ୍ତମାନର ମାଲିକମାନେ ଶ୍ରମିକମାନଙ୍କଠାରୁ ଅଧିକରୁ ଅଧିକ କାମ ନେଇ ସେମାନଙ୍କୁ କେବଳ ମଜୁରୀ ଦେବା ଛଡ଼ା, ଅନ୍ୟ କେତେକ ସୁବିଧା ଦେବାରେ ବିଶେଷ ପ୍ରଯତ୍ନ କରିଛନ୍ତି ଓ କରୁଛନ୍ତି ।

 

ପୁଣି ମାଲିକମାନେ ସବୁବେଳେ ସଚେତନ ଯେ, ଶ୍ରମିକମାନଙ୍କର କୌଣସି ସମୂହ ସଙ୍ଗଠନ ଶକ୍ତି ନ ରହୁ ଏବଂ ଏହି ସଙ୍ଗଠନ ଶକ୍ତିଦ୍ଵାରା ସେମାନଙ୍କୁ ଯେପରି ଶ୍ରମିକମାନଙ୍କର ସର୍ତ୍ତ ମାନି ନେବାକୁ ନ ପଡ଼ୁ । ପୂର୍ବେ ଯେତେବେଳେ ଶୋଷଣ ଓ ଅସନ୍ତୋଷ ସୀମା ଲଂଘନ କରୁଥିଲା, ସେତେବେଳେ ଶ୍ରମିକମାନଙ୍କ ମଧ୍ୟରେ, ବିରୋଧ ପ୍ରବୃତ୍ତିକୁ ଜାଗ୍ରତ କରାଇ ସଂଗ୍ରାମୀ ମନୋଭାବ ସୃଷ୍ଟି କରିବା ସ୍ଵାଭାବିକ ହୋଇ ପଡ଼ୁଥିଲା । କିନ୍ତୁ ସେତେବେଳେ ଶ୍ରମିକମାନଙ୍କର ଏତେ ଶକ୍ତି ବା ସାମର୍ଥ୍ୟ ନଥିଲା ଯେ, ସେମାନେ ସଂଗଠିତ ଅବସ୍ଥାରେ ସଂଗ୍ରାମୀ ମନୋଭାବକୁ ଦୂରକୁ ଆଗେଇ ନେବେ ।

 

ଏହି ସମୟରେ ମଧ୍ୟ ଶ୍ରମିକମାନଙ୍କୁ ସୁଶୃଙ୍ଖଳିତ ଓ ସଂଗଠିତ କରିବାର ପ୍ରଯତ୍ନ କରାଯାଇଥିଲା । ଏହାପରେ ରାଜନୈତିକ ନେତାମାନେ ଶ୍ରମିକ ଆନ୍ଦୋଳନର ନେତୃତ୍ଵ ଗ୍ରହଣ କଲେ । ଯେତେବେଳେ ହରତାଳ ଫଳରେ ଶିଳ୍ପ ଉତ୍ପାଦନରେ ବିଶେଷ ବାଧା ଉପୁଜିଲା, ସେତେବେଳେ ମିଲ୍ ମାଲିକମାନଙ୍କ ମଧ୍ୟରେ ଚେତନା ଆସିଲା ଏବଂ ସେମାନେ ସେତେବେଳେ ଶ୍ରମିକ ସଙ୍ଗଠନ ତଥା ଶ୍ରମିକମାନଙ୍କୁ ପ୍ରତିଶୋଧମୂଳକ ଉତ୍ପୀଡ଼ନ (Victimization) କରିବାକୁ ଲାଗିଲେ । ଶ୍ରମିକମାନଙ୍କୁ ପ୍ରତିଶୋଧମୂଳକ ଉତ୍ପୀଡ଼ନ କରିବାକୁ ଯାଇ ସେତେବେଳେ ମାଲିକମାନେ ସେମାନଙ୍କୁ ପଦଚ୍ୟୁତ କରୁଥିଲେ, ସେମାନଙ୍କର ନାମକୁ Black listରେ ରଖୁଥିଲେ, ସେମାନଙ୍କ କାମରେ ବଦନାମ ଆଣୁଥିଲେ ଇତ୍ୟାଦି ଇତ୍ୟାଦି ।

 

ଏହିପରି ଭାବରେ ସେତେବେଳେ ମାଲିକମାନେ ଶ୍ରମିକଙ୍କ ପ୍ରତି କିପରି ପ୍ରତିଶୋଧମୂଳକ ଉତ୍ପୀଡ଼ନ କରୁଥିଲେ, ତାହାର ଅସଂଖ୍ୟ ଉଦାହରଣ ପ୍ରଦାନ କରାଯାଇପାରେ । ଏହାଛଡ଼ା ସେତେବେଳେ ମଧ୍ୟ ମାଲିକ ନିଜ ପରିଚାଳିତ ଓ ନିଜ ନେତୃତ୍ଵରେ ଶ୍ରମିକ ସଙ୍ଗଠନମାନ ସୃଷ୍ଟି କରାଇ ଶ୍ରମିକ ସଙ୍ଗଠନରେ ବିଭେଦ ଆଣୁଥିଲେ । କେବଳ ଏତିକି ନୁହେଁ, ମାଲିକମାନେ ନିଜ ଲୋକଙ୍କୁ ମଧ୍ୟ ସେତେବେଳେ ଶ୍ରମିକ ସଙ୍ଗଠନରେ ଭର୍ତ୍ତି କରାଇ ତାଙ୍କରିଦ୍ଵାରା ଶ୍ରମିକ ସଙ୍ଗଠନକୁ ଭିନ୍ନ ଭିନ୍ନ କରିବାର ପ୍ରଯତ୍ନ କରାଉଥିଲେ । ଯଦି ଏ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ, ମାଲିକମାନଙ୍କର ଆଶା ମେଣ୍ଟୁ ନଥିଲା, ତାହାହେଲେ ସେମାନେ ଗୁଣ୍ଡାମାନଙ୍କ ସାହାଯ୍ୟରେ ଶ୍ରମିକମାନଙ୍କର ନେତାମାନଙ୍କୁ ମାଡ଼ ମରାଉଥିଲେ ଓ ସେମାନଙ୍କୁ ବାରମ୍ବାର ଅପମାନିତ କରୁଥିଲେ । ପୁଣି ମାଲିକମାନେ କହି ବୋଲି ପାରୁଥିବା ଶ୍ରମିକମାନଙ୍କୁ ଅତିରିକ୍ତ ସୁବିଧାମାନ ପ୍ରଦାନ କରି, ନିଜର ହାତବାରିସି କରି ରଖୁଥିଲେ ଏବଂ ସେହିମାନଙ୍କଦ୍ଵାରା ଶ୍ରମିକ ସଂଘର ଆନ୍ଦୋଳନକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ । ମିଲ୍ ମାଲିକମାନଙ୍କର ଏହି ସମସ୍ତ ମନୋଭାବ ଯୋଗୁଁ, ଶ୍ରମିକ ଆନ୍ଦୋଳନ ଦ୍ରୁତଗତିରେ ଗଢ଼ି ଉଠି ପାରିଲା ନାହିଁ ।

Image

 

ଶିଳ୍ପାନ୍ତଃ ଶିକ୍ଷା

(Training Within Industry)

 

ଶିଳ୍ପ ସଂସ୍ଥା ଅଭ୍ୟନ୍ତରରେ ଶିକ୍ଷା ଦେବା ପ୍ରଥା (ଯାହାକୁ ସାଧାରଣତଃ T. W. I. ବୋଲି କୁହାଯାଏ) ପ୍ରଥମେ ଆମେରିକାର ଶିଳ୍ପ ତଦାରଖକାରୀମାନଙ୍କୁ ତଦାରଖ କୌଶଳ ତାଲିମ ଦେବାରୁହିଁ ଆରମ୍ଭ । ପ୍ରାୟ ୨୫ ବର୍ଷ ପୂର୍ବେ ଏହି ପ୍ରଥା, ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବର୍ତ୍ତନ ଫଳରେ ସେଠାକାର ଶିଳ୍ପ ଉତ୍ପାଦନରେ ସମ୍ୟକ ଉନ୍ନତି ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଶ୍ରମିକ ଜଞ୍ଜାଳ ମଧ୍ୟ ଆଶାନୁରୂପ ହ୍ରାସ ପାଇବାର ଦେଖା ଯାଇଥିଲା ।

 

ଇଂଲଣ୍ଡରୁ ଶିଳ୍ପପତିବୃନ୍ଦ ଯୁକ୍ତରାଷ୍ଟ୍ରୀୟ ଶିଳ୍ପ ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାପାଇଁ ଆମେରିକା ଯାଇଥିଲେ ଓ ସେଠାରେ ଶିଳ୍ପାନ୍ତଃ ଶିକ୍ଷା ଯୋଜନା ଦେଖି ଅତ୍ୟନ୍ତ ପ୍ରୀତ ହୋଇଥିଲେ । ସେମାନଙ୍କ ଉଦ୍ୟମରେ ଇଂଲଣ୍ଡରେ ମଧ୍ୟ, ସେହି ପ୍ରଥାର ପ୍ରଚଳନ ହୋଇଥିଲା ଓ ଆମେରିକା ପରି ସେଠାରେ ମଧ୍ୟ ଏହି ଯୋଜନାର ଆଶାନୁରୂପ ଫଳ ମିଳିଥିଲା । ପରେ ଇଂଲଣ୍ଡର ଶ୍ରମ ଓ ଜାତୀୟ ବର୍ଗ ପ୍ରୟୋଗ ଦପ୍ତର ଶିଳ୍ପ ସଂସ୍ଥାମାନଙ୍କୁ ଶିଳ୍ପାନ୍ତଃ ଶିକ୍ଷା ଦିଗରେ ସାହାଯ୍ୟ କରିବାପାଇଁ, ଯୋଜନାର ବିସ୍ତୃତ ପ୍ରଚଳନ କରାଇଥିଲେ । ଆନ୍ତର୍ଜାତିକ ଶ୍ରମସଂସ୍ଥାର ଉଦ୍ୟମରେ ପ୍ରଥମେ ଭାରତର ବାଙ୍ଗାଲୋରଠାରେ ଏହି ଯୋଜନାର ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା ।

 

ଶିଳ୍ପ ତଦାରଖକାରୀମାନଙ୍କୁ ସୁସ୍ଥ କର୍ମ ସମ୍ପର୍କ ବିକାଶରେ ସାହାଯ୍ୟ କରିବା ଏବଂ ଶ୍ରମ ଗୋଷ୍ଠୀକୁ ସୁଚାରୁରୂପେ ସଂଚାଳିତ କରିବା ଓ ଉପଯୁକ୍ତ ଉପଦେଶ ଦେବାରେ ତଥା କର୍ମ ପଦ୍ଧତିରେ ଉନ୍ନୟନ ସୂଚାଇ ଦେବାପାଇଁ ସେମାନଙ୍କୁ ତାଲିମ ଦେବା ହେଲା, ଶିଳ୍ପାନ୍ତଃ ଶିକ୍ଷାର ମୂଳ ଉଦ୍ଦେଶ୍ୟ । ତେଣୁ ସମୁଦାୟ ତାଲିମ କାଳକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥାଏ ଯଥା–କାର୍ଯ୍ୟ ସଂପୃକ୍ତି, କାର୍ଯ୍ୟ ନିର୍ଦ୍ଦେଶ ଓ କାର୍ଯ୍ୟ ପଦ୍ଧତି । ପ୍ରତି ପର୍ଯ୍ୟାୟରେ ଗୋଟିଏ କରି ସମୂହ ଆଲୋଚନା ଓ ଆଦେଶ ଜଣରେ ଗଠିତ ହୋଇଥିବା ତଦାରଖକାରୀ ଗହଣରେ ପାଞ୍ଚଗୋଟି ଦୁଇଘଣ୍ଟିଆ ତାଲିମ ଅଧିବେଶନ ଥାଏ । ଦୁଇଘଣ୍ଟିଆ ଅଧିବେଶନ ବସିବାର ଉଦ୍ଦେଶ୍ୟ ପ୍ରଥମରେ ହେଲା ଯେ, ଏହାଦ୍ୱାରା ଶ୍ରମିକଙ୍କର ଦୈନନ୍ଦିନ କାମରେ କୌଣସି ବ୍ୟାଘାତ ଘଟିବ ନାହିଁ ଏବଂ ଦ୍ଵିତୀୟରେ ଦୁଇ ଘଣ୍ଟାରୁ ବେଶୀ ହେଲେ ହୁଏତ ତାହା, ସେମାନଙ୍କ ପ୍ରତି ବିରକ୍ତିଜନକ ହେବ-। ପୁଣି ତାଲିମକାଳ ମଧ୍ୟରେ କୌଣସି ବକ୍ତୃତାର ଆୟୋଜନ ନଥାଏ । ସାଧାରଣତଃ ସମୂହ ଆଲୋଚନା ମଧ୍ୟରେ ଶିକ୍ଷାଦାନ କରାଯାଇଥାଏ । ଦଳର ସଭ୍ୟମାନଙ୍କ ପାଇଁ ପ୍ରୟୋଗ ପ୍ରଦର୍ଶନମୂଳକ ଶିକ୍ଷାର ମଧ୍ୟ ବ୍ୟବସ୍ଥା କରାଯାଇଥାଏ, ଯାହାଦ୍ଵାରା କି ସେମାନେ ନିଜେ ନିଜେ କାମ କରିବା ମଧ୍ୟ ଶିକ୍ଷା କରିଥାଆନ୍ତି ।

 

ଶିଳ୍ପାନ୍ତଃଶିକ୍ଷା ଦୃଷ୍ଟିରୁ କାରଖାନାର ସର୍ବୋଚ୍ଚ ପରିଚାଳକଙ୍କଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ କାରଖାନା ଭିତରେ ଅନ୍ୟର କାମ ତଦାରଖ କରୁଥିବା, ଯେକୌଣସି ଲୋକ ହେଲା ତଦାରଖକାରୀ । ପ୍ରତ୍ୟେକ ତଦାରଖକାରୀଙ୍କୁ ଉପରଲିଖିତ ତିନୋଟିଯାକ ବିଭାଗରେ ଶିକ୍ଷା ଦେବା ଦରକାର ପଡ଼େ ନାହିଁ । ଉଦାହରଣସ୍ଵରୂପ କାର୍ଯ୍ୟପଦ୍ଧତି ବିଷୟରେ ଶିକ୍ଷା କରିବାକୁ ହେଲେ, ଉଚ୍ଚସ୍ତରର ମେଧାଶକ୍ତି ଓ ଦାୟିତ୍ଵଜ୍ଞାନ ଆବଶ୍ୟକ । ତେଣୁ ଏ ପଦ୍ଧତି ଜରିଆରେ କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଶିକ୍ଷାଦାନ କରାଯାଇଥାଏ ।

 

ପ୍ରଥମେ ଉପରସ୍ତରରୁ ତଦାରଖକାରୀମାନେ ତାଲିମ ନେବା ଦରକାର । ତାହାହେଲେ ଏ ପ୍ରଥା ପ୍ରୟୋଗ କରିବା–

 

ବେଳେ ଭିନ୍ନମତ ପାଇଁ ଅବକାଶ ରହିବ ନାହିଁ । ଉପର ସ୍ତରର ତଦାରଖକାରୀମାନେ ତାଲିମ ନ ନେଲେ, ସେମାନେ ସେମାନଙ୍କର ତଳେ ଥିବା ତଦାରଖକାରୀମାନଙ୍କଦ୍ଵାରା ଏ ପ୍ରଥାର ପ୍ରୟୋଗ ପସନ୍ଦ କରିବେ ନାହିଁ ।

 

କୌଣସି ତଦାରଖକାରୀ ଅଧିକା ଦକ୍ଷତାର ସହିତ ନିଜର କାର୍ଯ୍ୟ ସମ୍ପନ୍ନ କରିବାକୁ ହେଲେ ତଥା ଶ୍ରମିକମାନଙ୍କୁ ଠିକ୍‍ ରୂପେ ପରିଚାଳିତ କରିବାକୁ ହେଲେ ସେମାନଙ୍କର ନିମ୍ନଲିଖିତ ଯୋଗ୍ୟତାଗୁଡ଼ିକ ଥିବା ନିହାତି ଦରକାର ।

 

(କ) କାମ ବିଷୟରେ ଜ୍ଞାନ ।

 

(ଖ) ଦାୟିତ୍ଵ ଜ୍ଞାନ ।

 

(ଗ) ନେତୃତ୍ଵ ।

 

(ଘ) ନିର୍ଦ୍ଦେଶ ଜ୍ଞାନ ।

 

(ଙ) କର୍ମପଦ୍ଧତି ସଂସ୍ଥାର ଜ୍ଞାନ ।

 

ଏ ସମସ୍ତ ଯୋଗ୍ୟତା ହୁଏତ ତଦାରଖକାରୀଙ୍କ ଭିତରେ ନିଦ୍ରିତ ଅବସ୍ଥାରେ ଥାଏ କିମ୍ବା ଏହାକୁ କିପରି ପ୍ରୟୋଗ କରିବାକୁ ହୁଏ, ସେ କଥା ସେ ଜାଣନ୍ତି ନାହିଁ । ଅନେକ କ୍ଷେତ୍ରରେ ତଦାରଖକାରୀଙ୍କର ନିଜର କାର୍ଯ୍ୟ ବିଷୟରେ ଠିକ୍ ଧାରଣା ଥିଲେ ମଧ୍ୟ, ସେ ତାଙ୍କର ଧାରଣା ବ୍ୟକ୍ତ କରିବାକୁ ଅକ୍ଷମ ହୋଇଥାନ୍ତି । ତଦାରଖକାରୀ ନିଜେ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ କିପରି ତୁଲାଇବାକୁ ହେବ ସେ କଥା ନ ଜାଣିଲେ, କର୍ମପଦ୍ଧତିରେ ଉନ୍ନତି କରିବା ତାଙ୍କ ପକ୍ଷରେ ସମ୍ଭବ ହେବ ନାହିଁ । ଏହିଠାରେହିଁ ଶିଳ୍ପାନ୍ତଃ ଶିକ୍ଷାର ପ୍ରଶ୍ନ ଉଠେ । ଶିଳ୍ପାନ୍ତଃ ଶିକ୍ଷା ତଦାରଖକାରୀମାନଙ୍କ ପୂର୍ବଲିଖିତ କର୍ମନିର୍ଦ୍ଦେଶ ଗୁଣଗୁଡ଼ିକ ବୃଦ୍ଧି କରିବାରେ ସାହାଯ୍ୟ କରେ-। ନୂତନ ଶ୍ରମିକକୁ ସେମାନଙ୍କ କାମ ସହିତ ପରିଚୟ କରାଇବା ଓ ସେମାନଙ୍କୁ କର୍ମସୂଚନା ଦେବା ବିଷୟକ ତଦାରଖ ଶୈଳୀର ଉନ୍ନତି ହେଲା, କର୍ମ ନିର୍ଦ୍ଦେଶପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ-

 

କୌଣସି ତଦାରଖକାରୀ ନୂତନ ଶ୍ରମିକକୁ ପରିଚାଳିତ କରିବାପାଇଁ ଶିକ୍ଷାଦେବା ପୂର୍ବରୁ ତାଙ୍କୁ ତଳଲିଖିତମତେ ପ୍ରସ୍ତୁତ ହେବାକୁ ପଡ଼ିବ ।

 

(କ) ତାଲିକା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ–କୌଣସି ଶ୍ରମିକଠାରୁ କେତେ ପରିମାଣରେ ପାରଗତା ଆଶା କରାଯାଏ ଓ କେତେ ସମୟ ଭିତରେ, ଏହା ଶ୍ରମିକଙ୍କୁ ଯେଉଁ କାମପାଇଁ ନିଯୁକ୍ତ କରାଯାଇଥାଏ ସେ କାମ ଉପରେ ନିର୍ଭର କରେ ।

 

(ଖ) କର୍ମ ବିଭାଗୀକରଣ–ଆବଶ୍ୟକୀୟ ପର୍ଯ୍ୟାୟଗୁଡ଼ିକ ପରୀକ୍ଷା କରି ସେମାନଙ୍କ ଭିତରୁ ବିଶିଷ୍ଟ ପର୍ଯ୍ୟାୟଗୁଡ଼ିକ, ଯାହାକି ଶ୍ରମିକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ସୃଷ୍ଟି କରିବ । ଉଦାହରଣସ୍ଵରୂପ, ନିରାପତ୍ତା ହେଉଛି ସବୁବେଳେ ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ ।

 

(ଗ) ପ୍ରତ୍ୟେକ ଦିଗରୁ ପ୍ରସ୍ତୁତ ହେବେ । ଅର୍ଥାତ୍ ଉପଯୁକ୍ତ ସାଜ (ହାତହତିଆର କଞ୍ଚାମାଲ ଓ ଯୋଗାଯୋଗ ବ୍ୟବସ୍ଥା । (ଯୋଗାଣ ବ୍ୟବସ୍ଥା)

 

(ଘ) ଶ୍ରମିକର ଦରକାର ମୁତାବକ କର୍ମ ସ୍ଥାନରେ ଯଥାଯଥ ବ୍ୟବସ୍ଥା କରିବା, ଯେପରି ସେହି ଯଥାଯଥ ବ୍ୟବସ୍ଥା ଶ୍ରମିକ ପାଳନ କରେ ।

 

ତା’ପରେ ତଦାରଖକାରୀ କର୍ମ ନିର୍ଦ୍ଦେଶ ବିଷୟରେ ଚିନ୍ତା କରିବେ । ତଦାରଖକାରୀମାନେ ଶ୍ରମିକମାନଙ୍କୁ ସେମାନଙ୍କ କର୍ମ ସମ୍ବନ୍ଧରେ ନିର୍ଦ୍ଦେଶ ଦେବାପାଇଁ ଚାରିପର୍ଯ୍ୟାୟ ବିଶିଷ୍ଟ ଏକ ପଦ୍ଧତି ଅଛି । ଏହି ପଦ୍ଧତି ସାହାଯ୍ୟରେ ପଣ୍ଡଶ୍ରମ ଦୂରୀକରଣ କରାଯାଏ ଏବଂ ଶ୍ରମିକ ତା’ର ନୂତନ ଦାୟିତ୍ଵ ତୁଲାଇବାରେ ସମୟ ଓ ଶକ୍ତିର ଅପଚୟ ନ କରି କିପରି ଭାବରେ ସର୍ବୋଚ୍ଚ ଉତ୍ପାଦନ କରିବାକୁ ସମର୍ଥ ହେବ, ତାହା ସେ ଧୀରେ ସୁସ୍ଥେ ଶିକ୍ଷା କରେ-। ଏ ପଦ୍ଧତି ଏତେ ସରଳ ଯେ, ଏହା ଶିକ୍ଷା ଦେବାପରେ ଯଦି ଦେଖାଯାଏ ଯେ ଶ୍ରମିକ ଏହା ଶିକ୍ଷା କରି ନାହିଁ, ତାହାହେଲେ ତଦାରଖକାରୀ ପ୍ରକୃତରେ ଶ୍ରମିକଙ୍କୁ ଶିକ୍ଷା ଦେଇ ନାହାନ୍ତି ବୋଲି କହିବାକୁ ହେବ । କର୍ମ ନିର୍ଦ୍ଦେଶ ପର୍ଯ୍ୟାୟରେ ତଦାରଖକାରୀମାନେ ଶ୍ରମିକମାନଙ୍କୁ ସଫଳତାର ସହିତ କିପରି ଭାବରେ ଚାରିପର୍ଯ୍ୟାୟ ବିଶିଷ୍ଟ କର୍ମୋପଦେଶ ଦେବାକୁ ହେବ, ତାହା ଶିକ୍ଷା କରିଥାଆନ୍ତି । ଏ ପର୍ଯ୍ୟାୟରେ କେବଳ ଶ୍ରମିକମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା ସର୍ବନିମ୍ନସ୍ତରର ତଦାରଖକାରୀମାନଙ୍କୁ ଶିକ୍ଷାଦାନ କରାଯାଇଥାଏ ।

 

କର୍ମ ସଂପୃକ୍ତି

 

କର୍ମ ସଂପୃକ୍ତି ପର୍ଯ୍ୟାୟ, ତଦାରଖକାରୀମାନଙ୍କୁ ନେତୃତ୍ଵ କୌଶଳ ବୈଷୟିକ ଶିକ୍ଷା ଦେଇଥାଏ ଓ ସେମାନଙ୍କ ଅଧୀନରେ କାମ କରୁଥିବା ଶ୍ରମିକମାନଙ୍କ ପ୍ରତି ଦାୟିତ୍ଵ ବିଷୟରେ ସୂଚନା ଦେଇଥାଏ । ପରିଚାଳନା ବିଭାଗ ପ୍ରତି ତଦାରଖକାରୀର ଦାୟିତ୍ଵ ହେଲା (କ) ଅଧିକ ଉତ୍ପାଦନ, (ଖ) ଉତ୍ତମ ଗୁଣସମ୍ପନ୍ନ ଉତ୍ପାଦନ, (ଗ) ସର୍ବନିମ୍ନ ଉତ୍ପାଦନ ମୂଲ୍ୟ, (ଘ) ସୁଦକ୍ଷ କର୍ମ ସମ୍ପାଦନ ଓ (ଙ) ଶୃଙ୍ଖଳା ନିୟୋଜନ । ତଦାରଖକାରୀମାନେ ତାଙ୍କ ଅଧୀନରେ ଥିବା ଶ୍ରମିକମାନଙ୍କୁ ସୁଚାରୁରୂପେ ପରିଚାଳନା କରି ନ ପାରିଲେ ଉପରୋକ୍ତ ଲକ୍ଷ୍ୟ ସାଧନ କରିବା ତାଙ୍କ ପକ୍ଷରେ ସମ୍ଭବପର ହେବ ନାହିଁ । ତେଣୁ ତାଙ୍କ ଅଧୀନରେ କାମ କରୁଥିବା ପ୍ରତ୍ୟେକ ଶ୍ରମିକ ସହିତ ସେ ମାନବୋଚିତ ବ୍ୟବହାର କରିବା ଏକାନ୍ତ ଆବଶ୍ୟକ ।

 

ଉତ୍ତମ ସମ୍ପର୍କର ମୂଳଭିତ୍ତି ହେଲା–

 

(୧) ପ୍ରତ୍ୟେକ କର୍ମଚାରୀ ନିଜେ ବୁଝୁ, ସେ କିପରି କର୍ମ ପର୍ଯ୍ୟାୟ ଭିତର ଦେଇ ଗତି କରୁଛି ।

 

(୨) ପ୍ରଶଂସା ପାଇବାକୁ ଯେ ହକ୍‍ଦାର, ତାକୁ ପ୍ରଶଂସା କର ।

 

(୩) କେତେବେଳେ କେଉଁ ପରିବର୍ତ୍ତନ ହେବ, ତାହା ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆଗରୁ ଜଣାଅ ।

 

(୪) ପ୍ରତ୍ୟେକ ଶ୍ରମିକ ଯୋଗ୍ୟତାର ସଦ୍‍ବ୍ୟବହାର କର ।

 

ତଦାରଖକାରୀ ବ୍ୟକ୍ତିଗତ କାର୍ଯ୍ୟରୁ ବା ସାମୂହିକ କାର୍ଯ୍ୟରୁ ଉପୁଜିଥିବା ବହୁ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଏଇ ଉପୁଜିଥିବା ସମସ୍ୟାକୁ ତାଙ୍କର ସମାଧାନ କରିବା ଉଚିତ ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ମଧ୍ୟ, ତାଙ୍କର ସୁନିର୍ଦ୍ଦେଶ ଦେଇ ଠିକ୍ ପର୍ଯ୍ୟାୟରେ ଆଣିବା ଉଚିତ । ଏହି କର୍ମ ସମ୍ପୃକ୍ତ ପଦ୍ଧତି, ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଚାରିପର୍ଯ୍ୟାୟ ପଦ୍ଧତିରେହିଁ ପର୍ଯ୍ୟବସିତ ହୋଇଥାଏ ।

 

କର୍ମପଦ୍ଧତି—(Job Methods)

 

କର୍ମପଦ୍ଧତିର ଶିକ୍ଷା ପ୍ରତ୍ୟେକ ତଦାରଖକାରୀଙ୍କୁ କାର୍ଯ୍ୟପଦ୍ଧତିର ଉନ୍ନତି ଓ ପଣ୍ଡଶ୍ରମକୁ ମୂଳପୋଛ ଅର୍ଥାତ୍ ଏହି ପ୍ରଣାଳୀ ତଦାରଖକାରୀଙ୍କୁ ଯନ୍ତ୍ରପାତି, କଞ୍ଚାମାଲ ତଥା ଲୋକ ନିଯୁକ୍ତିକୁ ଉତ୍ତମରୂପେ ବ୍ୟବହାର କରିବାର କାର୍ଯ୍ୟକାରୀ ପନ୍ଥା ପ୍ରଦାନ କରିଥାଏ ।

 

ଏହି ପର୍ଯ୍ୟାୟର ପ୍ରଥମ କାର୍ଯ୍ୟପଦ୍ଧତିର ପ୍ରତ୍ୟେକ ସ୍ତର ଖୁଣ୍ଟିନାଣ୍ଟି ନିରୀକ୍ଷଣ କରି ପ୍ରଚଳିତ ପଦ୍ଧତି ବିଷୟରେ ପୁଙ୍ଖାନୁପୁଙ୍ଖ ବିଚାର କରେ ।

 

ଦ୍ଵିତୀୟରେ ପ୍ରତ୍ୟେକ ପଦ୍ଧତିର ଚାହିଦା ବିଷୟରେ ବିଚାର କରାଯାଇ କୌଣସି ନୂତନ ପଦ୍ଧତି ସାହାଯ୍ୟରେ ତା’ର ଉନ୍ନତି କରିବା ସମ୍ଭବ ହେବ କି ନାହିଁ ସେ ବିଷୟ ନିରୀକ୍ଷଣ କରାଯାଏ-। ତୃତୀୟରେ ଏହି ସବୁ ବିଚାରଦ୍ଵାରା ଉଦ୍ରେକ ହୋଇଥିବା ଚିନ୍ତାଧାରା, କିପରି କାର୍ଯ୍ୟକାରୀ କରାଯାଇପାରିବ, ସେ ବିଷୟରେ ପନ୍ଥା ନିର୍ଦ୍ଧାରଣ କରାଯାଇ ସେଥିରେ ବିଭାଗୀୟ କର୍ମକର୍ତ୍ତାମାନଙ୍କର ସ୍ଵୀକୃତି ନିଆଯାଏ ଓ ତା’ପରେ ତାହାସବୁ ବ୍ୟାବହାରିକ ପଦ୍ଧତିରେ ପରିଣତ କରାଯାଏ ।

 

ବାସ୍ତବମୁଖୀ ଯୋଜନାରେ ଆଉ ଗୋଟିଏ ଚତୁର୍ଥ ପର୍ଯ୍ୟାୟ ପଦ୍ଧତି ରହିଛି, ଯାହାକି ପ୍ରାପ୍ତ ମାନବଶକ୍ତି ଓ ଯନ୍ତ୍ରପାତିକୁ ଉତ୍ତମଭାବେ ବିନିଯୋଗ କରେ ଏବଂ ଏହି ଉତ୍ତମଭାବରେ ବିନିଯୋଗ ପ୍ରଣାଳୀ ବା କୌଶଳକୁ ଶିକ୍ଷାହିଁ ବିଶେଷ ସାହାଯ୍ୟ କରିଥାଏ ।

 

ଏହି କର୍ମପଦ୍ଧତି ତଦାରଖକାରୀମାନଙ୍କୁ କଳକବଜା ପ୍ରଭୃତି ପରିବର୍ତ୍ତନ କରିବାର ଅବକାଶ ଦିଏ ନାହିଁ; କିନ୍ତୁ ଉନ୍ନତି ଶୈଳୀରେ ଅଳ୍ପ ସମୟ ମଧ୍ୟରେ, କାର୍ଯ୍ୟକୁ ଦକ୍ଷତାର ସହିତ ତୁଲାଇବା ପାଇଁ କାର୍ଯ୍ୟପଦ୍ଧତିରେହିଁ ପରିବର୍ତ୍ତନ ଆଣିଥାଏ । ଏହି ପଦ୍ଧତିରେ ଶିକ୍ଷା କେବଳ ଉନ୍ନତ ସ୍ତରର ତଦାରଖକାରୀମାନଙ୍କୁ ପ୍ରଦାନ କରାଯାଇଥାଏ; କାରଣ ନିମ୍ନସ୍ତରର ତଦାରଖକାରୀମାନଙ୍କ ପକ୍ଷରେ ଗୋଟିଏ ପକ୍ଷରେ ଗୋଟାଏ ନୂତନ ପଦ୍ଧତି ପ୍ରଚଳନ କରିବା ସମ୍ଭବ ହୁଏ ନାହିଁ ।

 

ସାଗଠନିକ କର୍ମ ସଂପୃକ୍ତି

 

ସାଂଗଠନିକ କର୍ମ ସମ୍ପୃକ୍ତ ଯୋଜନା ଠିକ୍ ଭାବରେ ଶିଳ୍ପାନ୍ତଃ ଶିକ୍ଷା ଯୋଜନାର ଅଂଶ ବିଶେଷ ନୁହେଁ । କିନ୍ତୁ ଏହି ଯୋଜନାଟି ଶ୍ରମ ସଙ୍ଗଠନମାନଙ୍କ ପାଇଁ ନିର୍ଦ୍ଧାରିତ ହୋଇଅଛି, ଯେଉଁଥିରେକି ଶ୍ରମ ସଙ୍ଗଠନର ନେତାମାନଙ୍କୁ ଶିକ୍ଷା ଦିଆଯିବ ଏବଂ ସେମାନେ ସଙ୍ଗଠନ ଓ ସଙ୍ଗଠନର ସଭ୍ୟମାନଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାଗୁଡ଼ିକୁ କୌଶଳପୂର୍ଣ୍ଣ ଭାବରେ ସମାଧାନ କରିବାରେ ସମର୍ଥ ହେବେ । ପୁଣି ଏହି ଶିକ୍ଷାଯୋଜନାର କେତେଗୁଡ଼ିଏ ନୀତି ଓ ନିର୍ଦ୍ଦେଶ ରହିଛି, ଯେଉଁଥିରେକି ଶ୍ରମ ସଂଗଠନର କର୍ମକର୍ତ୍ତାମାନେ ଉପୁଜିଥିବା ସମସ୍ୟାଗୁଡ଼ିକ ସମାଧାନ କରିବାରେ ଶିକ୍ଷାଲାଭ କରନ୍ତି ।

 

କର୍ମ ନିର୍ଦ୍ଦେଶ, କର୍ମ ସଂପୃକ୍ତି ଏବଂ କର୍ମ ପ୍ରଣାଳୀ ପଦ୍ଧତିମାନଙ୍କରେ କେତେକ ବୈସାଦୃଶ୍ୟ ପରିଲକ୍ଷିତ ହୁଏ । କର୍ମ ନିର୍ଦ୍ଦେଶ ତଦାରଖକାରୀମାନଙ୍କର ଜ୍ଞାନ ଅର୍ଜନପାଇଁ ଦିଆଯାଇଥାଏ । ସେମାନେ ଏହି ଜ୍ଞାନ ଅର୍ଜନ କରି ଶ୍ରମିକମାନେ କିପରିଭାବେ କାର୍ଯ୍ୟସୁସମ୍ପାଦିତ କରି ପାରିବେ, ତାହାହିଁ ନିର୍ଦ୍ଦେଶ ଦେଇ ଥାଆନ୍ତି, କିନ୍ତୁ କର୍ମ ସଂପୃକ୍ତି ଓ କର୍ମ ପ୍ରଣାଳୀ ପଦ୍ଧତିରେ ତଦାରଖକାରୀମାନେ ଜ୍ଞାନ ଅର୍ଜନ କରି, ଶ୍ରମିକ ଏବଂ ଶ୍ରମିକଙ୍କଦ୍ଵାରା ଅନୁଷ୍ଠିତ ହେଉଥିବା କର୍ମ ପଦ୍ଧତିରେ କିପରି ଉନ୍ନତି ସାଧିତ ହେବ, ତାହାହିଁ ନିର୍ଦ୍ଦେଶ ଦେଇଥାଆନ୍ତି ।

 

ବିଟ୍ରେନରେ ଶିଳ୍ପାନ୍ତଃ ଶିକ୍ଷା ଯୋଜନା କେବଳ, ଶିଳ୍ପାନୁଷ୍ଠାନମାନଙ୍କରେ ଦିଆଯାଏ ନାହିଁ; କିନ୍ତୁ ଏହା ବେସାମରିକ ଶିକ୍ଷା (Civil Service) ମାନଙ୍କରେ ଦିଆହୋଇଥାଏ । ଏହି ଶିଳ୍ପାନ୍ତଃ ଶିକ୍ଷା ଯୋଜନା, ଫଳପ୍ରଦ ତଦାରଖକାରୀଙ୍କୁ ସୃଷ୍ଟି କରିବାର ଏକମାତ୍ର ଲକ୍ଷ୍ୟ; କିନ୍ତୁ ଏହା ଶେଷ ସମାଧାନ ନୁହେଁ । ଏହି ଯୋଜନାର ଉତ୍ତରୋତ୍ତର ଉନ୍ନତି, ଏହାରି ବିସ୍ତୃତ ପ୍ରଚଳନ ଉପରେହିଁ ନିର୍ଭର କରେ । ମାଲିକ ପକ୍ଷର ଉଚ୍ଚପଦସ୍ଥ କର୍ମଚାରୀମାନଙ୍କଦ୍ଵାରା ବ୍ୟକ୍ତିଗତ ଆସ୍ଥା, ଯୋଜନା ସମ୍ପର୍କରେ ପ୍ରଦର୍ଶନ ନହେଲେ ଏ ଯୋଜନା ବିଶେଷ ଫଳପ୍ରଦ ହୋଇ ପାରିବ ନାହିଁ ।

 

ମାଲିକ ପକ୍ଷ ଓ ଶ୍ରମିକ ପକ୍ଷ ଉଭୟଙ୍କ ସ୍ୱାର୍ଥରେ ଏହି ଯୋଜନାହିଁ ନିୟୋଜିତ । ଏହି ଯୋଜନା–

 

୧–ଉତ୍ପାଦନ ବୃଦ୍ଧି କରାଏ ।

 

୨–ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ ଉତ୍ତମ ସଂପୃକ୍ତି ଆଣିଥାଏ ।

 

୩–କୌଶଳୀ ଶ୍ରମିକ ପ୍ରସ୍ତୁତ କରେ ।

 

୪–ରଦ୍ଦି ଓ ନିକମା ଜିନିଷର ହ୍ରାସ କରାଏ ।

 

୫–ନୂତନ ଶ୍ରମିକଙ୍କୁ ଶିକ୍ଷା ଦେବା ନିମିତ୍ତ, ଅଳ୍ପ ସମୟ ପ୍ରଦାନ କରେ ।

 

୬–ଦୁର୍ଘଟଣା ହ୍ରାସ କରାଏ ।

Image

 

ବୟକ୍ତିକ ପରିଚାଳନା

[Personal Management]

 

ଦିନଥିଲା ଯେତେବେଳେ ବୟକ୍ତିକ ପରିଚାଳନା (Personal Management) ସବୁ ଦେଶରେ ଅର୍ଥହୀନ ବିଷୟବସ୍ତୁରୂପେ ପରିଗଣିତ ହେଉଥିଲା । ଖାଲି ଏତିକି ନୁହେଁ, ସବୁ ଦେଶର ଶିଳ୍ପପତିମାନେ ମଧ୍ୟ, ବୟକ୍ତିକ ପରିଚାଳନା ବିଷୟକୁ ଏକ ହାସ୍ୟାସ୍ପଦ ବ୍ୟାପାର ବୋଲି ମନେ କରୁଥିଲେ । କିନ୍ତୁ ବର୍ତ୍ତମାନ ଯୁଗରେ ଏହି ବୟକ୍ତିକ ପରିଚାଳନା ବିଷୟ, ଏକ ଜରୁରୀ ବିଷୟବସ୍ତୁରୂପେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।

 

ବୟକ୍ତିକ ପରିଚାଳନାରେ ରହସ୍ୟଜନକ

 

“ଏମ୍’’ (M)

 

ବୟକ୍ତିକ ପରିଚାଳନାରେ ଏହି ରହସ୍ୟଜନକ “ଏମ୍” (M) ହେଉଛି, ଏହାର ଦର୍ଶନ ଓ ଭିତ୍ତି । ବୟକ୍ତିକ ପରିଚାଳନାରେ ଉତ୍ପାଦନକୁ ଚଳାଇବାକୁ ଏହି ରହସ୍ୟଜନକ “ଏମ୍’’(M)ର ବିଶେଷ ପ୍ରୟୋଜନୀୟତା ଅଛି । ତେଣୁ ବର୍ତ୍ତମାନ ଏହି ରହସ୍ୟଜନକ “ଏମ୍”ଗୁଡ଼ିକ ହେଲା ।

 

(୧) Money–ଟଙ୍କା

 

(୨) Material–ଉପାଦାନ

 

(୩) Machinery–ଯନ୍ତ୍ରପାତି

 

(୪) Manufacturing Process–ଉତ୍ପାଦନ ପ୍ରଣାଳୀ

 

(8) Marketing–କ୍ରୟବିକ୍ରୟ

 

(6) Man–ମନୁଷ୍ୟ ।

 

ଉପରଲିଖିତ ଏହି ୬ଟି ଜରୁରୀ ଏବଂ ମୁଖ୍ୟ ଉପାଦନ, ପରିଚାଳନାର ଅନ୍ତର୍ଭୁକ୍ତ ।

 

ବର୍ତ୍ତମାନ ସ୍ଵତଃ ପ୍ରଶ୍ନ ଉଠେ, ଆମ୍ଭେମାନେ କାହିଁକି ଏହି ବୟକ୍ତିକ ପରିଚାଳନା (Personal Management)ରେ ବିଶେଷ ଗୁରୁତ୍ଵ ଆରୋପ କରୁଛୁ । ସମୟର ଗତି ସଙ୍ଗେ ସଙ୍ଗେ ଉପାଦନ ଓ ଯନ୍ତ୍ରପାତି (Material & Machinery) ଗୁଡ଼ିକର ଗୁରୁତ୍ଵ ହ୍ରାସ ହେବାକୁ ଲାଗିଲାଣି ଏବଂ ଏହା ସଙ୍ଗେ ସଙ୍ଗେ, ଟଙ୍କାର କ୍ରୟବିକ୍ରୟ ମୂଲ୍ୟ ମଧ୍ୟ କମିଯାଉଛି । କିନ୍ତୁ ମନୁଷ୍ୟର ମୂଲ୍ୟ ଅସମ୍ଭବଭାବେ ଏମାନଙ୍କ ତୁଳନାରେ ବଢ଼ି ଚାଲିଛି । ସାରା ପୃଥିବୀର ସେ ଉନ୍ନତ ଦେଶ ହେଉ ବା ଅନୁନ୍ନତ ଦେଶ ହେଉ, ସେ ସବୁ ସ୍ଥାନମାନଙ୍କରେ, ଉତ୍ପାଦନ କ୍ଷେତ୍ରରେ ମନୁଷ୍ୟର ସ୍ଥାନ ଅତି ବିଶିଷ୍ଟ ଓ ବଳିଷ୍ଠରୂପେ ପରିଗଣିତ ହୁଏ ।

 

ବର୍ତ୍ତମାନ ଏହା ସଚରାଚର ଦୃଷ୍ଟିଗୋଚର ହୁଏ ଯେ, ଶ୍ରମିକମାନଙ୍କର ବସବାସ ଗୃହ ଅପେକ୍ଷା, ଯେଉଁ କୋଠରିରେ ମେସିନ୍ ବସିଛି, ତାହା ଅତି ସୁନ୍ଦର ଓ ଚମତ୍କାର । ପୁଣି ଏହି ମେସିନ୍ ବା ଯନ୍ତ୍ରପାତିଗୁଡ଼ିକର ସୁରକ୍ଷା ନିମନ୍ତେ ବଡ଼ବଡ଼ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଉତ୍ପାଦିତ ବସ୍ତୁଗୁଡ଼ିକର କ୍ଷତିଖେସରା ପାଇଁ ଆମ୍ଭେମାନେ ଅତିରିକ୍ତ ଯତ୍ନ ନେଇଥାଉଁ, କିନ୍ତୁ ଉତ୍ପାଦନର ଶ୍ରେଷ୍ଠ ଉପାଦାନ ମଣିଷପାଇଁ ଆମେ ସେତିକି ପରିମାଣରେ ଯତ୍ନ ନେଇଥାଉଁ କି ?

 

ଗଲା ମହାଯୁଦ୍ଧ ଆମମାନଙ୍କର ଦୃଷ୍ଟି ଆକର୍ଷଣ କଲା ଯେ, ଉତ୍ପାଦନର ଶ୍ରେଷ୍ଠ ଉପାଦାନ ମଣିଷ ପ୍ରତି ଏପରି ଆଉ ଅବହେଳା କରାଯିବ ନାହିଁ, ଯେଉଁପରି ଭାବରେ ଆମେ ଅତୀତରେ ଅବହେଳା ପ୍ରଦର୍ଶନ କରୁଥିଲୁ । ଅତୀତରେ ଶିଳ୍ପପତିମାନେ ଭାବୁଥିଲେ ଯେ, ଶ୍ରମିକମାନଙ୍କୁ ଯେକୌଣସି ସମୟରେ କାରଖାନା ମଧ୍ୟରେ ଭର୍ତ୍ତି କରାଯାଇ, ତାଙ୍କ ପ୍ରତି ମନଇଚ୍ଛା ବ୍ୟବହାର କରାଯାଇପାରେ । କିନ୍ତୁ ବର୍ତ୍ତମାନ ସେବେଳର ମନୋଭାବ ନେଇ ଶ୍ରମିକମାନଙ୍କୁ ଆଉ ଅବଜ୍ଞା କରାଯାଇପାରିବ ନାହିଁ । ମଣିଷକୁ ନ୍ୟାୟ ଓ ସମ୍ମାନ ଦୃଷ୍ଟିରୁ ବିଚାର କରିବାକୁ ପଡ଼ିବ ।

 

ଭଗବାନଙ୍କ ସୃଷ୍ଟିରେ ଏହି ମଣିଷ ହେଉଛି, ଚରମ ଉପାଦାନ । ପ୍ରତି ଅବସ୍ଥାର ସୃଷ୍ଟିପାଇଁ ମଣିଷହିଁ ପୂରାପୂରି ଦାୟୀ । ତେଣୁ ମଣିଷ, ସେ କ’ଣ କଳକାରଖାନାରେ ଶ୍ରମିକ ହୋଇ ତା’ର ଜୀବିକା ଅର୍ଜନ କଲା ବୋଲି, ମଣିଷ ହିସାବରେ ମଣିଷର ସମ୍ମାନ ପାଇବାରେ ସେ ପୂରାପୂରି ବଞ୍ଚିତ ହେବ ? ଏହା ଆଦୌ ଆଜିର ଯୁଗରେ ସ୍ପୃହଣୀୟ କି ଯୁକ୍ତିଯୁକ୍ତ ନୁହେଁ ।

 

ଏହାହିଁ ହେଉଛି ବୟକ୍ତିକ ପରିଚାଳନାର ମୂଳମନ୍ତ୍ର ଓ ଦର୍ଶନ ।

Image

 

ଶ୍ରମ ପଦାଧିକାରୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ

 

ଦେଶର ବର୍ତ୍ତମାନର ଦ୍ରୁତ ଶିଳ୍ପ ବିକାଶରେ ଶ୍ରମିକ ପଦାଧିକାରୀଙ୍କ ଗୁରୁଦାୟିତ୍ଵ ଓ ଗୁରୁ କର୍ତ୍ତବ୍ୟ ରହିଛି । ସେମାନଙ୍କର କର୍ତ୍ତବ୍ୟ ନିମ୍ନରେ ପ୍ରଦତ୍ତ ହୋଇଥିବା ୧୫ଟି ପର୍ଯ୍ୟାୟରେ ପର୍ଯ୍ୟବସିତ ।

 

(୧) ଶିଳ୍ପରେ ସୁସମ୍ପର୍କ ସ୍ଥାପନପାଇଁ ସେମାନେ ଉଭୟ ପକ୍ଷ, ମାଲିକ ଓ ଶ୍ରମିକଙ୍କ ସଙ୍ଗରେ କଥାବାର୍ତ୍ତା ଓ ସମ୍ପର୍କ ସ୍ଥାପନ କରିବେ ।

 

(୨) ଶ୍ରମିକମାନଙ୍କର ଅଭିଯୋଗମାନ ମାଲିକମାନଙ୍କ ନିକଟରେ ଉପସ୍ଥାପିତ କରିବେ ଓ ଶ୍ରମିକ ଅନୁଷ୍ଠାନମାନଙ୍କ ସହିତ ଏକ ଯୋଗସୂତ୍ର ଅଫିସରରୂପେ ସମ୍ପର୍କ ସ୍ଥାପନ କରିବେ ।

 

(୩) ଶ୍ରମିକମାନଙ୍କର ମନୋଭାବ ଓ ମତାମତ ଜାଣି ଶ୍ରମନୀତି ସ୍ଥିର କରିବେ ।

 

(୪) ମିଳାମିଶା କାର୍ଯ୍ୟାନୁଷ୍ଠାନ (Conciliation) ଓ ମାମଳତି ନିଷ୍ପତ୍ତି (Arbitration) ଦ୍ଵାରା ଶିଳ୍ପବିବାଦର ନିରାକରଣ କରିବେ ।

 

(୫) ମିଳିତ ବୁଝାମଣାରେ ମଜୁରୀ ଓ ନିଯୁକ୍ତି ସମ୍ପର୍କୀୟ ବିଷୟମାନ ନିଷ୍ପତ୍ତି କରିବେ ।

 

(୬) ଶ୍ରମିକମାନଙ୍କୁ ବିଭିନ୍ନ ଧର୍ମଘଟ ଓ ମାଲିକମାନଙ୍କୁ ବିଭିନ୍ନ ତାଲାବନ୍ଦୀରୁ ନିବୃତ୍ତ କରାଇବେ । ଶିଳ୍ପାନୁଷ୍ଠାନରେ ଅସାମାଜିକ କ୍ରିୟାକଳାପ ସୃଷ୍ଟି କରିବାରେ ବାଧା ଦେବେ ।

(୭) ବିବିଧ ଧର୍ମଘଟ ଓ ତାଲାବନ୍ଦୀ ସମୟରେ ନିରପେକ୍ଷ ମନୋଭାବ ଅବଲମ୍ବନ କରିବେ ଏବଂ ଏହି ସମୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଖେଳାଇବାକୁ ଚେଷ୍ଟା କରିବେ ।

(୮) କାରଖାନା ଆଇନ ଓ ନିୟମାବଳୀଗୁଡ଼ିକର କିପରି ସଦୁପଯୋଗ ହେବ, ତାହା ଦେଖିବେ ଓ କାରଖାନା ଇନିସ୍‍ପେକ୍ଟରଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବେ । ଡାକ୍ତରଙ୍କ ସହିତ ମଧ୍ୟ ପରପୃଷ୍ଠା ଲିଖିତ ବିଷୟରେ ପରାମର୍ଶ କରିବେ ।

(୧) ଶ୍ରମିକମାନଙ୍କର ଡାକ୍ତରୀ ପରୀକ୍ଷା (୨) ନିରାପତ୍ତା କମିଟି (୩) ଶ୍ରମିକମାନଙ୍କର ସ୍ଵାସ୍ଥ୍ୟ ରେକର୍ଡ଼ (୪) କଠିନ କର୍ମ (୫) ଜ୍ଵରବାଧକ (୬) ଦୁର୍ଘଟଣାରୁ ନିଷ୍କୃତି (୭) ନିରାପଦ ଶିକ୍ଷା (୮) ଦୁର୍ଘଟଣାର ଅନୁସନ୍ଧାନ ଓ ଶେଷରେ ଦୁର୍ଘଟଣା ସାହାଯ୍ୟ ଓ ଦୁର୍ଘଟଣା କ୍ଷତିପୂରଣ ।

(୯) କାର୍ଯ୍ୟକାଳର ବ୍ୟବସ୍ଥା ଓ ଉତ୍ପାଦନର ଦକ୍ଷତାକୁ ନିରୀକ୍ଷଣ କରିବେ ଓ କାର୍ଯ୍ୟକାଳ ଅବସ୍ଥା ସହିତ ଶ୍ରମିକମାନେ କିପରି ଖାପ ଖୁଆଇ କାର୍ଯ୍ୟ କରି ପାରିବେ, ତାହା ପରିଦର୍ଶନ କରିବେ ।

(୧୦) ମିଳିତ କାର୍ଯ୍ୟ ଉତ୍ପାଦନ କମିଟି, ମଙ୍ଗଳଜନକ କମିଟି, ସହଯୋଗ ସମିତି, ନିରାପଦ କମିଟି ପ୍ରଭୃତି ସ୍ଥାପନ କରିବେ ଓ ସେମାନଙ୍କର କାର୍ଯ୍ୟକାରୀତାକୁ ତଦାରଖ କରିବେ ।

(୧୧) ଶ୍ରମିକମାନଙ୍କର କ୍ୟାଣ୍ଟିନ୍, ଶିଶୁସଦନ, ପାଇଖାନା ସୁବିଧା, ପିଇବା ପାଣି ସୁବିଧା, ପେନ୍‍ସନ୍, ବାର୍ଦ୍ଧକ୍ୟ ପାଣ୍ଠି, ପାରିତୋଷିକ ପ୍ରଭୃତି ପର୍ଯ୍ୟାୟମାନଙ୍କର ଉପଯୁକ୍ତ ବିନିଯୋଗ, ହୋଇ ପାରୁଛି କି ନାହିଁ, ତାହାର ମଧ୍ୟ ତଦାରଖ କରିବେ ।

 

(୧୨) ମାଲିକମାନେ ଶ୍ରମିକମାନଙ୍କୁ ଯେଉଁ ମଜୁରୀ ସହ ଛୁଟି ଦେବାର କଥା, ତା’ର ବ୍ୟବସ୍ଥା କରିବେ, ସେଥିରେ ସାହାଯ୍ୟ କରିବେ ଓ ଶ୍ରମିକମାନଙ୍କୁ ଛୁଟି ଆଇନକାନୁନ କ'ଣ, ତାହା ପରିଷ୍କାରରୂପେ ବୁଝାଇ ହେବେ ।

 

(୧୩) ଶ୍ରମିକମାନେ ସେମାନଙ୍କର ନିଜ ବ୍ୟକ୍ତିଗତ ସମସ୍ୟା କିପରି ସୁଧାରି ପାରିବେ, ସେ ନିମନ୍ତେ ସେମାନଙ୍କୁ ଉପଦେଶ ଦେବେ ଓ ସେମାନଙ୍କର ସନ୍ତାନସନ୍ତତିମାନଙ୍କର ଶିକ୍ଷା ଓ ଅନ୍ୟାନ୍ୟ ସମସ୍ୟାର କି ଭାବରେ ଉତ୍ତରୋତ୍ତର ଉନ୍ନତି ହେବ, ତାହା ମଧ୍ୟ ଦର୍ଶାଇବେ ।

 

(୧୪) ନୂଆ ନିଯୁକ୍ତି ପ୍ରାପ୍ତ ଶ୍ରମିକମାନଙ୍କୁ ଶିକ୍ଷା ଦିଆଯିବା ପାଇଁ ମାଲିକଙ୍କୁ ପରାମର୍ଶ ଦେବେ ଓ ମଝିରେ ମଝିରେ ନୋଟିସ୍‍ବୋଡ଼୍ ଓ ପତ୍ରିକାମାନଙ୍କରେ ଶ୍ରମିକମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ ବିଷୟରେ ବ୍ୟବସ୍ଥା କରିବେ ।

 

(୧୫) ସର୍ବଶେଷରେ ଶ୍ରମିକମାନେ କିପରି ତାଙ୍କ ଜୀବନଧାରଣର ମାନ ବିଶେଷଭାବେ ଉନ୍ନତି କରି ପାରିବେ, ସେ ବିଷୟରେ ପରାମର୍ଶ ଦେବେ ଶିଳ୍ପରେ କିପରି ଉଭୟ ପକ୍ଷର ମଙ୍ଗଳବିଧାନ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ ।

Image

 

ଦୃଢ଼ ଶ୍ରମିକ ସଙ୍ଗଠନର ବିଶେଷତ୍ଵ

 

ଗୋଟିଏ ଦୃଢ଼ ଓ ସଫଳ ଶ୍ରମିକ ସଙ୍ଗଠନର ବିଶେଷତ୍ଵ ହେଉଛି ଯେ—

 

(୧) ସେହି ସଙ୍ଗଠନର ସଭ୍ୟମାନେ ଶିକ୍ଷିତ ତଥା ସର୍ବୋପରି ଶ୍ରମିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଜାଗ ହେବେ ।

 

ପୁଣି କେତେକ ସ୍ଥଳରେ ଶିକ୍ଷିତ ସଭ୍ୟ ସଂଖ୍ୟା ବହୁଳ ପରିମାଣରେ ନହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ଯଦି ଚେତନଶୀଳ ଭାବ ପ୍ରକାଶ ନ ପାଏ, ତାହାହେଲେ ସେମାନଙ୍କର ସଙ୍ଗଠନ ଦୃଢ଼ ଓ ସଫଳ ହୋଇ ପାରିବ ନାହିଁ । ତେଣୁ ଶିକ୍ଷିତ ସଂଖ୍ୟା ଅପେକ୍ଷା, ସଭ୍ୟମାନଙ୍କର ଚେତନଶୀଳତା ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ ।

 

(୨) ଶ୍ରମ ସଙ୍ଗଠନର ସଭ୍ୟମାନେ ନିଜ ନିଜର ବିଚାର, ସ୍ଵତନ୍ତ୍ରଭାବେ କରିପାରୁଥିବେ ଏବଂ ନିଜର ସ୍ଵାଧୀନ ମତ ବ୍ୟକ୍ତ କରିପାରୁଥିବେ ।

 

(୩) ଶ୍ରମ ସଙ୍ଗଠନ ଗଣତାନ୍ତ୍ରିକ ଢାଞ୍ଚାରେ ଗଢ଼ାଯିବା ଏବଂ ପ୍ରତି ସଭ୍ୟମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଉଚିତ ।

 

(୪) ପ୍ରତି ସଭ୍ୟମାନଙ୍କର ନୈତିକ ଚେତନା ରହିବା ଉଚିତ ଏବଂ ସେମାନେ ବିନା କଷ୍ଟରେ ନିୟମିତରୂପେ ସଙ୍ଗଠନର ସ୍ଥାୟିତ୍ଵପାଇଁ ଚାନ୍ଦା ଦେବା ଉଚିତ ।

 

(୫) ଶ୍ରମିକ ସଙ୍ଗଠନଟି ମାଲିକ ଓ ସରକାରଙ୍କଦ୍ଵାରା ଯେପରି ସ୍ୱୀକୃତ ହେବ ଏବଂ ମାଲିକ ତଥା ଶ୍ରମିକଙ୍କ ମଧ୍ୟରେ ଉପୁଜୁଥିବା ପରସ୍ପର ବିବାଦଗୁଡ଼ିକୁ ଯେପରି ଶ୍ରମିକ ସଙ୍ଗଠନ ତୁଟାଇବାରେ ସମର୍ଥ ହୁଏ, ସେଥିପ୍ରତି ବିଶେଷ ଲକ୍ଷ୍ୟ ଦେବା ଉଚିତ ।

(୬) ଯେଉଁମାନେ ଶ୍ରମ ସଙ୍ଗଠନର କର୍ତ୍ତା ହୋଇ ରହିବେ, ସେମାନେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାମୂହିକ କଲ୍ୟାଣପାଇଁ ଆତ୍ମନିୟୋଗ କରିବେ । ଏପରିକି ୟୁନିୟନ୍‍ର ଯେଉଁମାନେ ସଭ୍ୟ, ସେମାନଙ୍କ ସ୍ୱାର୍ଥ କର୍ତ୍ତାମାନେ ପ୍ରଥମେ ଦେଖିବେ । ତେଣୁ ସଭ୍ୟମାନଙ୍କର ହିତ ଓ ସୁରକ୍ଷାପାଇଁ ଶ୍ରମିକ ସଙ୍ଗଠନର କର୍ତ୍ତା, ତାଙ୍କର ଯାବତୀୟ ପ୍ରକାର ସ୍ଵାର୍ଥତ୍ୟାଗ କରିବେ ।

(୭) ପେଶାଦାର ରାଜନୈତିକ ଦଳମାନଙ୍କ ସହିତ ଶ୍ରମ ସଙ୍ଗଠନକୁ ସମ୍ପୃକ୍ତ କରାଇ, ନିଜର ସ୍ୱାର୍ଥ ହାସଲପାଇଁ ଏହାର କର୍ମକର୍ତ୍ତାମାନେ ଶ୍ରମିକମାନଙ୍କୁ ଶୋଷଣ କରିବା ଉଚିତ ନୁହେଁ ।

(୮) ଶ୍ରମିକ ସଙ୍ଗଠନର ଯେଉଁମାନେ ନେତା ବୋଲି ବିବେଚିତ ହେବେ, ସେମାନେ ଶ୍ରମିକ ଶ୍ରେଣୀର ଅନ୍ତର୍ଭୁକ୍ତ ହେବା ଉଚିତ । ତାହାହେଲେ ସେମାନେ ଶ୍ରମିକମାନଙ୍କର ସ୍ଵାର୍ଥ ପ୍ରତି ବିଶେଷ ଦୃଷ୍ଟି ଦେଇପାରିବେ ।

(୯) ଶ୍ରମିକ ସଙ୍ଗଠନର ନୀତି ବିଧ୍ଵଂସାତ୍ମକ ନ ହୋଇ ରଚନାତ୍ମକ ତଥା ନିର୍ମାଣାତ୍ମକ ହେବା ସର୍ବାଦୌ ବାଞ୍ଛନୀୟ । କୌଣସି କୌଣସି ଶ୍ରମିକ ସଙ୍ଗଠନର ନେତାମାନେ ମତଦାନ କରିଥାନ୍ତି କି, ଯଦି ମାଲିକମାନେ ଶ୍ରମିକ ଶ୍ରେଣୀକୁ ବିଭିନ୍ନ ଉପାୟରେ ଶୋଷଣ କରୁଥାନ୍ତି, ତାହାହେଲେ ସେହି ମାଲିକ ଶ୍ରେଣୀ ସହିତ ପୂରାପୂରିଭାବେ ଅସହଯୋଗ କରିବା ଉଚିତ । ପୁଣି କେତେକ ମତ ପ୍ରଦାନ କରି କହିଥାନ୍ତି ଯେ ମାଲିକଙ୍କର ଶିଳ୍ପର ସବୁ କ୍ଷେତ୍ରରେ ପୂରାପୂରିଭାବେ କ୍ଷତି ଘଟାଇବାର ବିଶେଷ ଯତ୍ନ କରିବା । ଶ୍ରମିକ ସଙ୍ଗଠନର ଏହି ନୀତିଗୁଡ଼ିକ ପ୍ରମାଦପୂର୍ଣ୍ଣ ଓ ମାରାତ୍ମକ ଅଟେ । ତେଣୁ ଏ ପ୍ରକାର ନୀତିର ପ୍ରୟୋଗ ଫଳରେ ଶ୍ରମିକ ସଙ୍ଗଠନ ତା’ର, ନ୍ୟାଯ୍ୟ ଦାବି କ୍ଷେତ୍ରରେ ଆଦୌ ସଫଳତା ହୋଇପାରେ ନାହିଁ ।

ମାଲିକଙ୍କର ଶିଳ୍ପ କ୍ଷେତ୍ରରେ କ୍ଷତି ଉପସ୍ଥିତ ହେଲେ, ଶ୍ରମିକଙ୍କର ମଧ୍ୟ କ୍ଷତି ଉପସ୍ଥିତ ହେବ । ଯଦି ଶିଳ୍ପ ଭାଙ୍ଗିରୁଜି ପଡ଼େ, ତାହାହେଲେ, ଶ୍ରମିକମାନେ ମଧ୍ୟ ନିଜର ଦୈନନ୍ଦିନର ଖାଦ୍ୟ ହରାଇ ବସିବେ । ତେଣୁ ଶିଳ୍ପ କ୍ଷେତ୍ରରେ ମାଲିକ ଓ ଶ୍ରମିକ ପରସ୍ପର ହାତ ମିଳାଇ ପରସ୍ପର ନିଜ ନିଜର ମହତ୍ତ୍ଵକୁ ବୁଝି ସମଝି ଚଳିଲେ, ଉଭୟଙ୍କର ଉପକାର ସାଧିତ ହେବ ଏବଂ ଦେଶ ସମୃଦ୍ଧି ପଥରେ ଅଗ୍ରସର ହେବ । ତେଣୁ ଶ୍ରମିକ ସଙ୍ଗଠନର ନେତୃବୃନ୍ଦ, ମାଲିକମାନଙ୍କର ହିତପ୍ରତି ଦୃଷ୍ଟି ରଖି ନିଜ ନିଜର ଶ୍ରମନୀତି ଉପସ୍ଥାପିତ କରିବା ଉଚିତ । ଏହା ହୋଇ ପାରିଲେ ସକଳ କ୍ଷେତ୍ରରେ ସଫଳତା ଓ ଦୃଢ଼ତା ପ୍ରତିଷ୍ଠିତ ହୋଇପାରିବ । ତେଣୁ ଦୃଢ଼ଭାବେ କୁହାଯାଇପାରେ ଯେ, ଶ୍ରମସଙ୍ଗଠନ ଶ୍ରମିକମାନଙ୍କର କାର୍ଯ୍ୟକ୍ଷମତା ବୃଦ୍ଧି କରାଇ, ସମସ୍ତ ପ୍ରକାର ସହଯୋଗଦ୍ଵାରା ଶିଳ୍ପକ୍ଷେତ୍ରକୁ ସମୃଦ୍ଧିଶାଳୀ କରିବା ଉଚିତ । ପୁଣି ପରିଶେଷରେ ଏତିକି କୁହାଯାଇପାରେ ଯେ, ଶ୍ରମିକ ସଙ୍ଗଠନ ନ୍ୟାୟ ତଥା ବୁଦ୍ଧିମତା ଉପରେ ପ୍ରତିଷ୍ଠିତ ହେବା ଉଚିତ । କୌଣସି ପ୍ରକାର ଦୋଷଦୁଷ୍ଟ ଭାବରେ ନିଜର କାର୍ଯ୍ୟକାରୀ ପନ୍ଥା ସ୍ଥିର କରିବା ଉଚିତ ନୁହେଁ । କୌଣସି ପନ୍ଥା ସ୍ଥିର କରିବା ପୂର୍ବରୁ ବହୁବାର ଭାବିଚିନ୍ତି ତାକୁ ସ୍ଥିର କରିବା ଉଚିତ । ପୁଣି ଶ୍ରମ ସଙ୍ଗଠନ କର୍ମକର୍ତ୍ତାମାନେ ସଦାସର୍ବଦା ଏପରି ନ୍ୟାୟ ନୀତି ଅବଲମ୍ବନ କରିବା ଉଚିତ, ଯାହା ଫଳରେ ସଙ୍ଗଠନର ସମସ୍ତ ସଭ୍ୟମାନେ କାନ୍ଧକୁ କାନ୍ଧ ମିଳାଇ ଶ୍ରମସଙ୍ଗଠନ କାର୍ଯ୍ୟ କରିବାରେ ଅଗ୍ରସର ହେବେ ।

 

ଶ୍ରୀ ଜେନାଙ୍କ ଅନ୍ୟାନ୍ୟ କୃତୀ !!

 

ସମାଲୋଚନା

 

 

୧.

ଓଡ଼ିଆ ସାହିତ୍ୟରୁ କିଛି

 

 

୨.

ସବୁଜଯୁଗ ଓ ବୈକୁଣ୍ଠନାଥ

 

 

୩.

ନନ୍ଦକିଶୋର ସନ୍ଦେଶ

 

 

୪.

ସାହିତ୍ୟିକ ବାଳକୃଷ୍ଣ

 

 

୫.

ଗଡ଼ନାୟକ ସମୀକ୍ଷା

 

 

୬.

ମାନସିଂହ ସମୀକ୍ଷା

 

 

କବିତା

 

 

୧.

ଖରା ଓ ଛାଇ

 

 

୨.

ଊଣେଇଶଟି ଶ୍ରମ କବିତା

 

 

୩.

Nineteen Poems on Labour (Translated from the Oriya Original)

 

 

ଜୀବନୀ

 

 

୧.

ଶଙ୍କରାଚାର୍ଯ୍ୟ

 

 

ସମ୍ପାଦନା

 

 

୧.

ଗୋଦାବରୀଶ ସ୍ମରଣିକା

 

 

୨.

ପ୍ରାଣକୃଷ୍ଣ ସ୍ମରଣିକା

 

 

୩.

ବିଚ୍ଛନ୍ଦ, ସ୍ମରଣିକା

 

 

୪.

ଶାସ୍ତ୍ରୀ ସ୍ମରଣିକା

Image